ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ ଓ ଆର୍ସିବି ଅଧିକ ଚର୍ଚ୍ଚାରେ ରହୁଥିଲେ ମଧ୍ୟ ଆଇପିଏଲ୍ର ପ୍ରଥମ ୧୦୦ କୋଟି ଡଲାର ବା ୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦଳ ହେବାକୁ ଯାଉଛି ରାଜସ୍ଥାନ ରୟାଲ୍ସ। ଚାରିଜଣ ସମ୍ଭାବ୍ୟ କ୍ରେତା ଏହି ଦଳକୁ କିଣିବାକୁ ୧୦୦ରୁ ୧୩୦ କୋଟି ଡଲାର ( ୧ ବିଲିୟନରୁ ୧.୩ ବିଲିୟନ ଡଲାର)ର ପ୍ରସ୍ତାବ ଦେବା ପରେ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଥମ ସଂସ୍କରଣରେ ବିଜେତା ହେବା ପରେ ଅସ୍ଥିର ପ୍ରଦର୍ଶନ ଦେଇ ଆସୁଥିବା ରାଜସ୍ଥାନ ରୟାଲ୍ସକୁ କିଣିବା ଲାଗି ଏଭଳି ଆଖି ଖୋସି ହେଲା ଭଳି ପ୍ରସ୍ତାବ ମିଳିବା ବିଶେଷଜ୍ଞଙ୍କୁ ମଧ୍ୟ ଚକିତ କରିଛି। ତେବେ ସେମାନେ ଏହାର ତିନିଟି କାରଣ ଦର୍ଶାଇଛନ୍ତି। ପ୍ରଥମଟି ହେଲା ଆଇପିଏଲ୍ ପ୍ରସାରଣ ଅଧିକାର ମୂଲ୍ୟ କ୍ରଗାଗତ ଭାବେ ବଢ଼ି ଚାଲିଛି।
ଦ୍ବିତୀୟଟି ହେଲା ବୈଦେଶିକ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତର କ୍ରୀଡ଼ା ଅର୍ଥନୀତି ପୁଞ୍ଜି ନିବେଶର ଏକ ଲଭକାରୀ କ୍ଷେତ୍ର ହୋଇ ଚାଲିଛି। ତୃତୀୟ ଓ ଶେଷଟି ହେଲା ଆଇପିଏଲ୍ ଦଳଗୁଡ଼ିକୂୁ ନିବେଶକ ଋତୁ ଭିତ୍ତିକ ଦଳ ପରିବର୍ତ୍ତେ ବର୍ଷ ସାରା ମନୋରଞ୍ଜନର ଖୋରାକ ଯୋଗାଉଥିବା ଏକ ବଳିଷ୍ଠ ମାଧ୍ୟମ ଭାବେ ବିବେଚନା କରୁଛନ୍ତି ଏବଂ ଦନୁଯାୟୀ ଏହାର ମୂଲ୍ୟୟନ କରୁଛନ୍ତି। ସେଥିପାଇଁ ଏକ ଲିଗ୍ ଭାବେ ଆଇପିଏଲ୍ ଏବଂ ଦଳଗତ ଭାବେ ଆଇପିଏଲ୍ ଫ୍ରାଞ୍ଚାଇଜଗୁଡ଼ିକର ମୂଲ୍ୟ ବର୍ଷକୁ ବର୍ଷ ବଢ଼ିବଢ଼ି ଚାଲିଛି। ଗତବର୍ଷ ପ୍ରଥମ ଥର ବିଜେତା ହୋଇଥିବା ଆର୍ସିବି ଯଦି ବିକ୍ରି ହୁଏ, ଏହି ଦଳ ରାଜସ୍ଥାନ ରୟାଲ୍ସଠାରୁ ଆହୁରି ଅଧିକ ଦର ପାଇବ। ହୁଏତ ଏହାର ମୂଲ୍ୟ ୧୦,୦୦୦ କୋଟି ଟଙ୍କା ଛୁଇଁବ ବୋଲି କ୍ରିକେଟ୍ ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଆହୁରି ପଢନ୍ତୁ: Supremecourt order about UGC: ୟୁଜିସି ନୂଆ ନିୟମକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଆଇପିଏଲ୍ ଯେତେବେଳେ ୮ରୁ ୧୦ ଦଳକୁ ସଂପ୍ରସାରିତ ହୋଇଥିଲା ସେତେବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୭୦୯୦ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏବେ ସବୁଦଳର ମୂଲ୍ୟ ପାଖାପାଖି ୨,୦୦୦ରୁ ୩,୦୦୦ କୋଟି ଟଙ୍କା ବଢ଼ିଥିବା ଆକଳନ କରାଯାଉଛି। ସୂଚନାଯୋଗ୍ୟ ଯେ ରାଜସ୍ଥାନ ରୟାଲ୍ସର ମାଲିକାନା ସ୍ବତ୍ବ ଏମର୍ଜିଂ ମିଡିଆ ଭେଞ୍ଚର୍ସ ପାଖରେ ରହିଛି। ଏଥିରେ ରେଡ୍ବାର୍ଡ କ୍ୟାପିଟାଲ୍ ପାର୍ଟନର୍ସ ଓ ଟାଇଗର୍ସ ଗ୍ଲୋବାଲ ନାମକ ଦୁଇଟି କଂପାନିର କିଛି ଅଂଶଧନ ମଧ୍ୟ ରହିଛି। ଏହି ଦଳର ମୁଖ୍ୟ ବ୍ୟକ୍ତି ହେଉଛନ୍ତି ମନୋଜ ବଦାଲେ। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଦଳକୁ କିଣିବାକୁ ଜଣେ ଆମେରିକା ଭିତ୍ତିକ ନିବେଶକାରୀ କାଲ ସୋମାନି ବିଡ୍ ଦାଖଲ କରିଛନ୍ତି। ସେ ଟାଇମ୍ସ ଇଣ୍ଟରନେଟ୍, ବ୍ଲାକ୍ଷ୍ଟୋନ୍ ଓ କାର୍ଲିଲ ଗ୍ରୁପ୍ ଭଳି କଂପାନିରେ ଅର୍ଥ ଲାଗାଇଛନ୍ତି। ଇଂଲଣ୍ଡର ପ୍ରତିଷ୍ଠିତ ଫୁଟ୍ବଲ୍ କ୍ଲବ୍ ଚେଲ୍ସି ଏଫ୍ସି ଓ ମାଞ୍ଚେଷ୍ଟର ୟୁନାଇଟେଡ୍ର କିଣାବିକାରେ ମଧ୍ୟସ୍ଥି କାମ କରିଥିବା ରାଇନେ ଗ୍ରୁପ୍ ଉଭୟଙ୍କ ମଧ୍ୟରେ ମୂଳଚାଲର ଆଦାନ ପ୍ରଦାନ କରୁଛି।
Follow Us