ଅହମଦାବାଦ: ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର-୮ ପର୍ଯ୍ୟାୟରେ ରବିବାର ଭାରତର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ। ଗ୍ରୁପ୍ ପର୍ଯ୍ୟାୟର କେବଳ ଭାରତ ନୁହେଁ ଦକ୍ଷିଣ ଆଫ୍ରିକା ବି ଅପରାଜିତ ରହି ସୁପର-୮ରେ ପ୍ରବେଶ କରିଥିଲା। ଏଣୁ ଭାରତ ପାଇଁ ଅସଲ ପରୀକ୍ଷା ଏହି ମ୍ୟାଚ୍ରୁ ଆରମ୍ଭ ହେବ। ଗତ ସଂସ୍କରଣ ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ଭାରତ ରୋମାଞ୍ଚକ ଭାବେ ହରାଇଥିଲା। ଦକ୍ଷିଣ ଆଫ୍ରିକା ଏବେ ସେହି ପରାଜୟର ପ୍ରତିଶୋଧ କଡ଼ଗେଣ୍ଡାରେ ନେବାକୁ ଲକ୍ଷ୍ୟ ରଖିଛି। ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ଚାରିଟି ଲେଖାଏଁ ମ୍ୟାଚ୍ ଜିତି ସୁପର-୮କୁ ଆସିଛନ୍ତି। ଏଣୁ ରବିବାର ଉଭୟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ଆଶା କରାଯାଉଛି।
ଭାରତ ପାଇଁ ମୁଖ୍ୟ ଚିନ୍ତା ବ୍ୟାଟିଂ ବିଭାଗ ରହିବ। କାରଣ ଗ୍ରୁପ୍ ପର୍ଯ୍ୟାୟରେ ନିଜର ସବୁ ମ୍ୟାଚ୍ ଜିତିଥିଲେ ବି ଭାରତୀୟ ବ୍ୟାଟିଂର ଦୁର୍ବଳତା ପଦାରେ ପଡ଼ିଯାଇଥିଲା। ଅଫ୍-ସ୍ପିନ୍ ବିପକ୍ଷରେ ଭାରତୀୟ ବ୍ୟାଟର୍ମାନେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ବିଶେଷକରି ବିସ୍ଫୋରକ ଓପନର୍ ଅଭିଷେକ ଶର୍ମାଙ୍କ ଖରାପ ଫର୍ମ ଦଳପାଇଁ ଚିନ୍ତାର କାରଣ ପାଲଟିଛି। ଚଳିତ ବିଶ୍ବକପ୍ରେ ସେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହାନ୍ତି। କେବଳ ସେ ନୁହେଁ, ତିନି ନମ୍ବରରେ ଆସୁଥିବା ତିଳକ ବର୍ମା ବି ଖାପଛଡ଼ା ଲାଗୁଛନ୍ତି। ତାଙ୍କର ଷ୍ଟ୍ରାଇକ୍ ହାର ମାତ୍ର ୧୨୦ ରହିଛି। ପାକିସ୍ତାନ ବିପକ୍ଷରେ ସେ ୨୪ ବଲ୍ ଖେଳି ୨୫, ନାମିବ୍ୟା ବିପକ୍ଷରେ ୨୧ ବଲ୍ରୁ ୨୫ ଓ ନେଦରଲାଣ୍ଡସ ବିପକ୍ଷରେ ୨୭ ବଲ୍ରୁ ୩୧ ରନ୍ କରିଥିଲେ।
ଆହୁରି ପଢନ୍ତୁ: Book Released: ‘ଦେବାଶିଷୀୟ ବ୍ୟଙ୍ଗବିଚାର‘ ପୁସ୍ତକ ଉନ୍ମୋଚିତ
ଅଧିନାୟକ ସୂର୍ଯ୍ୟକୁମାର ଯାଦବ କେତୋଟି ଭଲ ପାଳି ଖେଳିଥିଲେ ବି ବିଶ୍ବକପ୍ରେ ଏପର୍ଯ୍ୟନ୍ତ ତାଙ୍କର ଷ୍ଟ୍ରାଇକ୍ ହାର ମାତ୍ର ୧୩୬ ରହିଛି। ଅନ୍ୟପକ୍ଷରେ ଫିଲଡିଂରେ ବି ଭାରତୀୟ ଦଳରେ ଥିବା ତ୍ରୁଟିକୁ ସୁଧାରିବାକୁ ପଡ଼ିବ। ଭାରତୀୟ ବ୍ୟାଟିର ଅସଲ ପରୀକ୍ଷା ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ଦେଖିବାକୁ ମିଳିବ। ଦକ୍ଷିଣ ଆଫ୍ରିକା ବୋଲିଂ ବିଭାଗରେ କାସିଗୋ ରାବାଡ଼ା, ଲୁଙ୍ଗି ଏନଗିଡି, ମାର୍କୋ ୟାନ୍ସେନ୍, କେଶବ ମହାରାଜ ଓ ଐଦେନ୍ ମାର୍କରାମ୍ଙ୍କ ପରି ଭଲ ବୋଲର ଅଛନ୍ତି। ଅନ୍ୟପକ୍ଷରେ ଭାରତର ବୋଲିଂ ବିଭାଗ ସନ୍ତୁଳିତ ଅଛି। ଯଶପ୍ରୀତ ବୁମରା ଓ ବରୁଣ ଚକ୍ରବର୍ତ୍ତିଙ୍କ ଉପରେ ଭାରତର ବୋଲିଂ ଆକ୍ରମଣ ନିର୍ଭର କରିବ। ତେବେ ଦକ୍ଷିଣ ଆଫ୍ରିକାର ଆଗଧାଡ଼ିର ବ୍ୟାଟର୍ କ୍ବିଣ୍ଟନ୍ ଡି’କକ୍, ଐଦେନ୍ ମାର୍କରାମ୍, ଦେଓ୍ବାଲ୍ଡ ବ୍ରେଭିସ୍, ଟ୍ରିଷ୍ଟନ୍ ଷ୍ଟବ୍ସ, ଡେଭିଡ୍ ମିଲର୍ ଫର୍ମରେ ଥିବାରୁ ଭାରତୀୟ ବୋଲିଂର ଅସଲ ପରୀକ୍ଷା ହେବ।
ଆହୁରି ପଢନ୍ତୁ: India and Brazil: ଭାରତ ଓ ବ୍ରାଜିଲ ମଧ୍ୟରେ ୨୦ ବିଲିୟନ ଡଲାରର ବ୍ୟବସାୟିକ ଚୁକ୍ତି: ଆସନ୍ତା ୫ ବର୍ଷରେ ବାଣିଜ୍ୟ ଲକ୍ଷ୍ୟ ପୂରଣ ପାଇଁ ସହମତି
ତେବେ ଦୁଇ ଦଳ ଗତ ଦୁଇ ମାସ ମଧ୍ୟରେ ପରସ୍ପରକୁ ୬ଷ୍ଠ ଥର ପାଇଁ ଭେଟିବାକୁ ଯାଉଥିବାରୁ ଉଭୟ ନିଶ୍ଚିତଭାବେ ପରସ୍ପରର ଦୁର୍ବଳତା ଓ ଶକ୍ତି ସଂପର୍କରେ ଭଲଭାବରେ ଅବଗତ ଥିବେ। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ମୁକାବିଲା ଲାଗି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ଭାରତୀୟ କ୍ରିକେଟ୍ ଦଳର ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମୋର୍କେଲ ମଧ୍ୟ କହିଛନ୍ତି। ସେହିଭଳି ଶନିବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଢେର ସମୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ପିଚ୍କୁ ଅନୁଧ୍ୟାନ କରିଛନ୍ତି। ଉଭୟ ତଦନୁଯାୟୀ ଯୋଜନା କରିଥିବାର ସଙ୍କେତ ବି ଦେଇଛନ୍ତି। ସେପଟେ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ସବୁବେଳେ ଭଲ ପ୍ରଦର୍ଶନ କରୁଥିବା ଓପନର୍ ତଥା ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’କକ୍ଙ୍କୁ ଅସ୍ତ୍ର କରିବ ବୋଲି ସଙ୍କେତ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/21/21bbs_39_21022026_112-2026-02-21-17-50-03.jpg)