ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’ର ଗତି ଏବଂ ଅବସ୍ଥିତି ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋନ୍ଥା ଗତ ୬ ଘଣ୍ଟାରେ ୧୫ କିଲୋମିଟର ପ୍ରତିଘଣ୍ଟା ବେଗରେ ଗତି କରି ଆଜି ସକାଳ ୫.୩୦ ରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଆଜି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତିକରି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ

Advertisment

 ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ

ପବନର ବେଗ ୯୦-୧୦୦ କିଲୋମିଟର ପ୍ରତି ଘଣ୍ଟା ରହିବ।  ଝଟକା ପବନ ୧୧୦ ପର୍ଯ୍ୟନ୍ତ ରହିବ । ଏହା ସହ  ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ବଳବତ୍ତର ରହିଛି ରେଡ଼ ୱାର୍ନିଂ । ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଓ ଅନ୍ୟ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ରହିଛି ।

୨୯ ତାରିଖ ସକାଳ ସାଢ଼େ ୮ଟାରୁ ୩୦ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଘଣ୍ଟା ପ୍ରତି ୫୦ରୁ ୭୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱା‌ର୍ଣ୍ଣିଂ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: Chhath Puja: ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସୂଚନା ଅନୁଯାୟୀ, ସମୁଦ୍ର ସ୍ଥିତି ଅଧିକ ଖରାପ ହୋ‌ଇଛି। ଉଚ୍ଚରୁ ଅତି ଉଚ୍ଚ ଜୁଆର ଉଠୁଛି। ୨୮ ତାରିଖ ସକାଳଠାରୁ ୨୯ ତାରିଖ ସକାଳ ମଧ୍ୟରେ ଅତ୍ୟନ୍ତ ଉଚ୍ଚର ଜୁଆର ରହିବ ଏବଂ ସମୁଦ୍ର ଅଶାନ୍ତ ପ୍ରକ୍ରିୟା ଲାଗିରହିବ। ୨୮ ତାରିଖ ସକାଳଠାରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା‌ପ୍ରତି ୬୦ରୁ ୭୦ କିମି ବେଗରେ ପବନ ହେବ। ଝଟକା ପବନର ବେଗ ୮୦ କିମି ଛୁଇଁପାରେ। ଆଖପାଖ ଅଞ୍ଚଳରେ ପବନର ବେଗ ସାମାନ୍ୟ କମ୍‌ ରହିବ। ଅନୁରୂପ ଭାବେ ଉତ୍ତର ଓଡ଼ିଶା ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପବନର ବେଗ ୫୦ରୁ ୭୦ କିମି ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୨୪ ଘଣ୍ଟା ଓଡ଼ିଶା ଉପକୂଳ ସମ୍ପୂର୍ଣ୍ଣ ଅଶାନ୍ତ ରହିବ। ତେଣୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପଗସାର, ଓଡ଼ିଶା ଉପକୂଳ ଓ ନିକଟବର୍ତ୍ତୀ ଅଞ୍ଚଳ ଏବଂ ୨୮ ଓ ୨୯ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶାର ସମସ୍ତ ବନ୍ଦର ପାଇଁ ଦୁଇ ନମ୍ବର ସିଗନାଲ୍‌ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: The ‘Montha’: ଭୀଷଣ ହେଉଛି ‘ମୋନ୍ଥା’: ସନ୍ଧ୍ୟା ପରେ ‘ମୋନ୍ଥା’ ମାଡ଼, କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁବ

Cyclone Montha