STUDENT DEATH Photograph: (sambad.in)
ରାଇରଙ୍ଗପୁର/ରାଇରଙ୍ଗପୁର ସିଟି/ ତିରିଂ: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡ ଭୁଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବଡ଼ ଅଘଟଣ ଘଟିଯାଇଛି। ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ପଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଲେ ତିରିଂ ଥାନା ଅନ୍ତର୍ଗତ ବଡ଼ ଭୁଣ୍ଡୁ ଗ୍ରାମର ଶିବ ଚରଣ ଲୋହାରଙ୍କ ପୁଅ ଅଭିର ଲୋହାର(୭)।
ତିନି ଜଣ ଛାତ୍ର ଚାପି ହୋଇଥିଲେ
ବିଦ୍ୟାଳୟ ପରିସର ମଧ୍ୟରେ ଲାଗିଥିବା ସିମେଣ୍ଟ ସୂଚନା ଫଳକ ଓଲଟି ଯିବାରୁ ସେଥିରେ ତିନି ଜଣ ଛାତ୍ର ଚାପି ହୋଇଥିଲେ। ଏହି ଘଟଣାରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ଦୁଃଖଦ ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇ ଜଣ ଛାତ୍ର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ଘଟିଛି ସୀମାନ୍ତ ତିରିଂ ଥାନା ଅଞ୍ଚଳରେ।
ଆହୁରି ପଢ଼ନ୍ତୁ: Vigilance Raid Ranger ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭଜିଲାନ୍ସ ଚଢ଼ାଉ
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୩.୩୦ ସମୟ ତିରିଂ ବ୍ଲକର ସାନଭୁଣ୍ଡୁ ଗ୍ରାମ ପଞ୍ଚାୟତ ଅଂଚଳ ବଡ଼ଭୁଣ୍ଡୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ନିକଟରେ ଛାତ୍ରମାନେ ଖେଳୁ ଥିଲେ। ସେହି ସମୟରେ ଦୁର୍ବଳ ସିମେଣ୍ଟ ସୂଚନା ଫଳକ ଓଲଟି ଯାଇ ନିକଟରେ ଖେଳୁଥିବା ଛାତ୍ର ମାନଙ୍କ ଉପରେ ଚାପି ହୋଇଯାଇ ଥିଲା। ଏହା ପରେ ନିକଟରେ ଥିବା ଅନ୍ୟ ଛାତ୍ର ଓ ଶିକ୍ଷକ ମାନେ ଫଳକ ତଳେ ଚାପି ହୋଇ ଥିବା ତିନି ଜଣ ଛାତ୍ର ମାନଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ମଧ୍ୟରେ ଜଣେ ଗୁରୁତର ପ୍ରଥମ ଶ୍ରେଣୀ ଛାତ୍ର ଅଭିର ଲୋହାର(୭ବର୍ଷ) କୁ ଉଦ୍ଧାର କରି ବିଦ୍ୟାଳୟ ଶିକ୍ଷକମାନେ ତିରିଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସକମାନେ ଛାତ୍ର ଅଭିରକୁ ମୃତ ଘୋଷଣା କରିଥିଲେ।
ମୃତ ଛାତ୍ର ବଡଭୁଣ୍ଡୁ ଗାଁର ଶିବଚରଣ ଲୋହାରଙ୍କ ପୁଅ ଅଭିର ଲୋହାର ବିଦ୍ୟାଳୟ ପ୍ରଥମ ଶ୍ରେଣୀରେ ପଢୁଥିଲା। ଅନ୍ୟ ଦୁଇ ଜଣ ଛାତ୍ର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସୂଚନା ପରେ ତିରିଂ ଥାନା ପୁଲିସ ସେଠାକୁ ଯାଇ ଛାତ୍ର ର ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି।
ଘଟଣାକୁ ନେଇ ତିରିଂ ଥାନାରେ କେସ ନମ୍ବର ୨୨/୨୦୨୫ ରେ ଏକ ଅସ୍ୱାଭାବିକ ମୃତ୍ୟୁର ମାମଲା ରୁଜୁ ହୋଇଛି। ଶନିବାର ଦିନ ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଆର୍ଥିକ ବର୍ଷ ୨୦୨୨- ୨୩ ରେ ତିରିଂ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶୌଚାଳୟ ନିର୍ମାଣ କରାଯିବା ପାଇଁ ବିଦ୍ୟାଳୟ ପରିସର ପାଚେରୀ ସଂଲଗ୍ନ ଏକ ସିମେଣ୍ଟ ସୂଚନା ଫଳକ ନିର୍ମାଣ କରାଯାଇଥିଲା। ସମ୍ପୃକ୍ତ ସୂଚନାଫଳକ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁଁ ଦୁର୍ବଳ ହୋଇଯାଇଥିଲା ଓ ଛାତ୍ରମାନେ ଫଳକ ନିକଟରେ ଖେଳୁଥିବା ବେଳେ ତାହା ଓଲଟି ପଡିଥିଲା ବୋଲି ଅଭିଯୋଗ ହୋଇଛି।
Follow Us