ପୁରୁଣା କଟକ(ସିମୁନ ନାଏକ): ବାଇକ ଆରୋହୀଙ୍କୁ ଧକ୍କା ଦେଲା ହାଇୱା। ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ। ମୃତକ ଜଣକ ହେଲେ ବାହାଲି ଗାଁର ସୁନୀଲ ପାତ୍ର। ବୌଦ୍ଧଜିଲ୍ଲା ପୁରୁଣା କଟକ ଥାନା ଏକତାଳ ଛକରେ ଦୁର୍ଘଟଣା। ଘଟଣା ସ୍ଥଳରେ ପୁରୁଣା କଟକ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। 

Advertisment

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଲା ହାଇୱା

ସୂଚନା ମୁତାବକ, ପୁରୁଣା କଟକ ଥାନା ବାହାଲି ଗ୍ରାମର ସୁନୀଲ ପାତ୍ର ଗାଁରୁ ଚାରିଛକ ଆଡକୁ ଏକ ବାଇକ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଏକ ହାଇୱା ଆସି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସୁନୀଲଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ହାଇୱା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା ।

ଆହୁରି ପଢ଼ନ୍ତୁ:Obscene Dancing In Opera: ଅପେରାର ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ, ସାଧାରଣରେ ନିନ୍ଦା

ଏକତାଳ ଛକ ନିକଟରେ ଏଭଳି ଲୋମଟାଙ୍କୁରା ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରୁ ହାଇୱା ଚାଳକ ଫେରାର ମାରିଥିବା ଜଣାପଡ଼ିଛି। ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରିଥିବା ବେଳେ ପୁଲିସ ସେମାନଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।

ବସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ କୁଣ୍ଡୁପୁର୍ ନିକଟରେ ଘନ କୁହୁଡ଼ି କାରଣରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲେଶ୍ଵରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ କାର ସାମ୍ନାପଟୁ ଏକ କଣ୍ଟେନରକୁ ଧକ୍କା ଦେବା ଫଳରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି।

ଆହୁରି ପଢ଼ନ୍ତୁ: Dead Body Father Rescued ସକାଳେ ମିଳିଲା ବାପାଙ୍କ ମୃତଦେହ, କେମିତି ଚଳିବେ ଅନାଥ ପାଞ୍ଚ ଝିଅ

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଅଞ୍ଚଳର ଶୁଭମ୍ ମିଶ୍ର ଓ ଆଜରୁଲ ଖାଁ ନାମକ ଦୁଇ ବନ୍ଧୁ କୌଣସି କାର୍ଯ୍ୟ ସାରି ବାଲେଶ୍ଵରରୁ ବିଳମ୍ବିତ ରାତ୍ରରେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା କମ୍ ଥିବାରୁ କାରଟି କଣ୍ଟେନରକୁ ଧକ୍କା ଦେଇଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ, କଣ୍ଟେନରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କାରରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଜାତୀୟ ରାଜପଥ ପ୍ରହରା ପୁଲିସ ଓ ବସ୍ତା ପୁଲିସ ଆହତ ଦୁଇଜଣଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଛନ୍ତି।

ଡାକ୍ତରଖାନାରେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଥିବା ବେଳେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।