ରାଉରକେଲା: ହସ୍ପିଟାଲରେ ୧୩ ଦିନ ଚିକିତ୍ସାହେବା ପରେ ସୁସ୍ଥହୋଇ ଶୁକ୍ରବାର ଘରକୁ ଫେରିଛନ୍ତି କୋ-ପାଇଲଟ୍‌ ତରୁଣ ଶ୍ରୀବାସ୍ତବ। ତରୁଣଙ୍କୁ କେକ୍‌ କାଟି ଓ ପୁଷ୍ପଗୁଚ୍ଛ ଦେଇ ହସ୍ପିଟାଲରୁ ବିଦାୟ ଦିଆଯାଇଥିଲା। ସାଥିରେ ଥିଲେ ତରୁଣଙ୍କ ପତ୍ନୀ ଓ ପରିବାର ଅନ୍ୟ ସଦସ୍ୟ।

Advertisment

ଭଗବାନ ଓ ଡାକ୍ତରୀଟିମ୍‌ର ଚିକିତ୍ସାରୁ ଦ୍ବିତୀୟ ଜନ୍ମ ପାଇଛି

ଗତ ୧୦ ତାରିଖ ବିମାନ ଦୁର୍ଘଟଣା ସମ୍ପର୍କରେ ଛାତିଥରା ଅନୁଭୂତି ସାମ୍ବାଦିକଙ୍କ ଆଗରେ କହିଥିଲେ। ବିମାନ ଦୁର୍ଘଟଣା ସମୟରେ ସେ ବେହୋସ ହୋଇଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ କିଛି ଜାଣିପାରି ନଥିଲେ। ‌ କେବଳ ଏତିକି ମନେ ଅଛି ମୋତେ ଜଣେ ଯୁବକ ବିମାନ ଭିତରୁ ବାହାର କରି ଗାଡ଼ିରେ ବସାଇଥିଲେ। ହୋସ ଆସିବାବେଳେ ସେ ହସ୍ପିଟାଲ ଆଇସିୟୁରେ ଥିଲେ। ମୁଣ୍ଡ, ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଡାକ୍ତର ଅରୁଣ କୁମାର ସାହୁ, ଡାକ୍ତର ହିମାଂଶୁ, ଡାକ୍ତର ପ୍ରିୟଙ୍କା ନେତୃତ୍ବରେ ଗଠିତ ଡାକ୍ତରୀଟିମ୍‌ ତାଙ୍କର ଜୀବନ ବଞ୍ଚାଇଛନ୍ତି। ଭଗବାନ ଓ ଡାକ୍ତରୀଟିମ୍‌ର ଚିକିତ୍ସାରୁ  ଦ୍ବିତୀୟ ଜନ୍ମ ପାଇଛି। କୌଣସି ପରିସ୍ଥିତିରେ ଭୟ କରିବାର ନାହିଁ। ନିଜର କର୍ତ୍ତବ୍ୟ ଧୈର୍ଯ୍ୟର ସହ କରିବାର ଅଛି। ଯାହା ସେ ଓ ତାଙ୍କ ସହଯୋଗୀ ପାଇଲଟ୍‌ କରିଥିବାରୁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପାଇଲଟ୍‌ ପୋଷାକ ପିନ୍ଧି ପୁଣି ବିମାନ ଉଡ଼ାଇବି। ଭୁବନେଶ୍ବରରୁ ରାଉରକେଲା ବିମାନ ଉଡ଼ାଇ ଆସିବି। ଆପଣମାନେ ମୋତେ ପାଇଲଟ୍‌ ପୋଷାକରେ ଖୁୂବ୍‌ ଶୀଘ୍ର ଦେଖିବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: Hockey: ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି: ସମ୍ବଲପୁରର କ୍ରମାଗତ ବିଜୟ

 ଗତ ଚାରିଦିନ ତଳେ ପାଇଲଟ୍‌ ନବୀନ କାଡଙ୍ଗା ସୁସ୍ଥ ହୋଇ ଘରକୁ ଫେରିଥିଲେ। ଦୁଇ ଦିନ ପୂର୍ବରୁ ରାଉରକେଲାରୁ ମୁମ୍ବାଇ ଏୟାର ଲିଫ୍ଟ ହୋଇଥିବା ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା ସୁସ୍ଥ ଭୁବନେଶ୍ବରସ୍ଥ ଘରକୁ ଫେରିଛନ୍ତି। ଶନିବାର ମୃତ ସୁଶାନ୍ତଙ୍କ ଭଉଣୀ ଅନିତା ସାହୁଙ୍କୁ ଡିସ୍‌ଚାର୍ଜ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: Supreme Court: ଅନିଲ ଅମ୍ବାନୀକୁ ସୁପ୍ରିମକୋର୍ଟଙ୍କ ସାନି ନୋଟିସ

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଭୁବନେଶ୍ବରରୁ ରାଉରକେଲା ଉଡାଣଭରିଥିବା ୯ ଆସନ ବିଶିଷ୍ଟ ଘ‌ରୋଇ ବିମାନ ଇଣ୍ଡିଆ ୱାନ୍‌ ଏୟାର୍‌ ଲାଠିକଟା କଂସର ଗୋଡିଆଟୋଲର ବିଲ୍‌ରେ ଖସି ପଡିଥିଲା। ପାଇଲ୍‌ଟ ନବୀନ, କୋ ପାଇଲଟ୍‌ ତରୁଣ, ଯାତ୍ରୀ ସୁନୀଲ ଓ ତାଙ୍କ ପତ୍ନୀ ସବିତା, ରାଉରକେଲା ବେଦବ୍ୟାସର ସୁଶାନ୍ତ କୁମ୍ବାର ବିଶ୍ବାଳ ଓ ତାଙ୍କ ଭଉଣୀ ଅନିତା ସାହୁ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ବିମାନରୁ ସୁରକ୍ଷିତ ଭାବେ ଉଦ୍ଧାର କରି ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିନକ ପରେ ସୁନୀଲ ଓ ତାଙ୍କ ପତ୍ନୀଙ୍କୁ ମୁମ୍ବାଇ ଏୟାର ଲିଫ୍ଟ କରାଯାଇଥିଲା। ସୁଶାନ୍ତଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଉଥିବାବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। କେମିତି ବିମାନ ଦୁର୍ଘଟଣା ଘଟିଲା, ମାସକ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ସରକାରଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।