Chilika No Boat Services Till 11 Am Photograph: (sambad.in)
କୃଷ୍ଣପ୍ରସାଦ: ଚିଲିକା ପର୍ଯ୍ୟଟକଙ୍କ ପାଇଁ ସତର୍କ ସୂଚନା । ଚିଲିକା ଯିବାକୁ ଚିନ୍ତା କରୁଥିଲେ ଜାଣିରଖନ୍ତୁ ଏହି ଖବର । କୁହୁଡ଼ି ପାଇଁ ଚିଲିକାରେ ଡଙ୍ଗା ଚଳାଚଳକୁ ନେଇ ଲାଗିଲା କଟକଣା । ଗତକାଲିର ଅଘଟଣ ପରେ ପୁରୀ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଦିନ ୧୧ଟା ପର୍ଯ୍ୟନ୍ତ ଚିଲିକାରେ କୌଣସି ପ୍ରକାର ଡଙ୍ଗା ଚାଲିବନି। ପର୍ଯ୍ୟଟକଙ୍କ ବୋଟ୍, ଛୋଟ ମଟର, ମାଲ ବାହୀ ଡଙ୍ଗା ଓ ଭସାପୋଲ ସବୁକିଛିରେ କଟକଣା ଲଗାଇଛନ୍ତି ପୁରୀ ଜିଲ୍ଲାପାଳ। ପ୍ରବଳ କୁହୁଡ଼ିରେ ଚିଲିକା ଅଞ୍ଚଳରେ ଦୃଶ୍ୟମାନତା କମୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି।
କୁହୁଡ଼ି ଯୋଗୁଁ ବାରମ୍ବାର ଦୁର୍ଘଟଣା
କୁହୁଡ଼ି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଘନ କୁହୁଡ଼ି ସମୟରେ କୌଣସି ବି ପରିବହନ ଯେପରି ନ ହୁଏ ତାକୁ ନଜର ରଖିବେ ପୁଲିସ ଓ ସ୍ଥାନୀୟ ପ୍ରଶାସନ। ଏନେଇ ସ୍ଥାନୀୟ ଲୋକଙ୍କୁ ଡାକ ବାଜି ଯନ୍ତ୍ର ଦ୍ବାରା ସଚେତନ କରାଇଛନ୍ତି ସ୍ଥାନୀୟ ବିଡିଓ । ଗତକାଲି କୁହୁଡ଼ି ଯୋଗୁଁ ଏକ ଭସାପୋଲ ଚିଲିକା ମଝିରେ ଫସିଥିଲା । ସେଥିରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଏ କଡ଼ା ନିଷ୍ପତ୍ତିକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଏ ନେଇ ପୁରୀ ଏସପି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଓ କୋଣାର୍କ ପର୍ଯ୍ୟଟନ ଉନ୍ନୟନ ଅଧିକାରୀଙ୍କୁ ଚିଠି ହୋଇଛି।
ଆହୁରି ପଢ଼ନ୍ତୁ: Online Delivery Workers Strike: ଜିରୋ ନାଇଟ୍ ସେଲିବ୍ରେସନ ଆଗରୁ ଧର୍ମଘଟର ଚେକ୍ ! ଜାଣନ୍ତୁ କଣ ରହିଛି ଡେଲିଭରି ବୟଙ୍କ ଦାବି...
ରାଜ୍ୟବାସୀ ଶୀତରୁ ସାମାନ୍ୟ ଆଶ୍ବସ୍ତି ପାଇଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ଗତକାଲି ନୟାଗଡ଼, ଅନୁଗୁଳ, ସମ୍ବଲପୁର, ତାଳଚେର, ଢେଙ୍କାନାଳ ଓ ବୌଦ୍ଧରେ ଅତି ଘନକୁହୁଡ଼ି ଯୋଗୁଁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖରା ବାହାରି ନଥିଲା। ଏସବୁ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ୍ ରହିଥିଲା। ଏଥିସହ ଭୁବନେଶ୍ବର, ପାରାଦୀପ, ଖୋର୍ଦ୍ଧା, କେନ୍ଦୁଝର, ହୀରାକୁଦ, ପାରଳାଖେମୁଣ୍ଡି, ସୋନପୁର ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଥିଲା। ତେବେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଦେଖିବାକୁ ମିଳିଛି।
Follow Us