9 cows rescued by gorakshyak bahini at kaliapani Photograph: (Sambad.in)
କାଳିଆପାଣି (ରବିନାରାୟଣ କର): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା ମଙ୍ଗଳପୁର ସଡ଼କର ଜଗାବଳିଆ ମାର୍କେଟ୍ ଠାରେ ଆଜି ଏକ ଚୋରା ଗୋଚାଲାଣ ଭ୍ୟାନ(ଓଆର୍-୧୧ଜେ-୫୦୬୭)କୁ ଧରି ଲୋକେ ପୁଲିସ ଜିମା ଦେଇଛନ୍ତି। ବଡ଼ିଭୋର ୩ଟା ସମୟରେ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଅଟକି ରହିଥିଲା। ପାଲ ଭିତରେ ଗୋରୁ ଛଟପଟ ହେଉଥିବାରୁ ସାଧାରଣରେ ସନ୍ଦେହ ହୋଇଥିଲା। ୪୦ ବର୍ଗଫୁଟ୍ ଡାଲାରେ ୯ଟି ବଡ଼ବଡ଼ ଗୋରୁ ଅତି ଦୟନୀୟ ଭାବେ ଗୋଡ଼ ଓ ମୁହଁ ବନ୍ଧା ଅବସ୍ଥାରେ ଦେଖାଯାଇଥିଲେ। ଗୋଟିଏ ଗର୍ଭିଣୀ ଗାଈ ମୃତ ଅବସ୍ଥାରେ ଠାବ ହୋଇଥିଲା। ୨ଟି ଗୁରୁତର ଓ ଆହତ ଅବସ୍ଥାରେ ଥିବା ଅନ୍ୟ ୬ଟିକୁ ଗୋରୁଙ୍କୁ ଗୋରକ୍ଷକ ବାହିନୀ ପକ୍ଷରୁ ବିଶ୍ବଜିତ ମହାନ୍ତି, ସତ୍ୟଜିତ ମହାରଣା, ମନୋଜ ବେହେରା, ଜୟପ୍ରକାଶ ମହାନ୍ତି, ଦାମୋଦର ପାତ୍ର, ମୁନା ପ୍ରଧାନ, ଜ୍ୟୋତି ପ୍ରକାଶ ମାଝୀ, ଗୌତମ ଦାସ ପ୍ରମୁଖ ଉଦ୍ଧାର କରିଥିଲେ। ମୃତ ଗୋରୁର ଶେଷକୃତ୍ୟ କରାଇଥିଲେ।
ଆହୁରି ପଢ଼ନ୍ତୁ: Chief Minister Kalahandi କଳାହାଣ୍ଡି ଜିଲ୍ଲାକୁ ୮୯୧ .୩୯ କୋଟି ଟଙ୍କାର ୩,୬୧୨ଟି ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଥାନା ଅଧିକାରୀ ଶିବ ଚରଣ ବେହେରା, ଏଏସ୍ଆଇ ପ୍ରଶାନ୍ତ କୁମାର ପଲେଇ, ହାବିଲଦାର କୌସ୍ତୁଭ ସେଠୀ ସଦଳବଳ ପହଞ୍ଚି ଉକ୍ତ ଭ୍ୟାନ ଜବତ କରିଛନ୍ତି। ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦୀପ୍ତିରଞ୍ଜନ ସାହୁ, ଗୋଧନ ନିରୀକ୍ଷକ ସମିମା ପ୍ରିୟଦର୍ଶିନୀ ବେହେରା ଓ ପ୍ରଶାନ୍ତ କୁମାର ସାଇଁ ଘଟଣାସ୍ଥଳରେ ପହଞ୍ଚି ଆହତ ଗୋରୁଙ୍କ ଚିକିତ୍ସା କରିଥିଲେ। ମାଟି ଖୋଳାଯାଇ ମୃତ ଗୋରୁର ବ୍ୟବଛେଦ କରାଯାଇଥିଲା। ଜବତ ଗୋରୁ ମଧ୍ୟରେ କାଟେପୂର୍ତ୍ତିନଗରର ଠିକାଦାର ରମେଶ ଚନ୍ଦ୍ର ବେହେରାଙ୍କ ଗାଈ ଠାବ କରାଯାଇଛି। ଗାଈଟି କିଛିଦିନ ପୂର୍ବରୁ ହଜି ଯାଇଥିଲା। ଜବତ ଗାଡ଼ିର ନମ୍ବର ପ୍ଲେଟ୍, ଇଞ୍ଜିନ ଓ ଚେସିସ ନମ୍ବରକୁ ଜାଲିଆତି କରାଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅବଗତ କରାଯାଇଛି।
ଅପରାଧୀମାନେ ନାରୀ ବେଶରେ ଗୋରୁ ଚାଲାଣ କରିଆସୁଥିବା ସନ୍ଦେହ
ଅବହେଳିତ ବୁଲା ଗୋରୁଗାଈଙ୍କୁ ଚୋରିକରି ଭ୍ୟାନ କଲରଙ୍ଗି ପଟୁ ଟମକା ଆଡ଼କୁ ଯାଉଥିଲା। ବାଟରେ ଗାଡ଼ିଟି ମହାବୀର ବଜାର କାଳିଆ ଚା’ ଦୋକାନକୁ ଧକ୍କା ଦେଇଥିଲା। ଗାଡ଼ି ଆଗକାଚ ଭାଙ୍ଗି ଗଳି ପଡ଼ିଥିଲା ଦୋକାନର ପାଇପ୍ ଭ୍ୟାନରେ ଲାଖି ରହିଥିଲା। ଗୁରୁତର ଆହତ ସତ୍ତ୍ବେ ଡ୍ରାଇଭର ଗାଡ଼ି ଚଳାଇ ଖସି ପଳାଇବା ଉଦ୍ୟମ କରିଥିଲା। ହେଲେ ୨ଶହ ମିଟର ପରେ ପ୍ରବଳ ଥଣ୍ଡା ପବନ ଓ ଆହତ ସମସ୍ୟା ପାଇଁ ଗାଡ଼ି ଛାଡ଼ି ପଳାଇଥିଲା। ପଛରେ ଏସ୍କର୍ଟ୍ କରୁଥିବା ଏକ ବୋଲେରୋ ଡ୍ରାଇଭର ଓ ଅନ୍ୟ ୨ ସହଯୋଗୀଙ୍କୁ ଉଠାଇ ନେଇଥିଲା। ଉକ୍ତ ଭ୍ୟାନ୍ରୁ ଏକାଧିକ ସାନ୍ତାଳୀ ଶାଢ଼ି ଓ କିଛି ନାରୀ ପ୍ରସାଧନ ସାମଗ୍ରୀ ମିଳିଛି। ଅପରାଧୀମାନେ ମଉକା ଦେଖି ନାରୀ ବେଶରେ ପୁଲିସ ଓ ଜନସାଧାରଣଙ୍କୁ ଭୁଆଁ ବୁଲାଇ ଗୋରୁ ଚାଲାଣ କରିଆସୁଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏହି ଗାଡ଼ି ଉପରେ ୧, ୩୭, ୦୦୦ ଟଙ୍କାର ଫାଇନ ଅନାଦେୟ ରହିଛି। ଏ ସଂକ୍ରାନ୍ତରେ କେସ୍ ନମ୍ବର ୭/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି।
Follow Us