ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଅତ୍ୟନ୍ତ ଜରୁରୀ। କିନ୍ତୁ ବାସ୍ତବରେ ବ୍ୟସ୍ତବହୁଳ ସମାଜରେ ଏହା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ। ଅର୍ଥ ଉପାର୍ଜନକୁ ଅଧିକ ଗୁରୁତ୍ବ ପ୍ରଦାନ କରିବା ଦିଗରେ ଯୁବପିଢ଼ି ଦିନରାତି କାମ କରୁଛନ୍ତି। ଫଳରେ ଦିନକୁ ଦିନ ବଦଳୁଥିବା ଜୀବନଶୈଳୀରେ ନିଜ ପ୍ରତି ଧ୍ୟାନ ଦେଇପାରୁ ନଥିବାରୁ ଲୋକଙ୍କ ମଧ୍ୟରେ ଅବସାଦ, ଉଚ୍ଚ ରକ୍ତଚାପ, ମଧୁମେହ, ମେଦ ବହୁଳତା ଓ ନିଦ୍ରାହୀନତା ପରି ସମସ୍ୟା ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ପାଇଁ ବ୍ୟାୟାମ ବ୍ୟତୀତ ଜୁମ୍ବା ଏକ ଭଲ ଉପାୟ।
୧୯୯୦ ମସିହାରେ କଲମ୍ବୋର ଆଲବେଟୋ ନାମକ ଜଣେ ନୃତ୍ୟଶିଳ୍ପୀ ଫିଟ୍‌ନେସ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରିଥିଲେ ‘ଜୁମ୍ବା ଡ୍ୟାନ୍ସ’। ଜୁମ୍ବା ଶବ୍ଦର କୌଣସି ନିର୍ଦିଷ୍ଟ ଅର୍ଥ ନଥିଲେ ମଧ୍ୟ ଜୁମ୍ବା ରିଦିମରୁ ଏହାର ସୃଷ୍ଟି। କାର୍ଡିଓ ଏବଂ ଲାର୍ଟିନ୍‌ ଡ୍ୟାନ୍ସର ଏକ ମିଳିତ ରୂପ ହେଉଛି ଜୁମ୍ବା। ବିଶ୍ବ ସ୍ତରରେ ଏହାର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ଲୋକପ୍ରିୟତା ଅଧିକ ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ଚାହିଦା ବଢ଼ିବାରେ ଲାଗିଛି। ସଂଗୀତ ଓ ନୃତ୍ୟ ପ୍ରତି ରୁଚି ରଖୁଥିବା ଯୁବପିଢ଼ି ଜୁମ୍ବା ଡ୍ୟାନ୍ସକୁ ବେଶ୍‌ ପସନ୍ଦ କରୁଛନ୍ତି। ଟ୍ରେନିଂ ସମୟରେ, ରିଦିମ୍, କାର୍ଡିଓ, ବିଭିନ୍ନ ଅନ୍ତର୍ଜାତୀୟ ନୃତ୍ୟ ଶୈଳୀ ସମ୍ପର୍କରେ ତାଲିମ୍ ନେବାକୁ ପଡ଼େ। ଏଥି ମଧ୍ୟରେ ସାଲସା, ସାମ୍ବା, ବେଲି, ଟାଙ୍ଗୋ, ଫ୍ଲେମିଂକୋ ,ହିପ୍‌ ପପ୍‌ ନୃତ୍ୟ ଆଦିକୁ ସାମିଲ କରାଯାଇଛି। ବ୍ୟାୟାମ କଲେ ସାଧାରଣ ଭାବେ ୨୦୦ରୁ ୩୦୦ କ୍ୟାଲୋରୀ ଖର୍ଚ୍ଚ ହେଉଥିବା ବେଳେ ମାତ୍ର ଏକ ଘଣ୍ଟା‌େ‌ର ଜୁମ୍ବା ଡ୍ୟାନ୍ସରେ ୫୦୦ରୁ ୭୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଏହାଦ୍ୱାରା ଶୀଘ୍ର ଓଜନ ହ୍ରାସ ହେବା ସହ ଅବସାଦ ଦୂର ହୁଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ।

Advertisment

ଦିନକୁ ୪୫ ମିନିଟ୍‌ ଜୁମ୍ବା ଡ୍ୟାନ୍ସ୍‌ 

ଯୋଗ ମନୁଷ୍ୟ ଜୀବନ ପାଇଁ ଅପରିହାର୍ଯ୍ୟ। ଦିନକୁ ଆମେ ୪୫ ମିନିଟ୍‌ ଜୁମ୍ବା ଡ୍ୟାନ୍ସ୍‌ କରିବା ଦ୍ବାରା ଶରୀରକୁ ବହୁତ ଫାଇଦା ମିଳିଥାଏ। ଖାଦ୍ୟପେୟରେ ଅନିୟମିତତା ଓ କର୍ମକ୍ଷେତ୍ରରେ ଚାପ ଯୋଗୁଁ ଲୋକେ ନିଜ ଶରୀରର ଯତ୍ନ ନେବାକୁ ଭୁଲି ଯାଇଥାନ୍ତି। ତେଣୁ ଫିଟ୍‌ ରହିବା ପାଇଁ ଏବେ ଯୁବପିଢ଼ିଙ୍କ ଏକମାତ୍ର ମନ୍ତ୍ର ହେଉଛି ଜିମ୍‌ ଯାଇ ସୁସ୍ଥ ରହିବା। ଏହା ଶୀଘ୍ର ଓଜନ କମାଇବାରେ ସାହାଯ୍ୟ କରିଥାଏ ଏବଂ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାଦ୍ବାରା ଜଣେ ଯେ କେବଳ ଶାରୀରିକ ସ୍ତରରେ ସୁସ୍ଥ ରହେ ତାହା ନୁହେଁ ମାନସିକ ସ୍ତରରେ ଜଣେ ଖୁସି ଅନୁଭବ କରିଥାଏ। ଯଦି ଜଣେ ଜୁମ୍ବା ଶିଖିଛି ତା’ଙ୍କୁ ନାଚିବାରେ କୌଣସି ଅସୁବିଧା ହୁଏ ନାହିଁ।

ଏହି କ୍ଷେତ୍ରରେ ମିଳେ ଫାଇଦା......

    • ଅବସାଦ ଦୂର କରେ
    •  ଖାଦ୍ୟ ହଜମ କରେ
    •  ଶୀଘ୍ର ଓଜନ କମାଏ
    •  ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ
    • ମନ ଖୁସି ରଖେ
    • ଶରୀର ଫୁଟ୍‌ ରହିଥାଏ

ଆହୁରି ପଢ଼ନ୍ତୁ: ମାନସିକ ଅସୁସ୍ଥତା ପଛରେ ଜୀବନଶୈଳୀ ପରିବର୍ତ୍ତନ