ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପିଏସିର କାର୍ଯ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ଉକୁ ନେଇ ଚାଲିଥିବା ବିବାଦର ଶୁଣାଣି କରିଛନ୍ତି। ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବିପୁଲ ଏମ. ପାଞ୍ଚୋଲିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ,ସୁପ୍ରିମକୋର୍ଟ କହିଛନ୍ତି, ଆମେ ନୋଟିସ୍ ଜାରି କରୁଛୁ। ଏହା ଏକ ଗମ୍ଭୀର ମାମଲା। ଏହାର ବିସ୍ତୃତ ଶୁଣାଣି କରାଯିବ। କୋର୍ଟ ଏହା ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, କୋଲକାତା ହାଇକୋର୍ଟଙ୍କୁ ମାମଲାର ସମ୍ପୂର୍ଣ୍ଣ ଶୁଣାଣି କରିବାକୁ ଅନୁମତି ଦିଆ ନ ଯିବା ଦୁଃଖଦ ଘଟଣା। ଫଳରେ ମମତା ଦିଦିଙ୍କୁ ବଡ଼ ଝଟ୍କା ଲାଗିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର, କୋଲକାତା ପୁଲିସ କମିସନର ମନୋଜ କୁମାର ବର୍ମା ଏବଂ ଦକ୍ଷିଣ କୋଲକାତା ଡେପୁଟି କମିସନର ପ୍ରିୟବ୍ରତ ରାୟଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି।ଏଜେନ୍ସି ଦାବି କରିଛନ୍ତି , ଇଡି ଅଧିକାରୀମାନଙ୍କୁ ଧମକ ଦିଆଯାଇଥିଲା, ତଦନ୍ତରେ ବାଧା ଦିଆଯାଇଥିଲା ଏବଂ ପ୍ରମାଣ ନଷ୍ଟ କରାଯାଇଥିଲା। ଇଡି ଆବେଦନରେ ସମସ୍ତ ଇଲେକ୍ଟ୍ରୋନିକ୍ ରେକର୍ଡ, ଷ୍ଟୋରେଜ୍ ମିଡିଆ ଏବଂ ବଳପୂର୍ବକ ଅପସାରଣ କରାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକୁ ତୁରନ୍ତ ଜବତ ଏବଂ ସିଲ୍ କରିବାକୁ ଦାବି କରିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ, ଇଡି ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ପୁଲିସ ଅଧିକାରୀମାନଙ୍କୁ ଡକାୟତି, ଚୋରି, ସାର୍ବଜନୀନ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା, ପ୍ରମାଣ ନଷ୍ଟ କରିବା ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଧମକାଇବା ସମେତ ୧୭ଟି ଗୁରୁତର ଅପରାଧରେ ଅଭିଯୁକ୍ତ କରିଛନ୍ତି।
ଇଡି କହିଛନ୍ତି , ଏହି ଘଟଣା ସମ୍ବିଧାନ ଏବଂ ଆଇନର ଶାସନ ପ୍ରତି ଘୋର ଅପମାନ। ଏଜେନ୍ସି ଅନୁଯାୟୀ, ଜବତ ପ୍ରମାଣର କୌଣସି ରାଜନୈତିକ ଦଳ ସହିତ କିଛି ସମ୍ପର୍କ ନାହିଁ, କିନ୍ତୁ ଏହା ବେଆଇନ କୋଇଲା ଖଣି ଦୁର୍ନୀତି ସହିତ ଜଡିତ।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲେ, ହାଇକୋର୍ଟରେ କାର୍ଯ୍ୟଧାରା ଜାଣିଶୁଣି ବାଧାପ୍ରାପ୍ତ ହେବା ଏବଂ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଶାସକ ଦଳର ସମର୍ଥକମାନଙ୍କୁ ଉସୁକାଇବା ଯୋଗୁ ମାମଲାର ଶୁଣାଣିରେ ବିଳମ୍ବ ହୋଇଛି। ଏଜେନ୍ସି ଯୁକ୍ତି ରଖିଛି ଯେ ଏକ ନିରପେକ୍ଷ ତଦନ୍ତ ଏବଂ ପ୍ରମାଣ ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ।
ଆହୁରି ପଢନ୍ତୁ: Afghan players cannot play: ୩ଟିରୁ ଅଧିକ ବିଦେଶୀ ଲିଗ୍ ଖେଳିପାରିବେନି ଆଫଗାନ ଖେଳାଳି
ସୂଚନାଯୋଗ୍ୟ, ପୂର୍ବରୁ କୋଲକାତା ହାଇକୋର୍ଟ ଆଇ-ପିଏସି ମାମଲାରେ ତୃଣମୂଳ କଂଗ୍ରେସର ଆବେଦନକୁ ଖାରଜ କରିଦେଇଥିଲେ। ତୃଣମୂଳ କଂଗ୍ରେସ ଅଭିଯୋଗ କରିଥିଲା ​​ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦଳ ସହିତ ଜଡିତ ସମ୍ବେଦନଶୀଳ କାଗଜପତ୍ର ଜବତ କରିଛି। ତେବେ ଏହାକୁ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ହାଇକୋର୍ଟ କହିଥିଲେ ନିର୍ଦ୍ଦେଶାଳୟ ଆବେଦନ ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି, ଏବଂ ମାମଲାର ଅଗ୍ରଗତି ସମୀକ୍ଷା କରିବା ପରେ ହିଁ ପରବର୍ତ୍ତୀ ଶୁଣାଣି କରାଯିବ।
Follow Us