ଭୁବନେଶ୍ୱର: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍ପ୍ରସ୍ତୁତ ହେବାକୁ ଯାଉଛି। ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍ରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିବା ପରେ ସରକାରଙ୍କ ପକ୍ଷରୁ ଆଉ ୨ ନୂଆ ତହସିଲ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି। ପୂର୍ବରୁ ଥିବା ୨୮ ରାଜସ୍ବ ନିରୀକ୍ଷକ (ଆର୍ଆଇ) ସର୍କଲକୁ ୩ଟି ତହସିଲ ଅଫିସ୍ଅଧୀନରେ ଭାଗ ଭାଗ କରିବା ପାଇଁ ନୀଳ ନକ୍ସା ପ୍ରସ୍ତୁତ ହୋଇଛି।
ଏବେ ଉପକଣ୍ଠରେ ଜମି କିଣାବିକା ଅଧିକ ହେଉଛି। ସହର ଖଣ୍ଡଗିରି ଓ ରସୁଲଗଡ଼ ଦିଗରେ ବଢୁଛି। ତେଣୁ ଏହି ୨ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କର ଜମି କିଣାବିକା, ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସମସ୍ୟା ହେଲେ କଳ୍ପନା ସ୍ଥିତ କାର୍ଯ୍ୟାଳୟକୁ ଦୌଡ଼ିବାକୁ ହେଉଛି। ସେଥିପାଇଁ ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ତହସିଲ ଅଧୀନରେ ସୁନ୍ଦରପଦା, ଭୁବନେଶ୍ୱର, ଇତିପୁର, ଧଉଳି ଓ ଶିଶୁପାଳ ଭଳି ୯ଟି ଆର୍ଆଇ ସର୍କଲ ରହିବାକୁ ଯୋଜନା ହୋଇଛି। ସେହିଭଳି ନୂଆ ଖୋଲା ହେବାକୁ ଥିବା ରସୁଲଗଡ଼ ଅଞ୍ଚଳରେ ଗାଡ଼କଣ, ବାସୁଆଘାଇ, ଲକ୍ଷ୍ମୀସାଗର, ଗଡ଼ଗୋବିନ୍ଦପ୍ରସାଦ, ପାଣ୍ଡରାକୁ ମିଶାଇ ୯ଟି ଆର୍ଆଇ ସର୍କଲ ରହିବ। ଖଣ୍ଡଗିରିରେ ହେବାକୁ ଥିବା ଆର୍ଆଇ ସର୍କଲରେ ପାଇକରାପୁର, ପାତ୍ରପଡ଼ା, ଜାଗମରା, ତମାଣ୍ଡୋ, ଘାଟିକିଆ ସମେତ ୧୦ଟି ସର୍କଲ ରହିବ। ଏହା ସରକାରୀ ଅନୁମୋଦନ ପାଇବା ପରେ ନୂଆ ତହସିଲ ଅଞ୍ଚଳକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ସୂଚନାଯୋଗ୍ୟ, ଜମି କିଣାବିକାଠାରୁ ଆରମ୍ଭ କରି ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି, ଜାତି ପ୍ରମାଣପତ୍ର ଓ ଅନ୍ୟ ପ୍ରମାଣପତ୍ର ପାଇଁ ଦୈନିକ ହଜାର ହଜାର ବ୍ୟକ୍ତି ଭୁବନେଶ୍ୱରର ଏକମାତ୍ର ତହସିଲକୁ ଦୌଡ଼ୁଥିଲେ। ପାତ୍ରପଡ଼ାରୁ ଆରମ୍ଭ କରି ପଟିଆ, ସାମନ୍ତାରାପୁରରୁ ପାଣ୍ଡରା ପର୍ଯ୍ୟନ୍ତ ଲୋକେ ସମସ୍ତେ ଗୋଟିଏ ତହସିଲ ଉପରେ ନିର୍ଭର କରୁଥିଲେ। ତେଣୁ ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଭାରାକ୍ରାନ୍ତ ରହୁଥିଲେ। ଲୋକଙ୍କ କାମ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରୁ ନଥିଲା। ଏଭଳି ହେବା ଦ୍ବାରା ଆଉ ସମସ୍ତଙ୍କ ପାଖରୁ ଚାପ କମିବ। ପୂର୍ବରୁ ଭୁବନେଶ୍ବର ତହସିଲ ଅଧୀନରେ ୨୦ଟି ପଞ୍ଚାୟତ ପାଇଁ ୧୩ଟି ଆର୍ଆଇ ସର୍କଲ ରହିଥିଲା। ବିଭିନ୍ନ ଜମିବାଡ଼ି କାରବାରରେ ଆର୍ଆଇମାନଙ୍କ ରିପୋର୍ଟ ଆବଶ୍ୟକତା ପଡ଼ୁଥିଲା। ଜଣେ ଜଣେ ଆର୍ଆଇଙ୍କ ଅଧୀନରେ ୧୫ରୁ ୨୦ ରାଜସ୍ବ ଗ୍ରାମ ରହୁଥିଲା।
Inhuman, barbaric: ଅମାନୁଷିକ, ବର୍ବର: ଯୁବକଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରିଲେ
ଜମିବାଡ଼ି କାରବାର ବଢ଼ୁଥିବାରୁ ଆର୍ଆଇମାନେ ଏହି ସବୁ ଗ୍ରାମମାନଙ୍କୁ ଯାଇ ଧାର୍ଯ୍ୟ ସମୟରେ କ୍ଷେତ୍ର ରିପୋର୍ଟ ପ୍ରସ୍ତୁତ କରିବା ସମ୍ଭବ ହେଉ ନଥିଲା। ଏବେ ଭୁବନେଶ୍ବର ତହସିଲରେ ଆଉ ୨ ନୂଆ ତହସିଲ ନିଷ୍ପତ୍ତି ହୋଇଥିବା ବେଳେ ଆର୍ଆଇ ସର୍କଲ ମଧ୍ୟ ଆଉ ୧୫ଟି ବୃଦ୍ଧି ପାଇଛି। ନୂଆ ୧୫ ଆର୍ଆଇ ସର୍କଲ ପାଇଁ ପ୍ରକ୍ରିୟା ଦେଢ଼ ବର୍ଷ ତଳୁ ଆରମ୍ଭ ହୋଇସାରିଛି। କିନ୍ତୁ ଏଥିରୁ ଗୋଟିଏ ହେଲେ କୋଠା ସମ୍ପୂର୍ଣ୍ଣ ହୋଇନି। ଏହା କେବେ ସମ୍ପୂର୍ଣ୍ଣ ହେବ ଓ ଲୋକେ କେବେ ଘର ପାଖରେ ସୁବିଧା ପାଇବେ ସେ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ଏ ନେଇ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସମସ୍ତ ପ୍ରକ୍ରିୟାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆମେ ୨ ପ୍ରକାର ନକ୍ସା ପ୍ରସ୍ତୁତ କରିଛୁ। ଖୁବ୍ଶୀଘ୍ର ଏହା ସରକାରଙ୍କ ନିକଟକୁ ପଠାଇବୁ। ସରକାର ନକ୍ସାରେ ମୋହର ମାରିଲେ ନୂଆ ତହସିଲର ସୀମା ନିର୍ଦ୍ଧାରିତ ହେବ।
Follow Us