lord jagannath Winter: ଠାକୁରଙ୍କୁ ମଧ୍ୟ ଶୀତ ଲାଗେ!

ମାର୍ଗଶିର ଶୁକ୍ଳ ଷଷ୍ଠୀକୁ ଓଢଣ ଷଷ୍ଠୀ କୁହାଯାଏ। ଓଢଣ ମାନେ ଘୋଡ଼ିହେବା, ପ୍ରାବରଣ ମାନେ ଶରୀରକୁ ଆବୃତ କରିବା। ଏହି ଦିନଠାରୁ lord jagannathଙ୍କର ଘୋଡ଼ଲାଗି ବେଶ ହୁଏ। ଏହା ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଚାଲେ। 

Untitled-2

ritual of lord jagannath in winter Photograph: (sambad.in)

ମାଗୁଣି ପଣ୍ଡିତ ଶୁକ୍ରବାର ସକାଳୁ ସକାଳୁ ହରିବାବୁଙ୍କ ଘରେ ପହଞ୍ଚିଲେ। ପଣ୍ଡିତଙ୍କୁ ଦେଖି ହରିବାବୁ କୃତକୃତ୍ୟ। ପଣ୍ଡିତଙ୍କୁ ବୈଠକ ଘରେ ବସିବାକୁ ଦେଇ ପତ୍ନୀଦେବୀଙ୍କୁ ଚା କରିବାକୁ ବରାଦ ଦେଲେ। ପତ୍ନୀ କହିଲେ- କେମିତିକା ଚା ପଣ୍ଡିତଙ୍କୁ ପଚାରନ୍ତୁ, ଚିନି ପଡ଼ିବ ନା ନାହିଁ?
ପଣ୍ଡିତେ କହିଲେ- ମୋର କ୍ଷୀର ଚା ଓ ଚିନି ଚଳିବନି। ପ୍ରବଳ ଶୀତ ପଡ଼ିଛି- ମୋ ପାଇଁ କପେ କଡ଼ା ନାଲି ଚା କରନ୍ତୁ। ସେଥିରେ ଅଦା, ତୁଳସୀ ଓ ମହୁ ପଡ଼ିବ। ତେଜପତ୍ର, ଗୋଲମରିଚ, ଶୁଣ୍ଠି ପଡ଼ିଲେ ଆହୁରି ଭଲ। 
ହରିବାବୁ- ଆମ ଚାରେ ଚିନି ନ ପଡ଼ିଲେ ବି ଆପଣଙ୍କୁ ମିଠା ଲାଗିବ। କାରଣ ଆମେ ଅଦା ସାଙ୍ଗରେ ଷ୍ଟିଭିଆ ପତ୍ର ୮/୧୦ଟା ଛେଚି ପକାଇଦେଉଛୁ। ହଉ, ଚା ତ ହଉଚି। ଆପଣଙ୍କ ପାଦ ଆଜି ସକାଳେ ସକାଳେ ଆମ ଘରେ କେମିତି ପଡ଼ିଲା କୁହନ୍ତୁ।
ପଣ୍ଡିତେ- କଥା କ’ଣ କି ଆସନ୍ତା ବୁଧବାର ଓଢ଼ଣ ଷଷ୍ଠୀ ପଡ଼ୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଡ଼ଲାଗି ବେଶ ଆରମ୍ଭ। ଆମେ ଚାଦର, କମ୍ବଳ ଘୋଡ଼ି ହେଉଛୁ। ଆମେ ଘରେ ପୂଜୁଥିବା ଠାକୁରଙ୍କୁ କ’ଣ ଆଉ ଶୀତରେ ଥରିବାକୁ ଛାଡ଼ିଦେବୁ? ତାଙ୍କ ପାଇଁ ପଶମ ଚଦର ଦରକାର। ଆପଣଙ୍କ ସୌଜନ୍ୟରୁ ଯଦି ଏତକ ମିଳିଆଆନ୍ତା, ତେବେ ଭଲ ହୁଅନ୍ତା?
ହରିବାବୁ- ଏଇ କଥା? ଆପଣ ନିଜ ପସନ୍ଦରେ କିଣିବେ- କେତେ ଟଙ୍କା ଲାଗିବ କୁହନ୍ତୁ, ମୁଁ ଦେଇଦେବି। 
ଏହାପରେ ଓଢ଼ଣ ଷଷ୍ଠୀ କ’ଣ ଓ କାହିଁକି ସେ ନେଇ କଥା ଉଠିଲା। ପଣ୍ଡିତେ କହିଲେ- ବହୁବର୍ଷ ତଳେ ସତ୍‌ସଙ୍ଗର ଜଣେ ଋତ୍ବିକ୍ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ଘରକୁ ଯାଇଥିଲି। ସେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରହୁଥିଲେ। ଶୀତଦିନ- ଦେଖିଲି, ତାଙ୍କର ଏକ ଆସ୍ଥାନରେ ଠାକୁରଙ୍କ ବିଗ୍ରହଗୁଡ଼ିକୁ ସୁନ୍ଦର ଭାବରେ ରଖାଯାଇଛି। ଠାକୁରମାନଙ୍କ ବିଗ୍ରହର ବେକ ପର୍ଯ୍ୟନ୍ତ କାଶ୍ମୀରୀ ଶାଲ ପରି ଚାଦରର କର୍ତ୍ତିତ ଅଂଶରେ ଘୋଡ଼ାଯାଇଛି। କହିଲି- ଦାମୀ କାଶ୍ମୀରୀ ଶାଲ କିଣି ତାକୁ ଏମିତି ଛୋଟ ଛୋଟ କରି କାଟି ବିଗ୍ରହରେ ଘୋଡ଼ାଇଛନ୍ତି?
ପ୍ରଧ୍ୟାପକ ମହାଶୟ କହିଲେ- ଆମେ ଘୋଡ଼ି ହେଲା ବେଳକୁ ଦାମୀ କାଶ୍ମୀରୀ ଚାଦର, ଆଉ ଠାକୁରଙ୍କ ବେଳକୁ କ’ଣ କାର୍ପାସ ଚାଦର ଦେବା ଠିକ୍ ହେବ? କପା ଚାଦର କ’ଣ ଶୀତ ସମ୍ଭାଳିବ? 
ମୁଁ ପଚାରିଲି- ଠାକୁରଙ୍କୁ କ’ଣ ସତରେ ଶୀତ କରେ?

ମହାପ୍ରଭୁଙ୍କର ଘୋଡ଼ଲାଗି ବେଶ


ପ୍ରଧ୍ୟାପକ କହିଲେ- ମୋ ଠାକୁରଙ୍କୁ ଖରାଦିନେ ଗରମ ଲାଗେ ଓ ଶୀତଦିନେ ଶୀତ କରେ। କାରଣ ମୁଁ ତାଙ୍କୁ ନିରାକାର ଭଗବାନ୍ ନୁହେଁ, ବରଂ ସାକାର ମଣିଷ ଭାବେ ପୂଜା କରେ। ତେଣୁ ମୁଁ ଖରାଦିନେ ପଙ୍ଖା ଦିଏ ଓ ଶୀତଦିନେ ଚାଦର ଲାଗି କରେ। ଶାସ୍ତ୍ରରେ ଅଛି ‘ଯଥା ଦେହେ ତଥା ଦେବେ’, ଅର୍ଥାତ୍ ମଣିଷ ନିଜ ଦେହଲାଗି ଯେମିତି ଯତ୍ନ କରେ, ଦେବତାଙ୍କ ପୂଜା ସମୟରେ ବି ସେହିସବୁ ବିଷୟରେ ଧ୍ୟାନ ଦେବା ଉଚିତ। ଶ୍ରୀଜଗନ୍ନାଥଙ୍କ ପୂଜାପର୍ବରେ ସେମିତି ସବୁ ଜିନିଷ ଉପରେ ନଜର ରଖି ବ୍ୟବସ୍ଥାମାନ ଖଞ୍ଜାଯାଇଛି। ମହାପ୍ରଭୁ ମାନବୀୟ ଲୀଳା କରନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ନୌକା ବିହାର ଓ ସ୍ନାନଯାତ୍ରା (ଜ୍ୟେଷ୍ଠ ପୂର୍ଣ୍ଣିମା) କରନ୍ତି। ତାଙ୍କୁ ଜ୍ବର ହୁଏ। ଅନ୍ୟମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସେ ଏକାନ୍ତବାସରେ (ଅଣସର) ରହନ୍ତି ଓ ଔଷଧ ସେବନ କରନ୍ତି। ଦେହ ଭଲ ହେଲା ପରେ ବନ୍ଧୁଘରକୁ ବୁଲିବାକୁ ଯାଆନ୍ତି। ତାଙ୍କ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡ଼ା ହୁଏ। ମହାପ୍ରଭୁ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମନାନ୍ତି। ମହାପ୍ରଭୁ ନ ତିଅଣ ଛଅ ଭଜା (ଛପନ ପଉଟି ଭୋଗ) ଖାଆନ୍ତି। ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି। ଜଣେ ମଣିଷର ସବୁ ପ୍ରକାର ଚଳଣି ତାଙ୍କ ପାଖରେ ଦେଖିବାକୁ ମିଳେ। ଓଢଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ଏହିପରି ଏକ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ। ମାର୍ଗଶିର ଶୁକ୍ଳ ଷଷ୍ଠୀକୁ ଓଢଣ ଷଷ୍ଠୀ କୁହାଯାଏ। ଓଢଣ ମାନେ ଘୋଡ଼ିହେବା, ପ୍ରାବରଣ ମାନେ ଶରୀରକୁ ଆବୃତ କରିବା। ଏହିଦିନଠାରୁ ମହାପ୍ରଭୁଙ୍କର ଘୋଡ଼ଲାଗି ବେଶ ହୁଏ। ଏହା ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଚାଲେ। 
ମୁଁ କହିଲି- ବାଃ ବହୁତ ଭଲ ପରମ୍ପରା!

ଆହୁରି ପଢ଼ନ୍ତୁ: Dharmendra Pradhan Bhadrak: ଆଗାମୀ ୧୦ ବର୍ଷ ରାଜ୍ୟକୁ ଦେବା, ଓଡ଼ିଶାକୁ ଚରମ ବୈଭବରେ ପହଞ୍ଚାଇବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପ୍ରାଧ୍ୟାପକ ପୁଣି କହିଲେ- ଆମ ମହାପ୍ରଭୁ ତ ରସିକ ଶିରୋମଣି। ଗୋଟିଏ ରଙ୍ଗର ଘୋଡ଼ିହେଲା ତାଙ୍କର ପସନ୍ଦ ନୁହେଁ। ତେଣୁ ସେ ବାର ଅନୁସାରେ ବିଭିନ୍ନ ରଙ୍ଗର ଚାଦର ଘୋଡ଼ି ହୁଅନ୍ତି। ଯେଉଁଦିନ ଠାକୁରମାନେ ଯାହା ଘୋଡ଼ି ହେବେ ତାହା ଭଣ୍ଡାର ମେକାପ ରତ୍ନ ଭଣ୍ଡାରରୁ ଯୋଗାନ୍ତି। ମହାପ୍ରଭୁ ରବିବାର ଦିନ ଲାଲ୍ ରଙ୍ଗର ଘୋଡ଼ଲାଗି ହୁଅନ୍ତି। ସେହିପରି ସୋମବାର ଦିନ କଳା ଛିଟମିଶା ଶୁକ୍ଳ ଘୋଡ଼, ମଙ୍ଗଳବାର ଦିନ ବାରପଟିଆ (ପାଞ୍ଚରଙ୍ଗ) ମିଶା ଘୋଡ଼, ବୁଧବାର ଦିନ ନୀଳ ରଙ୍ଗର ଘୋଡ଼, ଗୁରୁବାର ଦିନ ବସନ୍ତ ରଙ୍ଗର ଘୋଡ଼, ଶୁକ୍ରବାର ଦିନ ଶୁକ୍ଳ ରଙ୍ଗର ଘୋଡ଼ ଏବଂ ଶନିବାର ଦିନ କଳାରଙ୍ଗର ଘୋଡ଼ଲାଗି ହୁଅନ୍ତି। 
ହରିବାବୁ- ହଁ, ଶ୍ରୀଜଗନ୍ନାଥ ମନ୍ଦିରରେ ଏସବୁ ହୁଏ କିନ୍ତୁ ସାଧାରଣ ଲୋକମାନେ ତ ନିଜ ଘରେ ରଖିଥିବା ଠାକୁରଙ୍କଠାରେ ଘୋଡ଼ଲାଗି କରୁନାହାନ୍ତି। 

ଆହୁରି ପଢ଼ନ୍ତୁ: Akshay Mohanty's 'Naagin': ଜାଣନ୍ତି କି? ଅକ୍ଷୟ ମହାନ୍ତିଙ୍କ ‘ନାଗିନ୍’
ପଣ୍ଡିତେ- ସମସ୍ତେ ସକ୍ଷମ ନୁହନ୍ତି। ପୁଣି ଏହା ନିଜର ବୋଧ ଉପରେ ନିର୍ଭର କରେ। ମୁଁ ତ ଆଗରୁ କରୁ ନ ଥିଲି। କିନ୍ତୁ ସତ୍‌ସଙ୍ଗର ସେଇ ଋତ୍ବିକ୍ ଓ ପ୍ରାଧ୍ୟାପକଙ୍କ ଘରେ ଦେଖିବା ପରେ ଏହା କରିବାକୁ ଆରମ୍ଭ କରିଛି। 
ଏହାପରେ ହରିବାବୁଙ୍କ ପତ୍ନୀ ଦୁଇକପ୍ ଚା ଆଣି ପହଞ୍ଚିଲେ।
                                                                                         -ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe