8.5 lakhs assistance to family in rourkela aeroplane accident case Photograph: (Sambad.in)
ରାଉରକେଲା/ସାରନଗରୀ/ବେଦବ୍ୟାସ: ବିମାନ ଦୁର୍ଘଟଣାରେ ମୃତ ସୁଶାନ୍ତ କୁମାର ବିଶ୍ବାଳ(୪୭)ଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଓ ଇଣ୍ଡିଆ ୱାନ୍ ଏୟାର କମ୍ପାନି ପକ୍ଷରୁ ସହାୟତା ଘୋଷଣା କରାଯାଇଛି। କ୍ଷତିପୂରଣ ଘୋଷଣା କରାନଯିବାରୁ ତାଙ୍କ ଶବ ମର୍ଗରେ ପଡ଼ି ରହିଥିଲା। ମୃତ ସୁଶାନ୍ତଙ୍କ ପତ୍ନୀ ଓ ତାଙ୍କ ମାଉସୀପୁଅ ଭାଇ ରଞ୍ଜନ ପରିବାରକୁ ସହାୟତା ଯୋଗାଇଦେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଆର୍ଏମ୍ସିର ଡେପୁଟି କମିସନରଙ୍କୁ ପରିବାରକୁ ବୁଝାସୁଝା କରିବାକୁ ଜେପି ହସ୍ପିଟାଲକୁ ପଠାଇଥିଲେ। ପରେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ପାଣ୍ଠିରୁ ୪ ଲକ୍ଷ, ବିମାନ କମ୍ପାନି ପକ୍ଷରୁ ୪ ଲକ୍ଷ ୫୦ ହଜାର ଏମିତି ମୋଟ ୮ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ। ଏଥିସହ ବିମାନ କମ୍ପାନି ପକ୍ଷରୁ ମୃତ ସୁଶାନ୍ତଙ୍କ ବଡ଼ପୁଅ ବିଶ୍ବଜିତ ରାଉତଙ୍କୁ ପାଠପଢ଼ା ପରେ କମ୍ପାନିରେ ଚାକିରି ଦିଆଯିବ ବୋଲି ଇଣ୍ଡିଆ ୱାନ୍ ଏୟାର ସିଇଓ ପ୍ରେମକୁମାର ଗର୍ଗ କହିଛନ୍ତି।
ସୁଶାନ୍ତଙ୍କ ଶବ ପରିବାରକୁ ହସ୍ତାନ୍ତର
କ୍ଷତିପୂରଣ ପରେ ରଘୁନାଥପାଲି ପୁଲିସ ସୁଶାନ୍ତଙ୍କ ଶବ ଜବତକରି ପରିବାରକୁ ହସ୍ତାନ୍ତର କରିଛି। ସୁଶାନ୍ତଙ୍କ ଶବ ବେଦବ୍ୟାସ ମନ୍ଦିରରୋଡ୍ସ୍ଥ ଘରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ସୁଶାନ୍ତଙ୍କ ଭଉଣୀ ଅନୀତା ସାହୁ ଏବେ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ଦୁର୍ଘଟଣାର ୮ ଦିନ ପରେ ବିମାନ କମ୍ପାନିର ୪ ଯନ୍ତ୍ରୀ ଓ ୨ ସହଯୋଗୀ ଦୁର୍ଘଟଣାଗ୍ରସ୍ତ ବିମାନକୁ ଖୋଲିବାକୁ ଲାଠିକଟା କଂସର ଗଡ଼ିଆଟୋଲାରେ ପହଞ୍ଚିଛନ୍ତି। ଖୋଲିବା ପରେ ଦୁର୍ଘଟଣାଗ୍ରସ୍ତ ବିମାନ କେଉଁଠିକୁ ଯିବ, ସେ ସମ୍ପର୍କରେ ଟେକ୍ନିକାଲ ଟିମ୍ କିଛି କହିବାକୁ ମନା କରିଦେଇଛନ୍ତି।
Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ
ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ଇଣ୍ଡିଆ ୱାନ୍ ଏୟାର ଦୁର୍ଘଟଣାରେ ସୁଶାନ୍ତ ଓ ତାଙ୍କ ଭଉଣୀ ଅନୀତା, ସୁନୀଲ ଅଗ୍ରୱାଲ ତାଙ୍କ ପତ୍ନୀ ସବିତାଙ୍କ ସମେତ ଦୁଇ ପାଇଲଟ୍ ଗୁରୁତର ହୋଇଥିଲେ। ଦୁର୍ଘଟଣାର ଦିନକ ପରେ ସୁନୀଲ ଓ ସବିତାଙ୍କୁ ମୁମ୍ବାଇର ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ଶନିବାର ଅପରାହ୍ନରେ ସୁଶାନ୍ତଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଉଥିବାବେଳେ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ରାଉରକେଲା- ଭୁବନେଶ୍ବର ୯ ଆସନ ବିଶିଷ୍ଟ ବିମାନରେ ଯାତ୍ରୀସଂଖ୍ୟା କମ୍ ରହୁଛି।
Follow Us