ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ବାୟୁ ପ୍ରଦୂଷଣ ମାତ୍ରା କମିବାକୁ ନାଁ ଧରୁନି। ପ୍ରତିଦିନ ସକାଳେ ଓ ସଂଧ୍ୟାରେ ବାୟୁ ପ୍ରଦୂଷଣ ମାତ୍ରା ଏତେ ବଢ଼ିଯାଉଛି ଯେ ଲୋକେ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। କୁହୁଡ଼ିରେ ରାସ୍ତାଘାଟ ଦିଶୁନି। ଏୟାର କ୍ବାଲିଟି ଇଣ୍ଡେକ୍ସ ଅସ୍ବାସ୍ଥ୍ୟକର ସୀମା ଡେଇଁ ଯାଉଛି। କିଛିଦିନ ହେଲାଣି ଲଗାତର ଏକ୍ୟୁଆଇ ୩ଶହରୁ ଅଧିକ ରହୁଛି। ଭୁବନେଶ୍ବର ମହାନଗର ନିଗମର ଅଧିକ ମୁଣ୍ଡବିନ୍ଧା କଲାଣି ଲିଙ୍ଗରାଜ ଥାନା ଅଞ୍ଚଳ। ଏଠାରେ ଏକ୍ୟୁଆଇ ସର୍ବାଧିକ ରହୁଛି। ଲଗାତର ୪ଶହ ପାଖାପାଖି ରହୁଛି।
ଲିଙ୍ଗରାଜ ଅଞ୍ଚଳ ମୁଣ୍ଡବିନ୍ଧା କଲାଣି
ପ୍ରଦୂଷଣ ରୋକି ପାରିବ ତ’ ୨ ମିଷ୍ଟ କ୍ୟାନନ୍ ମେସିନ୍
ମିଳିଥିବା ତଥ୍ୟ ମୁତାବକ, ଗତବର୍ଷ ଅକ୍ଟୋବରରୁ ଭୁବନେଶ୍ବରର ଏକ୍ୟୁଆଇ ସ୍ଥିତି ଗମ୍ଭୀର ରହିଛି। କିନ୍ତୁ ଚଳିତ ମାସରେ ଏହା ସବୁଠୁ ଉପରେ ରହିଛି। ଜାନୁଆରି ୧ରେ ଭୁବନେଶ୍ବରର ଏକ୍ୟୁଆଇ ସର୍ବାଧିକ ୪୦୫ ଥିଲା। ପରେ କ୍ରମାଗତ ଜାନୁଆରି ୨ରୁ ୬ ତାରିଖ ପର୍ଯ୍ୟନ୍ତ ଏକ୍ୟୁଆଇ ୩୩୭ରୁ ୩୮୨ ଭିତରେ ରହିଛି। ଆଜି ବି ସକାଳେ ବାୟୁ ପ୍ରଦୂଷଣ ମାତ୍ରା ୩୬୦ ଉପରେ ରହିଥିଲା। ଦ୍ବିପ୍ରହରରେ କମିଥିଲେ ବି ସଂଧ୍ୟାରେ ଏହା ପୁଣି ବଢ଼ିଯାଇଥିଲା। ସ୍ଥିତି ସଂପୂର୍ଣ୍ଣ ବିଗିଡ଼ିଯିବା ଆଗରୁ ଭୁବନେଶ୍ବର ମହାନଗର ନିଗମ ବାୟୁମଣ୍ଡଳରେ ପାଣି ସିଞ୍ଚନ କରି ପ୍ରଦୂଷଣ ମାତ୍ରାକୁ କମାଇବାକୁ ଚେଷ୍ଟା ଚଳାଇଛି। ମିଷ୍ଟ କ୍ୟାନନ୍ ମେସିନ୍ ବ୍ୟବହାର କରୁଛି। ଏହି ମେସିନ୍ ଜରିଆରେ ବାୟୁ ମଣ୍ଡଳକୁ ଶୁଦ୍ଧ ପାଣି ସ୍ପ୍ରେ କରାଯାଉଛି। ପ୍ରଦୂଷଣ ମାତ୍ର ବଢ଼ାଉଥିବା ଅଞ୍ଚଳ ବିଶେଷ କରି ବସ୍ଷ୍ଟାଣ୍ଡ୍ ଓ ଅନ୍ୟାନ୍ୟ ସ୍ଥାନ ପାଣି ସିଞ୍ଚନ କରାଯାଉଛି। ୨ଟି ମିଷ୍ଟ କ୍ୟାନନ୍ ମେସିନ୍ ଏଥିପାଇଁ ବ୍ୟବହାର କରାଯାଉଛି। ୧୮୬ ବର୍ଗକିଲୋମିଟର ବ୍ୟାପ୍ତ ଭୁବନେଶ୍ବର ମହାନଗର ନିଗମରୁ ପ୍ରଦୂଷଣ ମାତ୍ରାକୁ କମାଇବାରେ ଏହା ସଫଳ ହେବ ତ, ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଲାଣି।
ନିର୍ମାଣ ସ୍ଥଳ ପାଇଁ ଆଦେଶନାମା ଜାରି
ଗଛ ଲଗାଇବେ, ପେଭର ବ୍ଲକ୍ ପକାଇବେ
ଭୁବନେଶ୍ୱର: ଭୁବନେଶ୍ବରରେ ପ୍ରଦୂଷଣ ମାତ୍ରା ଅଧିକ ବଢ଼ାଉଛି ନିର୍ମାଣକାରୀ ସଂସ୍ଥା। ଏଣୁ ଭୁବନେଶ୍ବର ମହାନଗର ନିଗମ ଏମାନଙ୍କ ଉପରେ ଲଗାମ କଷିଛି। ନିର୍ମାଣକାରୀ ସଂସ୍ଥାମାନେ କେଉଁ କେଉଁ ନିୟମ ମାନିବେ, ସେ ନେଇ କମିସନର୍ଙ୍କ ପକ୍ଷରୁ ଆଦେଶନାମା ଜାରି କରାଯାଇଛି। ଆପ୍ରୋଚ ରୋଡ୍ ନଥିଲେ ପ୍ରକଳ୍ପ ସ୍ଥଳରେ ପେଭର୍ ବ୍ଲକ୍ ପକାଇବାକୁ ନିର୍ଦ୍ଦେଶ ଦେଇଛି। ପାରିପାର୍ଶ୍ବିକ ଅଞ୍ଚଳରେ ବୃକ୍ଷରୋପଣ କରିବାକୁ କୁହାଯାଇଛି। ଆପାର୍ଟମେଣ୍ଟ, ବାଣିଜ୍ୟିକ ପ୍ରତିଷ୍ଠାନ, କମର୍ସିଆଲ୍ ପ୍ରତିଷ୍ଠାନ, ଡାକ୍ତରଖାନା, ବିଭିନ୍ନ ଅନୁଷ୍ଠାନ ଆଦି ପାଇଁ ଏହି ଆଦେଶନାମା ଜାରି କରାଯାଇଛି। ଜାରି ଆଦେଶନାମାରେ କୁହାଯାଇଛି, ଭାରିଯାନରେ ନିର୍ମାଣ ସାମଗ୍ରୀ ପରିବହନ ବେଳେ ଠିକାସଂସ୍ଥାମାନେ ଏହାକୁ ଘୋଡ଼ାଇ କରି ନେବେ। ନିର୍ମାଣ ସ୍ଥଳରୁ ବାହାରିବା ଓ ପ୍ରବେଶ ପୂର୍ବରୁ ନିୟମିତ ଓ ଭଲ ଭାବେ ସଫା କରିବେ। ଧୂଳି ନ ଉଡ଼ିବା ପାଇଁ ର୍ମାଣସ୍ଥଳକୁ ସଂପୂର୍ଣ୍ଣ ଘୋଡ଼ାଇ ରଖିବେ। ପ୍ରକଳ୍ପସ୍ଥଳର ଖୋଲାଜାଗାରେ ଅସ୍ଥାୟୀ ଭାବେ ପେଭର୍ ବ୍ଲକ ପକାଇବେ ଓ ନିୟମିତ ପାଣି ସିଞ୍ଚନ କରିବେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା ନିର୍ଦ୍ଦେଶନାମାର କଡ଼ାକଡ଼ି ଅନୁପାଳନ କରିବେ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ବ୍ୟବହାର କରିବାକୁ କୁହାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଆଦେଶନାମାର କଡ଼ାକଡ଼ି ଅନୁପାଳନ କରିବାକୁ କୁହାଯାଇଛି। ଆଦେଶନାମା ଉଲ୍ଲଘଂନ କଲେ ବିଲ୍ଡିଂ ପ୍ଲାନ ବାତିଲ୍ ହେବ। ନିର୍ମାଣ କାର୍ଯ୍ୟ ବନ୍ଧ କରି ଦିଆଯିବ।
ଅତିରିକ୍ତ କମିସନର୍ କୈଳାସ ଚନ୍ଦ୍ର ଦାସ କହିଛନ୍ତି, ପ୍ରଦୂଷଣ କମାଇବା ପାଇଁ ଆମେ ୨ଟି ମିଷ୍ଟ କ୍ୟାନନ୍ ମେସିନ୍ରେ ଲିଙ୍ଗରାଜ ଅଞ୍ଚଳ ସହ ଅନ୍ୟାନ୍ୟ ଅଞ୍ଚଳରେ ସ୍ପ୍ରେ କରୁଛୁ। ବିଏମ୍ସି ସାଇନ୍ ଟିମ୍ ଓ ଅନ୍ୟ ଏନ୍ଫୋର୍ସମେଣ୍ଟ ଟିମ୍ଙ୍କୁ ପ୍ରଦୂଷଣ କରୁଥିବା ପ୍ରତିଷ୍ଠାନ ଉପରେ ନଜର ରଖିବାକୁ ନିୟୋଜିତ କରାଯାଇଛି। ଏକାଧିକ ସ୍ଥାନରେ ବି ଆମେ ଚଢ଼ଉ କଲାଣୁ। ବିଭିନ୍ନ ବସ୍ତିରେ ନିଆଁ ଲଗାଇବା ବନ୍ଦ କରାଯାଇଛି ଓ ଲୋକଙ୍କୁ ସଚେତନ କରାଯାଇଛି। ବାକି ଯାନ୍ତ୍ରିକ ସଫେଇ ବେଳେ ଧୂଳି ନ ଉଡ଼ିବା ପାଇଁ ରାସ୍ତାରେ ପାଣି ସିଞ୍ଚନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/08/adg5456dag-2026-01-08-03-14-13.jpg)