PIL Odisha High Court ହାଇକୋର୍ଟରେ ଇଚ୍ଛାମୃତ୍ୟୁ ସଂପର୍କିତ ଜନସ୍ବାର୍ଥ ମାମଲା, ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଇଚ୍ଛାମୃତ୍ୟୁ ପ୍ରସଂଗକୁ ନେଇ ଦାୟର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ High Court ନିର୍ଦ୍ଦେଶ ଦେଇଛନ୍ତି।

HC

High Court directs state government regarding euthanasia Photograph: (Sambad.in)

କଟକ: ଇଚ୍ଛାମୃତ୍ୟୁ ପ୍ରସଂଗକୁ ନେଇ ଦାୟର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ୨୦୨୩, ଜାନୁଆରି ୨୪ର ନିର୍ଦ୍ଦେଶ ଅନୁସାରେ ଏକ କମିଟି ୨୦୨୩, ସେପ୍ଟେମ୍ବର ୭ରେ ଗଠନ କରାଯାଇଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡାକ୍ତର ବି.କେ.ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନ୍ୟ ୯ଜଣ ସଦସ୍ୟଙ୍କୁ ନେଇ ଏହି କମିଟିର ପୁନର୍ଗଠନ କରାଯିବା ନେଇ ୨୦୨୫, ଏପ୍ରିଲ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି କମିଟିର ବୈଠକ ମେ ୨୦ରେ ଅନୁଷ୍ଠିତ ହୋଇଥିଲା। ପ୍ରାଥମିକ ଭାବେ ଆଡଭାନ୍ସ ମେଡିକାଲ ଡାଇରେକ୍ଟିଭ୍‌ (ଏଏମଡି) ମେଡିକାଲ କଲେଜ, ସୁପରସ୍ପେଶାଲିଟି ହସ୍ପିଟାଲ, ଅସାଧ୍ୟ ରୁପରେ ବେମାର ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ପାଇଁ କମିଟି ପରାମର୍ଶ ଦେଇଛି। କମିଟି ପରାମର୍ଶ ଅନ୍ତର୍ଭୁକ୍ତ କରି ଚିଠା ପ୍ରସ୍ତାବ କମିଟି ସଦସ୍ୟଙ୍କ ନିକଟରେ ଉପସ୍ଥାପନ କରାଯାଇଛି ବୋଲି ସରକାରଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଥିଲା।

ଜଣେ ବ୍ୟକ୍ତିଙ୍କର ସମ୍ମାନର ସହିତ ବଞ୍ଚିବା ତଥା ସମ୍ମାନର ସହିତ ମୃତ୍ୟୁର ଅଧିକାର ରହିଛି

 ଅନ୍ୟପକ୍ଷରେ ଦୁଇ ବର୍ଷ ହେବ ରାଜ୍ୟ ସରକାର କଣ କରୁଛନ୍ତି ବୋଲି ଶୁଣାଣି ବେଳେ ପ୍ରଶ୍ନ ଉଠିଲା। ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ସାନି ସ୍ଥିତି ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଡକ୍ଟର କହ୍ନେୟାଲାଲ୍ ଶର୍ମାଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଡିସେମ୍ବର ୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜଣେ ବ୍ୟକ୍ତିଙ୍କର ସମ୍ମାନର ସହିତ ବଞ୍ଚିବା ତଥା ସମ୍ମାନର ସହିତ ମୃତ୍ୟୁର ଅଧିକାର ରହିଛି। ଯଦି ‌କୌଣସି ରୋଗରୁ ବ୍ୟକ୍ତି ଆରୋଗ୍ୟ ହେବାର ଆଉ ସମ୍ଭାବନା ନଥାଏ ତେବେ ସେ ସମ୍ମାନର ସହ ନିଜ ଇଚ୍ଛା ଅନୁସାରେ ଜୀବନ ଯେପରି ତ୍ୟାଗ କରିପାରିବେ ସେଥି ପାଇଁ ଆଇନଗତ ବ୍ୟବସ୍ଥା ହେବା ଉଚିତ। ଭାରତରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ ନଥିବା ବେଳେ ପଞ୍ଜୀକୃତ ‌ସୋସାଇଟି କମନ୍ କଜ୍ ପକ୍ଷରୁ ଏହି ପ୍ରସଂଗ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା।

ଆହୁରି ପଢ଼ନ୍ତୁ Debashis' explosive statement: ବିଜେଡି ସ୍ଥିତିକୁ ନେଇ ଦେବାଶିଷଙ୍କ ବିସ୍ଫୋରକ ବୟାନ

 ୨୦୨୩ରେ ସୁପ୍ରିମକୋର୍ଟ ଏହି ମାମଲାରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ରାୟର ନକଲ ଦେଶର ସବୁ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ଭାବେ ରାଇଟ ଟୁ ଡାଏ ୱିଥ ଡିଗନିଟି ବା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର ଲାଗୁ କରିଥିଲା। କିନ୍ତୁ ଓଡ଼ିଶାରେ ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନାହିଁ। ଆବେଦନକାରୀ ଏହି ପ୍ରସଂଗ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନଥିଲା। ଏହାପରେ ହାଇକୋର୍ଟରେ ଆବେଦନକାରୀ ଏହି ପ୍ରସଂଗ ନେଇ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଲିଭିଙ୍ଗ୍ ୱିଲ ଓ ଆଡଭାନ୍ସ ଡିରେକ୍ଟିଭ୍ ବ୍ୟବସ୍ଥା ନେଇ ରାଜ୍ୟ ସରକାର ନିୟମ ଆଣିବା ଉଚିତ। ଲିଭିଙ୍ଗ୍ ୱିଲ ଓ ଆଡଭାନ୍ସ ଡିରେକ୍ଟିଭ୍ ଏକ ଇଚ୍ଛାପତ୍ର ଭଳି ଯାହା ସଂପୃକ୍ତ ବ୍ୟକ୍ତିଙ୍କ ଜୀବଦଶା ଭିତରେ କାର୍ଯ୍ୟକାରୀ ହୋଇଥାଏ।

ଆହୁରି ପଢ଼ନ୍ତୁ Shreemayee Mishra, BJD: ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ପରେ ବିଜେଡିକୁ ଶ୍ରୀମୟୀଙ୍କ ‘ବିପ୍ଳବ-ବିଦ୍ରୋହ-ବିନାଶ’ର ବାଣ !

ହିନ୍ଦୁ ଉତ୍ତରାଧିକାରୀ ଆଇନ ଭଳି ମୃତ୍ୟୁ ପରେ ଇଚ୍ଛାପତ୍ର କାର୍ଯ୍ୟକାରୀ ନ ‌ହୋଇ ଏପରି ଇଚ୍ଛାପତ୍ର ଜୀବଦଶା ଭିତରେ କାର୍ଯ୍ୟକାରୀ ହୋଇଥାଏ। ଦୁରାରୋଗ୍ୟ ରୋଗରେ ପୀଡିତ ରୋଗୀ ଆଉ ବଞ୍ଚିବାକୁ ଯଦି ନ ଚାହିଁବେ, ତେବେ ତାଙ୍କ ଇଚ୍ଛାକୁ ସମ୍ମାନ କରାଯିବା ଉଚିତ। ସଂପୃକ୍ତ ବ୍ୟକ୍ତିଙ୍କ ଇଚ୍ଛା ଅନୁସାରେ ତାଙ୍କୁ ପ୍ରଦାନ କରାଯାଉଥିବା ଚିକିତ୍ସା ବନ୍ଦ କରିଯାଇ ମୃତ୍ୟୁ ପାଇଁ ପଥ ପରିଷ୍କାର କରାଯାଇ ପାରିବ। ବହୁ ସମୟରେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ରୋଗୀଙ୍କୁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ୍ ଶୋଷଣ କରୁଥିବା ଘଟଣା ଦେଖିବାକୁ ମିଳୁଥିବା ବେଳେ ଯଦି ସରକାର ନୂଆ ନିୟମାବଳୀ ଆଣନ୍ତି ତେବେ ଏପରି ଘଟଣା ଉପରେ ଅଙ୍କୁଶ ଲାଗି ପାରିବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପାର୍ଥ ମୁଖାର୍ଜୀ ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe