darshan at sakhigopal temple Photograph: (sambad.in)
ସାକ୍ଷୀଗୋପାଳ/ଭୁବନେଶ୍ବର: ଆଜି ହେଉଛି ପବିତ୍ର ଅଁଳା ନବମୀ । ଏଥିଲାଗି ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର। ରାଧାପାଦ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏଠାରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପାରମ୍ପରିକ ସୁବର୍ଣ୍ଣ ଗହଣା ଗୁଡିକ ମାଆଙ୍କ ପାଖରେ ଲାଗି କରାଯାଇଛି। ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ ନୃତ୍ୟରତ ଭଙ୍ଗିରେ ଶୋଭାପାଉଛନ୍ତି । ଭୋର୍ ୫ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ମଧ୍ୟରେ ଯାଇ ମା’ଙ୍କ ପାଦଦର୍ଶନ କରୁଛନ୍ତି। ଉତ୍ତର ଭାରତରୁ ଆସିଥିବାରୁ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ବର୍ଷସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ। ପବିତ୍ର ଅଁଳାନବମୀ ତିଥିରେ ଗୋଟିଏ ଦିନ ପାଇଁ ରାଧାରାଣୀ ଓଡ଼ିଆଣୀ ବେଶ ହୋଇ କାଣିଆ କଛା ମାରିଥାନ୍ତି। ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ। ସେଥିପାଇଁ ବର୍ଷକରେ ଥରେ ଭକ୍ତମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ। ଗତକାଲି ରାତିରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯାଇଥିଲା।
ଠାକୁର ଶ୍ରୀଗୋପାଳ ଜିଉଙ୍କର ମନୋରମ ନଟବର ବେଶ
ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରିଥିବାବେଳେ କାନିରେ ଅରୁଆ ଚାଉଳ, ଦୁବ ଓ ଗୁଆ ବନ୍ଧା ଯାଇଥିଲା। ପାଦରେ ଅଳତା ଓ ଆଖିରେ କଜ୍ବଳ ଲଗାଇବା ସହିତ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳା ଫଳମାଳ ଓ ହୀରାକଟା ଚାପସରୀ, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗପାଟିଆ ମାଳ, ସୁବର୍ଣ୍ଣ ଚକିମାଳ, ସୁବର୍ଣ୍ଣ କମରପଟି, ସୁବର୍ଣ୍ଣ ଚାରିସରିଆ ଚନ୍ଦ୍ରହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରିଆ ମାଳ, ସୁବର୍ଣ୍ଣ ତାବିଜମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖୀ ମାଳ, ପାଦରେ ସୁବର୍ଣ୍ଣ ନୁପୁର, ଘୁଙ୍ଗୁର, ବାଙ୍କୀ, ପାଦପଦ୍ମ ଓ ଚୁପୁଲି ଶୋଭା ପାଇଥିଲା। ସେହିପରି ଠାକୁର ଶ୍ରୀଗୋପାଳ ଜିଉଙ୍କର ମନୋରମ ନଟବର ବେଶ ହୋଇଛି। ଠାକୁର ନୂତନ ପାଟବସ୍ତ୍ର ପରିଧାନ କରିଛନ୍ତି। ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ସେବତୀଫୁଲ ହାର, ହସ୍ତରେ ସୁବର୍ଣ୍ଣ ବଂଶୀ, ନାସାରେ ଗଜମୁକ୍ତା, କର୍ଣ୍ଣରେ ସୁବର୍ଣ୍ଣ କୁଣ୍ଡଳ ଓ ଆଙ୍ଗୁଠିରେ ହୀରକ ମୁଦ୍ରିକା ଶୋଭା ପାଉଛି। ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ଥାକିଆ ବାଉଁଶ ନିର୍ମିତ ଛାୟାପ୍ରଦ ବ୍ୟାରିକେଡ୍ ନିର୍ମାଣ ହୋଇଛି। ଭକ୍ତମାନେ ଧାଡ଼ିରେ ଆସି ଠାକୁରଙ୍କୁ ଦର୍ଶନ କରୁଛନ୍ତି।
ଆହୁରି ପଢ଼ନ୍ତୁ: Home Guard Dies Truck Hits: ଟ୍ରକ ଧକ୍କାରେ ସୋର ଥାନାର ହୋମଗାର୍ଡଙ୍କ ମୃତ୍ୟୁ
ହଜାର ହଜାର ଭକ୍ତ ଲମ୍ବା ଧାଡ଼ିରେ ଛିଡା ହୋଇ ମା’ଙ୍କ ଦର୍ଶନ ଲାଭ କରୁଛନ୍ତି । ସେହିଭଳି ବିଶ୍ୱାସ ରହିଛି ଆଜିର ଏହି ପବିତ୍ର ଦିନରେ ଅଁଳା ଗଛ ମୂଳରେ ଲାଲୀ ସୁତା ଗୁଡ଼ାଇ ଶଙ୍ଖା ସିନ୍ଦୁର ପୂଜା କରି ଅଁଳା ଗଛ ମୂଳରେ ୭ ଥର ପରିକ୍ରମା କରିଲେ ମାନସିକ ପୂରଣ ହେବା ସହ ପରିବାରର ମଙ୍ଗଳ କାମନା ହୁଏ ବୋଲି ଆଦିମ କାଳରୁ ବିଶ୍ୱାସ ରହିଛି ।
ଆହୁରି ପଢ଼ନ୍ତୁ: Run For Unity Chief Minister: ରାଜଧାନୀରେ ଏକତା ଦୌଡ଼: ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ପୁରୀକୁ ଆସିଛନ୍ତି ଶ୍ରଦ୍ଧାଳୁ । ସେପଟେ ପଞ୍ଚୁକ ପାଇଁ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ।
Devotees
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/media_files/2025/10/31/aanla-navami-2025-10-31-09-48-33.png)