ନୂଆଦିଲ୍ଲୀ:ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଛାଡପତ୍ର ଏବଂ ଯୌତୁକ ଉପରେ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ଜଣେ ଛାଡପତ୍ରପ୍ରାପ୍ତ ମୁସଲିମ ମହିଳା ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ଘରକୁ ନେଇଥିବା ନଗଦ, ସୁନା, ଅଳଙ୍କାର ଏବଂ ଅନ୍ୟାନ୍ୟ ଉପହାରକୁ ଫେରି ପାଇପାରିବେ। କୋର୍ଟ ଏହି ଉପହାରଗୁଡ଼ିକୁ ମହିଳାଙ୍କ ନିଜସ୍ବ ସମ୍ପତ୍ତି ଭାବରେ ଘୋଷଣା କରିଛନ୍ତି। ବିବାହ ବିଛେଦ ହେବା ପରେ ସେଗୁଡ଼ିକୁ ତାଙ୍କୁ ଫେରାଇ ଦିଆଯିବ। ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଏନ. କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଶୁଣାଣି କରିଛନ୍ତି ।
କେଉଁ ମାମଲାରୁ ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଥିଲେ?
ଏହି ମାମଲା ପଶ୍ଚିମବଙ୍ଗର ରୋଶନାରା ବେଗମଙ୍କ ସହିତ ଜଡିତ । ଯିଏ ଅଗଷ୍ଟ ୨୦୦୫ରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟ ଦମ୍ପତ୍ତିଙ୍କ ସମ୍ପର୍କ ଖରାପ ହୋଇଗଲା। ଫଳରେ ସେ ମେ ୨୦୦୯ ରେ ସେ ତାଙ୍କ ଶ୍ୱଶୁର ଘର ଛାଡି ତାଙ୍କ ବାପାମାଆଙ୍କ ଘରକୁ ଆସି ରହିବାକୁ ଲାଗିଲେ। ପରେ ଡିସେମ୍ବର ୨୦୧୧ ରେ ଛାଡପତ୍ର ଦାୟର କରାଯାଇଥିଲା । ଛାଡପତ୍ର ପରେ ୧୯୮୬ ଆଇନର ଧାରା 3 ଅନୁଯାୟୀ ମହିଳା ଜଣଙ୍କ ୧୭,୬୭,୯୮୦ ନଗଦ ଟଙ୍କା ଏବଂ ୩୦ ଭରି ସୁନା ଅଳଙ୍କାର ଫେରସ୍ତ କରିବା ପାଇଁ ଦାବି କରିଥିଲେ।
ଆହୁରି ପଢନ୍ତୁ: Man Rescued by a Boatman: ବୁଡ଼ି ଯାଉଥିବା କାର୍ ଭିତରୁ ଯୁବକଙ୍କୁ ଉଦ୍ଧାର କଲେ ନାଉରୀ
କାହିଁକି ହେଲା ବିବାଦ?
ରୋଶନାରା ଦାବି କରିଥିଲେ ଯେ, ତାଙ୍କ ବାପା ବିବାହ ସମୟରେ ତାଙ୍କ ସ୍ୱାମୀଙ୍କୁ ଯେଉଁ ସୁନା ଏବଂ ଅଳଙ୍କାର ଦେଇଥିଲେ ତାହା କବିଲନାମା (ନିକାହ ରେଜିଷ୍ଟର)ରେ ମଧ୍ୟ ରେକର୍ଡ ହୋଇଥିଲା। କିନ୍ତୁ ସଂପୃକ୍ତ ସ୍ବାମୀ କାଜି ଏବଂ ପିତାଙ୍କ ବୟାନ ମଧ୍ୟରେ ସମାନତା ନ ରହିବାରୁ କଲିକତା ହାଇକୋର୍ଟ ରୋଶାନାରାଙ୍କ ଏହି ଦାବିକୁ ଖାରଜ କରିଦେଇଥିଲେ। ରୋଶାନାରାଙ୍କ ସ୍ବାମୀ କାଜି କହିଥିଲେ ଯେ ,ଯୌତୁକର ପରିମାଣ ରେଜିଷ୍ଟରରେ ରେକର୍ଡ କରାଯାଇଥିଲା। ଏହା କିନ୍ତୁ କାହାକୁ ଦିଆଯାଇଥିଲା ତାହା ସେ ଦେବା ସମୟରେ ଉଲ୍ଲେଖ କରିନଥିଲେ। ଅପରପକ୍ଷରେ ଛାଡପତ୍ର ପରେ ଦାୟର ହୋଇଥିବା ଏକ ମାମଲାରେ ପିତା ଏହି ଟଙ୍କା ଏବଂ ଅଳଙ୍କାର ତାଙ୍କ ଜ୍ୱାଇଁଙ୍କୁ ଦେଇଥିବା କଥା କହିଥିଲେ ।
ଆହୁରି ପଢନ୍ତୁ: Soldier Died in Canal: ଅଭ୍ୟାସ ସମୟରେ କେନାଲରେ ବୁଡିଗଲା ଟ୍ୟାଙ୍କ, ଯବାନଙ୍କର ହେଲା ମୃତ୍ୟୁ
କୋର୍ଟ କ’ଣ କହିଲେ?
ଏହି ମାମଲା ସଂପର୍କରେ ଶୁଣାଣି କରିବାକୁ ଯାଇ କୋର୍ଟ କହିଛନ୍ତି,"ଅଦାଲତ ହେଉଛି ଏପରି ପ୍ରତିଷ୍ଠାନ ଯାହା ସମାନତା, ମର୍ଯ୍ୟାଦା ଏବଂ ସ୍ୱାୟତ୍ତତାର ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରେ। ତେଣୁ ଆଇନକୁ ସାମାଜିକ ନ୍ୟାୟର ଭାବନା ସହିତ ବ୍ୟାଖ୍ୟା କରାଯିବା ଉଚିତ। କୋର୍ଟ ୧୯୮୬ ଆଇନର ଧାରା ୩(୧)(ଘ)ର ଏକ ବ୍ୟାପକ ବ୍ୟାଖ୍ୟା କରି କହିଛନ୍ତି ଯେ ,ଏହି ଆଇନର ଉଦ୍ଦେଶ୍ୟ ହେଉଛି ଜଣେ ଛାଡପତ୍ରପ୍ରାପ୍ତ ମୁସଲିମ ମହିଳାଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା। ସରଳ ଭାବରେ କହିବାକୁ ଗଲେ ଜଣେ ଛାଡପତ୍ରପ୍ରାପ୍ତ ମୁସଲିମ ମହିଳାଙ୍କୁ ବିବାହ ପୂର୍ବରୁ, ବିବାହ ସମୟରେ କିମ୍ବା ବିବାହ ପରେ ତାଙ୍କ ସମ୍ପର୍କୀୟ, ବନ୍ଧୁ, ସ୍ୱାମୀ କିମ୍ବା ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଉପହାର, ଅଳଙ୍କାର, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷପତ୍ର ଫେରସ୍ତ କରିବାର ଅଧିକାର ରହିଛି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଆଜି ମଧ୍ୟ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ମହିଳାମାନେ ଏହିପରି ଅନେକ ଭେଦଭାବ ଏବଂ ଆର୍ଥିକ ନିର୍ଭରଶୀଳତାର ସମ୍ମୁଖୀନ ହୁଅନ୍ତି, ତେଣୁ କୋର୍ଟର ଭୂମିକା ଏଥିପ୍ରତି ସମ୍ବେଦନଶୀଳ ହେବା ଉଚିତ।
ମହିଳାଙ୍କ ସପକ୍ଷରେ କୋର୍ଟ ଦେଲେ ରାୟ
ସୁପ୍ରିମକୋର୍ଟ ୨୦୨୨ ମସିହାରେ କଲିକତା ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଯେଉଁଥିରେ କୋର୍ଟ ମହିଳାଙ୍କୁ ସମ୍ପୂର୍ଣ୍ଣ ରାଶି ଦେବାକୁ ମନା କରାଯାଇଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ଏହି ମାମଲାକୁ କେବଳ ଏକ ଦେୱାନୀ ବିବାଦ ଭାବରେ ଗ୍ରହଣ କରିଛନ୍ତି ,ଏବଂ ଆଇନର ସାମାଜିକ ଉଦ୍ଦେଶ୍ୟ ବୁଝିବାରେ ବିଫଳ ହୋଇଛନ୍ତି। ସୁର୍ପିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ହାଇକୋର୍ଟ କେଶର ତତ୍ତ୍ବାଦଧାନରେ ଦାୟର ହୋଇଥିବା ସମସ୍ତ ସାକ୍ଷ ପ୍ରମାଣକୁ ଭଲ ଭାବରେ ଦେଖି ନିଷ୍ପତ୍ତି ନେଇନାହାନ୍ତି। ସୁପ୍ରିମକୋର୍ଟ ହାଇକୋର୍ଟର ନିଷ୍ପତ୍ତିକୁ ଖାରଜ କରି ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ। କୋର୍ଟ ତାଙ୍କ ସ୍ୱାମୀଙ୍କୁ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୭ ଲକ୍ଷ ଏବଂ ୩୦ ଭରି ସୁନା ଅଳଙ୍କାର ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାଶି ପାଇବା ପରେ ମହିଳା ଜଣଙ୍କ କାର୍ଯ୍ୟଦିବସର ୩ ଦିନ ଭିତରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ କେର୍ଟକୁ ସେୟାର କରିବେ ବୋଲି କୋର୍ଟ କହିଥିଲେ। ଛଅ ସପ୍ତାହ ମଧ୍ୟରେ ଏହି ରାଶି ପୈଠ ନ କଲେ ବାର୍ଷିକ ୯ ପ୍ରତିଶତ ସୁଧ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟ ତାଙ୍କ ସ୍ବାମୀଙ୍କୁ କଡା ଚେତାବନୀ ଦେଇଥିଲେ।
ଏହି ନିଷ୍ପତ୍ତିର ସମାଜରେ ବ୍ୟାପକ ପ୍ରଭାବ ପକାଇବ କି?
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି କେବଳ ଏହି ମାମଲା ପାଇଁ ନୁହେଁ ବରଂ ଏପରି ଅନେକ ମାମଲା ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ଯେଉଁଠାରେ ଛାଡପତ୍ର ପରେ ମହିଳାମାନେ ବିବାହ ସମୟରେ ଦେଇଥିବା ଅର୍ଜିତ ସମ୍ପତ୍ତି ଫେରି ପାଇବାରେ ଅସୁବିଧାର ସମ୍ମୁଖୀନ ଆଉ ହେବେ ନାହିଁ। କୋର୍ଟର ଏହି ନିଷ୍ପତ୍ତି କେବଳ ମହିଳାଙ୍କ ଅଧିକାରକୁ ପୁନରୁଦ୍ଧାର କରେ ନାହିଁ ବରଂ ଏହା ଏକ ବାର୍ତ୍ତା ମଧ୍ୟ ଦିଏ ଯେ ଛାଡପତ୍ର ପାଇଥିବା ମୁସଲିମ ମହିଳାଙ୍କ ସମ୍ପତ୍ତି ଏବଂ ମର୍ଯ୍ୟାଦା ସହିତ କୌଣସି ଭାବରେ ପ୍ରଶ୍ନ ଉଠାଯାଇପାରିବ ନାହିଁ। ଏହି ନିଷ୍ପତ୍ତି ମହିଳାଙ୍କ ଆର୍ଥିକ ଏବଂ ସାମାଜିକ ସଶକ୍ତିକରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ କାର୍ଯ୍ୟକରିବ।
Follow Us