ବାଲିପାଟଣା: ସାଧାରଣରେ ବିଶ୍ବାସ ରହିଛି ଯେ ଦୁନିଆଟା କିଛି ଭଲ ମଣିଷଙ୍କ ପାଇଁ ତିଷ୍ଠିଛି। କିଛି ମଣିଷ ଅଛନ୍ତି ଯେଉଁମାନେ ‘ମାନବ ସେବା ହିଁ ମାଧବ ପୂଜା’ ବୋଲି ହୃଦୟଙ୍ଗମ କରିଛନ୍ତି ଏବଂ କାର୍ଯ୍ୟରେ କରି ଦେଖାଇଆସୁଛନ୍ତି। ସେମିତି ଲୋକକଥା ଅଛି କି ଧନ ଥିଲେ ମନ ନାହିଁ, ମନ ଥିଲେ ଧନ ନାହିଁ। କିନ୍ତୁ କିଛି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖରେ ଧନ ନାହିଁ, ମନ ଅଛି। ସେଭଳି ମଣିଷମାନେ ମାନବ ସେବାକୁ ବ୍ରତ ଭାବେ ଗ୍ରହଣ କରିଥାଆନ୍ତି। ସେମାନେ ନିଜ ପାଖରେ ଥିବା ସ୍ବଳ୍ପ ସମ୍ବଳକୁ ଅନ୍ୟ ପାଇଁ ବ୍ୟୟ କରିଦିଅନ୍ତି। ଏମିତି ଜଣେ ମଣିଷ ହେଉଛନ୍ତି ଅଟୋବାଲା ଅକ୍ଷୟ। ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଅଟୋଟିଏ କିଣି ଚଳାଉଥିବା ଅକ୍ଷୟ ପ୍ରଥମେ ରୋଗୀ ବୁହାକୁ ଗୁରୁତ୍ବ ଦିଅନ୍ତି। ବେପାରକୁ ପଛ କରି ଆଗ ରୋଗୀ ସେବାକୁ ଗୁରୁତ୍ବ ଦିଅନ୍ତି। ତେଣୁ ବାଲିପାଟଣା ଅଞ୍ଚଳରେ ଅଟୋବାଲା ଅକ୍ଷୟ ଏବେ ସବୁରି ପ୍ରଶଂସାର ପାତ୍ର। 

Advertisment

Winter cap: ସୁରକ୍ଷା ସହିତ ଫ୍ୟାସନ୍‌ ଵିଣ୍ଟର୍‌ କ୍ୟାପ୍’

ବାଲିପାଟଣା ବ୍ଲକ୍‌ ତରବୋଇ ଗାଁ ଚକ୍ରଧର ମଲ୍ଲିକଙ୍କ ପୁଅ ଅକ୍ଷୟ(୪୧) ଦଶମ ପାସ୍‌ କରିବା ପରେ ଅଭାବୀ ସଂସାର ହେତୁ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା। ୧୨ବର୍ଷ ପୂର୍ବେ ଋଣରେ ଅଟୋ କିଣି ପରିବାରର ଭରଣପୋଷଣ ଭାର ତୁଲାଇଲେ। କିଛି ଦିନ ଭୁବନେଶ୍ୱରରେ ଅଟୋ ଚଳାଇ ଭଲ ଦି’ପଇସା କମାଇଲେ। ସବୁ ଖର୍ଚ୍ଚ ଯାଇ ଦୈନିକ ୫୦୦/୭୦୦ ଟଙ୍କା ବଳକା ହୁଏ। ସେତିକିରେ ପରିବାର ଚଳିବା ନେଇ କିଛି ସମସ୍ୟା ନଥାଏ। ମାତ୍ର ଅକ୍ଷୟଙ୍କ ମନରେ ନଥିଲା ଶାନ୍ତି। ତାଙ୍କ ଅଟୋରେ କୌଣସି ଗରିବ ଅସୁସ୍ଥ ଲୋକକୁ ଡାକ୍ତରଖାନା ନେବା ବେଳେ ତାଙ୍କ ମନରେ ଭାବାନ୍ତର ସୃଷ୍ଟି ହୁଏ।

vantara: ‘ବନତାରା’କୁ ଜାତିସଂଘ ସଂସ୍ଥାର ଆଇନଗତ ସ୍ବୀକୃତି

ସେଭଳି ଲୋକଙ୍କଠାରୁ ଭଡ଼ା ନେବାକୁ ତାଙ୍କ ବିବେକ ବାଧା ଦିଏ। ଡାକ୍ତର ଲେଖିଥିବା ଔଷଧ ଚିଠା ପାଇଁ ପାଖରେ ଅର୍ଥ ନଥିବା ଲୋକଙ୍କଠାରୁ ଭଡ଼ା ଟଙ୍କା ନେବା ବେଳେ ତାଙ୍କ ମନ ବ୍ୟାକୁଳ ହୋଇଉଠେ। ହଠାତ୍ ଦିନେ ସେ ନିଷ୍ପତ୍ତି ନେଲେ, ଏଭଳି ଲୋକଙ୍କଠାରୁ ଭଡ଼ା ଦାବି କରିବେନି। କିଏ ନିଜ ଇଛାରେ ଯେତିକି ଦେଲା ତ ଭଲ, ନଦେଲା ବି ଆହୁରି ଭଲ। ରାତି ହେଉ କି ଦିନ, ଯିଏ ଯେତେବେଳେ ଫୋନ୍‌ କଲା, କାଳ ବିଳମ୍ବ ନ କରି ଅକ୍ଷୟ ସେହି ରୋଗୀଙ୍କ ଦୁଆରେ ଅଟୋ ଲଗାନ୍ତି। ଏମିତିକି ଖାଇବା ଅଧାରୁ ଉଠି ସେ ଅସୁସ୍ଥ ଲୋକକୁ ଡାକ୍ତରଖାନା ନେଇ ପଳାନ୍ତି। ରୋଗୀକୁ ମେଡିକାଲରେ ପହଞ୍ଚାଇବାଠାରୁ ଆରମ୍ଭ କରି ଓପିଡିରୁ ଟିକଟ କରିବା, ଡାକ୍ତରଙ୍କ ସହ ସାକ୍ଷାତ କରାଇବା, ଶଯ୍ୟା ଯୋଗାଡ଼ କରିବା ଓ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଇବା ବ୍ୟବସ୍ଥାରେ ସେ ଲାଗିପଡ଼ନ୍ତି। କେବଳ ସେତିକି ନୁହେଁ, କାହାକୁ ରକ୍ତ ଆବଶ୍ୟକ ହେଲେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରନ୍ତି। ଦିନେ ଦିନେ ତାଙ୍କୁ ଦିନତମାମ ଡାକ୍ତରଖାନାରେ କଟେଇବାକୁ ପଡ଼େ। ଫଳରେ ଅଟୋ ଭଡ଼ା ବେପାର ବନ୍ଦ ହୋଇଯାଏ। କିନ୍ତୁ ସେଥିରେ ଅକ୍ଷୟଙ୍କର ଦୁଃଖ ନଥାଏ। ତାଙ୍କର ଏଭଳି ମହାନତା ଦେଖି ସାମାଜିକ ସଂଗଠନ ‘ବର୍ଣ ଟୁ ହେଲ୍‌ପ ଅଲ୍‌’ ତାଙ୍କୁ ଜଣେ ସଦସ୍ୟ ଭାବେ ଗ୍ରହଣ କରିନେଇଛି।