ଭୁବନେଶ୍ବର: ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତରଙ୍କ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାର ଗତକାଲିଠାରୁ ଏସ୍ମା ଲଗାଇଛନ୍ତି। ଡାକ୍ତର, ନର୍ସିଂ କର୍ମଚାରୀ, ପାରାମେଡିକ୍ସ ଓ ଅନ୍ୟ କର୍ମଚାରୀମାନେ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଆଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ହେଲେ ଡାକ୍ତରମାନେ ଏସ୍ମାକୁ ଫୁ’ କରି ଉଡ଼ାଇ ଦେଇଛନ୍ତି। ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ଘଣ୍ଟିଆ ଓପିଡି ବନ୍ଦ ଏସ୍ମା ଲାଗିବା ପରେ ମଧ୍ୟ ଆଜି ଜାରି ରହିଛି। ସରକାର ମଧ୍ୟ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରୁନାହାନ୍ତି। ସରକାର-ଡାକ୍ତରଙ୍କ କଳି ଭିତରେ କେବଳ ରୋଗୀମାନେ ହିଁ ହନ୍ତସନ୍ତ ହେଉଛନ୍ତି। ୧୦ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଥମେ ୧ ଘଣ୍ଟା ଓପିଡି ବନ୍ଦ ହେଉଥିବା ବେଳେ ଏବେ ତାହା ୨ ଘଣ୍ଟାରେ ପହଞ୍ଚିଲାଣି। ଚିକିତ୍ସା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଚିକିତ୍ସା ବିଳମ୍ବିତ ହେଉଥିବାରୁ ପରୀକ୍ଷାନିରୀକ୍ଷା ଆହୁରି ସମସ୍ୟା ବଢ଼ାଉଛି। ସରକାରୀ ଡାକ୍ତରଖାନାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆସନ୍ତା ୧୫ ତାରିଖ ସୁଦ୍ଧା ଯଦି କୌଣସି ପଦକ୍ଷେପ ନିଆ ନ ଯାଏ, ତା’ ହେଲେ ଅପରାହ୍ଣରେ ସରକାରୀ ଡାକ୍ତରଖାନାରେ ଆଉ ଓପିଡି ଖୋଲିବ ନାହିଁ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା) ପକ୍ଷରୁ ଚେତାବନୀ ଦିଆଯାଇଛି। ଡାକ୍ତରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଏସ୍ମା ଲାଗୁ କରିଛନ୍ତି। ହେଲେ ଡାକ୍ତରମାନେ ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି। ଏପରିକି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କଡ଼ା ବାର୍ତ୍ତା ଦେଇଛନ୍ତି।
Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ
୨୦୨୪ ମସିହାରେ ସମାନ ଢଙ୍ଗରେ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରହିଥିଲା। ସେତେବେଳେ ରାଜ୍ୟ ନର୍ସିଂ ନିର୍ଦ୍ଦେଶକ ଏସ୍ମା ଲଗାଯାଇଥିବା ସଂପର୍କରେ ସବୁ ଡାକ୍ତରଖାନାକୁ ପତ୍ର ଲେଖି ସୂଚନା ଦେଇଥିଲେ। ମାତ୍ର ନର୍ସିଂ କର୍ମଚାରୀମାନେ ମଧ୍ୟ ଏହାକୁ ବେଖାତିର କରିଥିଲେ। ଆଇନଜୀବୀଙ୍କ ମତରେ ଏସ୍ମାକୁ ବେଖାତିର କଲେ ଆନ୍ଦୋଳନକାରୀ ଗିରଫ ହୋଇପାରିବେ। ଏପରିକି ଜାମିନ ମଧ୍ୟ ମିଳିବାରେ ସମସ୍ୟା ହୋଇପାରେ। ହେଲେ ସରକାରଙ୍କ ଏଭଳି ଏସ୍ମା ଧମକ ସ୍ବାସ୍ଥ୍ୟସେବାରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ କୌଣସି ପ୍ରଭାବ ପକାଉନାହିଁ।
ଓମ୍ସା ସଭାପତି ଡା.କିଶୋର ମିଶ୍ର କହିଛନ୍ତି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତାକାଲି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ମୌଖିକ ଭାବେ ପ୍ରସ୍ତାବ ଆସିଛି। ବିଭାଗର ବିଧିବଦ୍ଧ ପତ୍ରକୁ ସଂଘ ଅପେକ୍ଷା କରିଛି। ପତ୍ର ମିଳିବା ପରେ ସଂଘ ଆଲୋଚନାରେ ସାମିଲ ହେବ। ଡାକ୍ତରମାନେ କାର୍ଯ୍ୟାନୁଷ୍ଠାନକୁ ଭୟ କରୁନାହାନ୍ତି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/08/omsa-2026-01-08-02-58-42.jpg)