ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଅଧୀନ ୨୧ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ସାଲିଆସାହି ବାମ ସମାନ୍ତରାଳ ରାସ୍ତାର ୨୭୫ ପରିବାର ସ୍ଥାନାନ୍ତର ହେବେ। ସେମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୁଲଭ ଆବାସ ଯୋଜନାରେ ଲଟେରି ମାଧ୍ୟମରେ ଗୃହ ଆବଣ୍ଟନ କରାଯାଇଛି। ଯେଉଁମାନେ ପ୍ରକୃତ ହିତାଧିକାରୀ, ସେମାନେ କୌଣସି ପରିସ୍ଥିତିରେ ସରକାରଙ୍କ ଆବାସ ଯୋଜନାରୁ ବାଦ ପଡ଼ିବେ ନାହିଁ। ସମସ୍ତଙ୍କୁ ଘର ମିଳିବ। ସେଥିପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ଅନେକ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କର ମଧ୍ୟ ଭୁବନେଶ୍ୱରରେ ଘର ଖଣ୍ଡିଏ ନାହିଁ। ସେମାନଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କହିଛନ୍ତି ସରକାର ୧୪ ଲକ୍ଷରୁ ଆରମ୍ଭ କରି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଗୃହ ଖୁବ୍ ଶୀଘ୍ର ପ୍ରଦାନ କରିବେ। ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆମ ସରକାର ଚାହୁଁଛନ୍ତି ସମସ୍ତଙ୍କୁ ଘର ମିଳୁ। ତତ୍କାଳୀନ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିପୋର୍ଟ ମାଗିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେ ଘର ଦରକାର ତାର ରିପୋର୍ଟରେ ତତ୍କାଳୀନ ରାଜ୍ୟ ସରକାର ଯେତିକି ଘର ଆବଶ୍ୟକ ବୋଲି କହିଥିଲେ ସେତିକି ଘର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେଲେ ପ୍ରଧାନମନ୍ତ୍ରୀ। କିନ୍ତୁ ଏଯାଏଁ ଗାଁ ଗାଁ ରେ ଲୋକମାନେ ଘର ନଥିବା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରରେ ମଧ୍ୟ ଲୋକଙ୍କ ଅବସ୍ଥା ଭଲ ନାହିଁ। ସହରରେ ଆବଶ୍ୟକତା ଯେଉଁମାନଙ୍କର ରହିଛି ସେମାନଙ୍କ ପାଇଁ ଘର ଯୋଗାଇଦେବା ଉଚିତ। ଯେତିକି ଘର ଏପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି ଏତେ ବସ୍ତି ରହିବା କଥା ନୁହଁ। କିନ୍ତୁ ଘର ପାଇଛନ୍ତି କେଉଁମାନେ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ମଧ୍ୟବିତ୍ତ ଲୋକମାନେ ମଧ୍ୟ ଘର ପାଇଁ ହନ୍ତସନ୍ତ ହେଉଛନ୍ତି। ତେଣୁ ସମସ୍ତଙ୍କ ପାଇଁ ୧୪ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଘର କରି ବିକ୍ରି କରିବାକୁ ଚାହୁଁଛୁ।
ଆହୁରି ପଢ଼ନ୍ତୁ: ଦୀପାବଳିରେ ଜାଳନ୍ତୁ ଧୂଆଁବିହୀନ ଦୀପ ଓ ମହମବତୀ...
ସମାନ୍ତରାଳ ରାସ୍ତାର ୨୭୫ ପରିବାରକୁ ଚନ୍ଦ୍ରଶେଖରପୁର ଅନ୍ତର୍ଗତ ବୁଦ୍ଧ ବିହାର ଆବାସ ପ୍ରକଳ୍ପକୁ ସ୍ଥାନାନ୍ତର କରିବା ପାଇଁ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ସ୍ଥାନାନ୍ତର ହେବାକୁ ଥିବା ପରିବାରଗୁଡିକର ପ୍ରାଥମିକ ସର୍ଭେ କରାଯାଇଥିଲା। ସେହି ସର୍ଭେ ଫଳାଫଳକୁ ଆଧାର କରି୨୭୫ ଜଣ ହିତାଧିକାରୀଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ବୁଦ୍ଧ ବିହାରରେ ଏଏଚ୍ପି ଘର ଆବଣ୍ଟନ ପାଇଁ ଅସ୍ଥାୟୀ ଭାବେ ଚୟନ କରାଯାଇଛି। ସେମାନଙ୍କ ସମସ୍ତ କାଗଜାତ ଯାଞ୍ଚ ପରେ ଗୃହ ପ୍ରଦାନ କରାଯିବ ବୋଲି ବିଏମ୍ସି କମିସନଏର ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସମାନ ଚାକିରି ସୁଯୋଗ ଲାଗି ସୁପ୍ରିମକୋର୍ଟ କମିଟି ଗଠନ କଲେ
ଉଚ୍ଛେଦ ଏବଂ ପୁନର୍ବାସ ନିୟମ ଅନୁଯାୟୀ, ସ୍ଥାନାନ୍ତର ସମୟରେ ପ୍ରଭାବିତ ପରିବାରଙ୍କୁ ମୌଳିକ ଜରୁରୀ ସହାୟତା ଯୋଗାଇଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ସେମାନଙ୍କର ପରିବହନ ୩ ଦିନ ପାଇଁ ଖାଦ୍ୟ ସୁବିଧା, ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଏବଂ ଟିପିସିଓଡିଏଲ ଓ ୱାଟକୋ ପରି ସମ୍ପୃକ୍ତ ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରି ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯାଇଅଛି। ସବୁଠାରୁ ବଡକଥା ହେଉଛି ଯେ, ଯେଉଁ ହିତାଧିକାରୀମାନେ ନିର୍ଦ୍ଧାରିତ ହିତାଧିକାରୀ ଭାଗର ୧,୫୦,୦୦୦ ଟଙ୍କା ଦେବା ପାଇଁ ଅସମର୍ଥ, ସେମାନଙ୍କ ପାଇଁ ବଛା ବଛା ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ଋଣ ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଋଣ ସହାୟତା ବ୍ୟବସ୍ଥାକୁ ସହଜ ଓ ସରଳ କରିବା ପାଇଁ ଏଚଡିଏଫ୍ ସି. ବ୍ୟାଙ୍କ ଏବଂ ବିଏମ୍ ସି ମଧ୍ୟରେ ଏକ ବୁଝାମଣା ପତ୍ର ଆଜି ସ୍ୱାକ୍ଷରିତ ହୋଇଛି।
Bhubaneswar Municipal Corporation (BMC) | Bhubaneswar