ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ଆର୍ଯ୍ୟନ କୋଲ ୱାସେରି ହେଲା ସିଲ୍‌

ସୁନ୍ଦରଗଡ଼ ଜିଲ୍ଲା ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳରେ ବେଆଇନ ଖଣିରୁ କୋଇଲା ଚୋରି ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଏ ଖବର ସାମ୍ନାକୁ ଆଣିବା ପରେ ଚୋରାଖଣି, କାରଖାନା, କୋଲ୍‌ ୱାସେରି ଉପରେ ଚଢ଼ଉ ଜାରି ରହିଛି।

ଅଦ୍ୟତନ ହୋଇଛି

ସୁନ୍ଦରଗଡ଼: ବେଆଇନ୍‌ ଭାବେ ପରିଚାଳିତ କୋଲ ୱାସେରି ବିରୋଧରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବୁଧବାର କଡ଼ାକାର୍ଯ୍ୟାନୁଷ୍ଠାନ ନେଇଛି। ହେମଗିରି ତହସିଲ ଅଧୀନ କନିକା ନିକଟସ୍ଥ ଜଙ୍ଗଲରେ ଦୁଇଟି ସ୍ଥାନରେ ବେଆଇନ୍‌ ଭାବେ ପରିଚାଳିତ ହେଉଥିବା ଆର୍ଯ୍ୟନ କୋଲ୍ ୱାସେରିକୁ ପ୍ରଶାସନ ସିଲ୍‌ କରିଦେଇଛି। ଆର୍ଯ୍ୟନ କୋଲ୍ ୱାସେରିର ପାହାଡ଼ ଉଚ୍ଚର ହଜାର ହଜାର ଟନ୍ ବେଆଇନ କୋଇଲା କାରବାର ନେଇ ଅଭିଯୋଗ ହେଲା ପରେ ପ୍ରଶାସନ ଏହାକୁ ନିର୍ଦ୍ଧାରିତ ସମୟରେ ଠାବ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। 

ଏଥି ସହିତ ବେଆଇନ କୋଇଲା ଗଚ୍ଛିତ ରଖିଥିବା ଘଟଣାରେ ଜିଲ୍ଲା ପ୍ରଶାସନ ଆର୍ଯ୍ୟନ କୋଲ ୱାସେରିର ଲାଇସେନ୍ସକୁ ରଦ୍ଦ କରିଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଉପଜିଲ୍ଲାପାଳ ଦାଶରଥି ସରାବୁ, ସ୍ଥାନୀୟ ଏସ୍‌ଡିପିଓ ନିର୍ମଳ ମହାପାତ୍ର, ତହସିଲଦାର ସାରିକାରାଣୀ ଧମେଲ, ଖଣି ବିଭାଗର କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।  

publive-image

ସୁନ୍ଦରଗଡ଼ ଜିଲ୍ଲା ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳରେ ବେଆଇନ ଖଣିରୁ କୋଇଲା ଚୋରି ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଏ ଖବର ସାମ୍ନାକୁ ଆଣିବା ପରେ ଖଣି ବିଭାଗ, ରାଜସ୍ବ, ବନ ବିଭାଗ ଓ ପୁଲିସ ୧୦ ଦିନ ଧରି ଅଞ୍ଚଳର ଚୋରାଖଣି, କାରଖାନା, କୋଲ୍‌ ୱାସେରି ଉପରେ ଚଢ଼ଉ କରିଥିଲେ। ଏହା ପରେ ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଖଣି, ଭୂତତ୍ତ୍ବ ବିଭାଗର ୯ ଜଣିଆ ଟିମ୍ ଆସି ଦୁଇ ଦିନ ତନାଘନା କରି ଫେରି ଯାଇଥିଲେ। ତେବେ ଚଢ଼ଉ ଓ ଯାଞ୍ଚ ବନ୍ଦ ହେବା ପରେ ମଙ୍ଗଳବାର ଏକ ବଡ଼ଧରଣର କୋଇଲା ଲୁଟ୍ ଘଟଣା ସାମନାକୁ ଆସିଥିଲା। 

ଆର୍ଯ୍ୟନ କୋଲ୍ ୱାସେରିର ପାହାଡ଼ ଉଚ୍ଚର ହଜାର ହଜାର ଟନ୍ ବେଆଇନ କୋଇଲା ଠାବ ହୋଇଛି। ୱାସେରିଠାରୁ ୨ କିଲୋମିଟର ଦୂର ଏକ ଜଙ୍ଗଲ ମଝିରେ ଆର୍ଯ୍ୟନର ୨ ଏକର ଜମିରେ ୧୨ ହଜାର ଟନ୍ ଓ ୱାସେରି ନିକଟ ଜଙ୍ଗଲରେ ୨ ଏକର ଜମିରେ ଲକ୍ଷାଧିକ ଟନ୍ କୋଇଲା ଗଚ୍ଛିତ ରଖାଯାଇଛି। ୧୦ ତାରିଖରେ ମିଳିତ ଟିମ୍ ଆର୍ଯ୍ୟନ କୋଲ୍ ୱାସେରିରେ ଚଢ଼ଉ କରି ଯାଞ୍ଚ କଲା ବେଳେ ରେଜିଷ୍ଟର୍‌ରେ ଷ୍ଟକ୍‌ ଥିବା କୋଇଲାରୁ ୨୮ ଶହ ଟନ୍ କମ୍ ଥିବା ଜଣାପଡ଼ିଥିଲା। ତା’ର ୫ ଦିନ ପରେ ୱାସେରିଠାରୁ ୨ କିଲୋମିଟର ଦୂରରେ ଏତେ ପରିମାଣର କୋଇଲା ଠାବ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। 

publive-image

ମଙ୍ଗଳବାର ଜିଲ୍ଲା ପ୍ରଶାସନକୁ ଏହି ଚୋରା କୋଇଲା ସଂପର୍କରେ ସୂଚନା ମିଳିବା ପରେ ଉପଜିଲ୍ଲାପାଳ ଶ୍ରୀ ସରାବୁଙ୍କ ନିର୍ଦ୍ଦେଶରେ ହେମଗିରି ତହସିଲଦାର ସାରିକାରାଣୀ ଧମେଲ ଓ ପୁଲିସ ଟିମ୍ ପହଞ୍ଚି ତନାଘନା କରିଥିଲେ। ତହସିଲଦାର ଆର୍ଯ୍ୟନ କୋଲ୍ ୱାସେରିର ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ହେଲେ ୱାସେରି ବାହାରେ କୋଇଲା ରଖିବା ନେଇ ଖଣି ବିଭାଗ କିମ୍ବା ପ୍ରଶାସନଠାରୁ କୌଣସି ଅନୁମତି ନିଆଯାଇ ନଥିବା ଜଣାପଡ଼ିଥିଲା। ଏ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ପ୍ରଶାସନ ମଙ୍ଗଳବାର ଗୋଟିଏ ଗଦାରୁ ୯୫୯୫ ଟନ୍‌ କୋଇଲା ଜବତ କରିଥିଲା। ଆଜି ପୁଣି ଚଢ଼ଉ କରିଥିଲା। କମ୍ପାନି ନାମରେ ଖଣି ବିଭାଗ ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ ହେମଗିର ଥାନାରେ ଏତଲା ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ପୁଣି ଏକ ଚୋରା ଖଣିରେ ଚଢ଼ଉ; ଜେସିବି ଜବତ

ଉଲ୍ଲେଖଯୋଗ୍ୟ ଯେ ହେମଗିର ଗୋପାଳପୁର ଅଞ୍ଚଳରେ ଖଣିଲୁଟ୍ ଘଟଣା ପଦାକୁ ଆସିବା ପରେ ତେଲେନଡିହି, ରତନସରା, ଭୋଗ୍ରାକଛାରର ଚୋରାଖଣିର କୋଇଲା କୋଲ୍‌ ୱାସେରି ଓ କୋଲ୍‌ ଡିପୋମାନଙ୍କୁ ଯାଉଥିବା ସନ୍ଦେହ ଉପୁଜିଥିଲା। ଅଞ୍ଚଳର ସମସ୍ତ କୋଲ୍‌ ୱାସେରି ଓ କୋଲ୍‌ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକ୍‌ର ହିସାବ ନେବା ପାଇଁ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିରି ତହସିଲଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଯଦି ହିସାବରୁ ଅଧିକ କୋଇଲା ବାହାରିଲା, ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ତଦନ୍ତକାରୀ ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ, ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ର ଓ ଟିମ୍‌ ୧୦ ତାରିଖରେ ହେମଗିରି ବ୍ଲକ୍‌ କନିକାସ୍ଥ ଆର୍ଯ୍ୟନ(ଏସିବି) କୋଲ୍‌ ୱାସେରିରେ ଚଢ଼ଉ କରି ଦିନତମାମ କୋଇଲା ଷ୍ଟକ୍‌ ଯାଞ୍ଚ କରିଥିଲେ। ସେଦିନ ଆର୍ଯ୍ୟନ କୋଲ୍‌ ୱାସେରିରେ ଯାଞ୍ଚ ବେଳେ ଷ୍ଟକ୍‌ ଠାରୁ ୨୮ ଶହ ଟନ୍‌ କୋଇଲା କମ୍‌ ଥିବା ଜଣାପଡ଼ିଥିଲା।

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe