tourist Photograph: (photo: social media)
ଇଟାନଗର: ଅରୁଣାଚଳ ପ୍ରଦେଶର ତୱଙ୍ଗ ଜିଲ୍ଲାରେ ବରଫାଛନ୍ନ ସେଲା ହ୍ରଦ ଭିତରକୁ ଖସିପଡ଼ି ଶୁକ୍ରବାର କେରଳର ଦୁଇ ଜଣ ପର୍ଯ୍ୟଟକ ବୁଡ଼ି ଯାଇଥିବା ପୁଲିସ କହିଛି। ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟଟକଙ୍କୁ ଖୋଜିବା ପାଇଁ ତଲାସି ଅଭିଯାନ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି। ପୁଲିସ ଅଧୀକ୍ଷକ ଡିଡବ୍ଲ୍ୟୁ ଥଙ୍ଗନ କହିଛନ୍ତି ଯେ, ମୃତକ ଦିନୁ (୨୬) ଭାବରେ ଚିହ୍ନଟ ହୋଇଥିବାବେଳେ ମହାଦେବ (୨୪) ନିଖୋଜ ଅଛନ୍ତି। ଏହି ଦୁଇଜଣ ଅନ୍ୟ ୫ ଜଣଙ୍କ ସହିତ ଗୌହାଟି ଦେଇ ତୱାଙ୍ଗରେ ପହଞ୍ଚିଥିଲେ।
ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣରେ ସାତ ଜଣିଆ ପର୍ଯ୍ୟଟକ ଦଳର ଜଣେ ସଦସ୍ୟ ହ୍ରଦ୍କୁ ଖସି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଦିନୁ ଓ ମହାଦେବ ପାଣି ଭିତରକୁ ଯାଇଥିଲେ। ପ୍ରଥମେ ଖସି ପଡ଼ିଥିବା ପର୍ଯ୍ୟଟକ ଜଣକ ହ୍ରଦରୁ ବାହାରି ଆସିଥିଲେ। କିନ୍ତୁ ଦିନୁ ଓ ମହାଦେବଙ୍କର କୌଣସି ସନ୍ଧାନ ମିଳିନଥିଲା। ଜିଲ୍ଲା ପ୍ରଶାସନ ଅପରାହ୍ନ ପ୍ରାୟ ୩ଟା ସମୟରେ ଦୁର୍ଘଟଣା ବିଷୟରେ ସୂଚନା ପାଇଥିଲେ।
ଆହୁରି ପଢନ୍ତୁ: Murder: ଗୋଆରେ ପ୍ରେମିକା, ଅନ୍ୟ ଜଣେ ମହିଳାଙ୍କୁ ହତ୍ୟା କରି ରୁଷ୍ ନାଗରିକ ଗିରଫ
ଜିଲ୍ଲା ପୁଲିସ, କେନ୍ଦ୍ରୀୟ ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀର ମିଳିତ ଦଳ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରତିକୂଳ ପାଗ ଏବଂ କମ୍ ଦୃଶ୍ୟମାନ ସତ୍ତ୍ୱେ ଉଦ୍ଧାରକାରୀ ଦଳ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରିଥିଲେ। ରାତି ହୋଇଯିବାରୁ ତଲାସି କାର୍ଯ୍ୟ ବନ୍ଦ କରାଯାଇଥିଲା।
ଆହୁରି ପଢନ୍ତୁ: Drone in LOC: ପାକିସ୍ତାନୀ ଡ୍ରୋନ୍ ଏଲ୍ଓସିରେ କାହିଁକି ଉଡ଼ି ବୁଲୁଛି, ଆକ୍ରମଣ ଯୋଜନା ନା ଆଉକିଛି
ଉଦ୍ଧାର ମୃତଦେହକୁ ଜାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଶନିବାର ଶବ ବ୍ୟବଚ୍ଛେଦ କରାଯିବ। ବରଫ ହ୍ରଦରେ ନ ଚାଲିବାକୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ସେଲା ହ୍ରଦ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଏଥିନେଇ ଚେତାବନୀ ସାଇନ୍ ବୋର୍ଡ ଲଗାଇଛି। ସୂଚନାଯୋଗ୍ୟ, ସମୁଦ୍ର ପତ୍ତନଠାରୁ୧୩,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଅବସ୍ଥିତ, ସେଲା ହ୍ରଦ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ।
Follow Us