ଭୁବନେଶ୍ବର: ସହରର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବିଏମ୍ସି ପକ୍ଷରୁ ନୋ ହୋର୍ଡିଂ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହି ଅଞ୍ଚଳରେ କୌଣସି ବି ସରକାରୀ କିମ୍ବା ଘରୋଇ ସଂସ୍ଥା ହୋର୍ଡିଂ ଲଗାଇପାରିବେ ନାହିଁ। ଯିଏ ଲଗାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ହୋର୍ଡିଂ ହଟାଯିବା ସହ ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନିଆଯିବ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ମାତ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ସଂସ୍ଥା, ପ୍ରତିଷ୍ଠାନ ଏହାକୁ ଖୁଲମ୍ଖୁଲ୍ଲା ଉଲ୍ଲଂଘନ କରୁଛନ୍ତି। କୌଣସି ସ୍ଥାନକୁ ସେମାନେ ଛାଡ଼ୁନାହାନ୍ତି। ଯେଉଁଠି ସୁଯୋଗ ପାଇଲେ ସେଠାରେ ହୋର୍ଡିଂ ଲଗାଇ ଦେଉଛନ୍ତି। ଏମିତି କୌଣସି ଗୋଟିଏ ଦିନ ନାହିଁ, ଯେଉଁଦିନ ରାଜଭବନ ଛକଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାର ମେଡିଆନ୍ରେ ସରକାରୀ ହୋର୍ଡିଂ, ଫ୍ଲେକ୍ସ ଦେଖିବାକୁ ମିଳୁନି। ପ୍ରମୁଖ ଛକଗୁଡ଼ିକରେ ମଧ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ହୋର୍ଡିଂ ଲଗାଇ ସରକାରୀ ବାବୁମାନେ ମାଗଣା ମାଗଣାରେ ଫାଇଦା ଉଠାଇ ନେଉଛନ୍ତି। ଲୋକେ ବିରୋଧ କଲେ ମଧ୍ୟ ବିଏମ୍ସିର ଅଧିକାରୀମାନେ କିଛି ଶୁଣୁ ନାହାନ୍ତି।
ନିୟମ ଭାଙ୍ଗି ସରକାର ଅନ୍ୟମାନଙ୍କୁ ବାଟ ଦେଖାଉଛନ୍ତି
ପ୍ରତି ଛକରେ ଛାଇଯାଇଛି, କାର୍ଯ୍ୟାନୁଷ୍ଠାନ ଶୂନ
ଘୋଷଣାରେ ସୀମିତ ‘ନୋ ହୋର୍ଡିଂ ଜୋନ୍’
ଲୋକସେବା ଭବନ ଓ ରାଜଭବନ ଫାଟକ ସାମ୍ନାରେ ବି ସରକାରୀ କାର୍ଯ୍ୟକ୍ରମର ହୋର୍ଡିଂ ଲାଗିଛି, ଯାହା କି ଅତ୍ୟନ୍ତ ଅରୁଚିକର ଦେଖାଯାଉଛି। ସେହି ସ୍ଥାନର ଗରିମାକୁ ମଧ୍ୟ ତାହା ହ୍ରାସ କରୁଛି। ଏଜି ଛକରୁ ରାଜଭବନ ଛକ ମଧ୍ୟରେ ଥିବା କିଛି ମନ୍ତ୍ରୀଙ୍କ ସରକାରୀ ବାସଭବନ ସାମ୍ନାରେ ବି ହୋର୍ଡିଂ ଲାଗିଛି। ବିଶେଷ କରି ଆଇଗିଣିଆ ଘଟଣା ପରେ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବେଆଇନ ଭାବେ ହୋର୍ଡିଂ ଲଗାଉଥିବା ଅମାନିଆଙ୍କୁ ସାବାଡ୍ କରିବାକୁ ବିଏମ୍ସି ଦ୍ବାରା ସ୍ବତନ୍ତ୍ର ସ୍କାଡ୍ ଗଠନ ହୋଇଥିଲା। ଜରିମାନାର ବି ବ୍ୟବସ୍ଥା ହୋଇଥିଲା। କିନ୍ତୁ ନୋ ହୋର୍ଡିଂ ଜୋନ୍ ନିୟମ ତା’ ବାଟରେ, ହୋର୍ଡିଂ ଲଗା ତା’ ବାଟରେ ଚାଲିଛି। ଗଠନ ହୋଇଥିବା ସ୍କ୍ବାଡ୍ ଏବେ ସ୍ଥାଣୁ ପାଲଟିଛି। ଯେଉଁ ସରକାର ଏହି ନିୟମ କରିଛନ୍ତି, ସେମାନେ ଏହି ନିୟମକୁ ଭାଙ୍ଗିବାରେ ଲାଗିଛନ୍ତି। ନୋ ହୋର୍ଡିଂ ଜୋନ୍ରେ ମାଳ ମାଳ ହୋର୍ଡିଂ ଲଗାଇ ଅନ୍ୟମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସରକାର ନିୟମ ଭାଙ୍ଗୁଥିବାରୁ ବେସରକାରୀ ସଂସ୍ଥା ଓ ରାଜନେତାଙ୍କ ଫଟୋ ସମ୍ବଳିତ ହୋର୍ଡିଂ, ପୋଷ୍ଟର୍ ବି ନୋ ହୋର୍ଡିଂ ଜୋନ୍ରେ ଛାଇଗଲାଣି। ମେଡିଆନ୍, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲାଗିଥିବା ଗଛଲତା, ବସ୍ ଷ୍ଟପ୍ ବି ଏଥିରୁ ବାଦ୍ ପଡ଼ିନି। ଯାହା ସହରର ସୌନ୍ଦର୍ଯ୍ୟ ଓ ରାସ୍ତାଘାଟକୁ ବିକୃତ କରୁଛି। ଦୁର୍ଘଟଣା ଓ ଟ୍ରାଫିକ୍ ସମସ୍ୟା ବଢ଼ାଇଛି।
ରାସ୍ତା କଡ଼ରେ ମନଇଚ୍ଛା ସରକାରୀ କାର୍ଯ୍ୟକ୍ରମର ହୋର୍ଡିଂ ଲଗାଇବା ପାଇଁ ବଡ଼ ଧରଣର ଆର୍ଥିକ କାରବାର ରହିଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟକ୍ରମର ଇଭେଣ୍ଟ୍ ମ୍ୟାନେଜ୍ମେଣ୍ଟ୍ ନେଉଥିବା ସଂସ୍ଥାଗୁଡ଼ିକ ହୋର୍ଡିଂ ପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ସରକାରଙ୍କଠାରୁ ନିଅନ୍ତି। ସେମାନେ ବିଏମ୍ସିର ଅଧୀକୃତ ସ୍ଥାନରେ ହିଁ ସରକାରୀ କାର୍ଯ୍ୟକ୍ରମର ହୋର୍ଡିଂ ଲଗାଇବା କଥା। କିନ୍ତୁ ବିନା ଅର୍ଥରେ ମନଇଚ୍ଛା ରାସ୍ତା କଡ଼ରେ ହୋର୍ଡିଂ ଲଗାଇ ଦେଇ ସଂପୃକ୍ତ ବିଭାଗଠାରୁ ପାଉଣା ପାଇଯାଉଛନ୍ତି। ବିଭାଗୀୟ ଅଧିକାରୀମାନେ ମଧ୍ୟ ଏଥିରେ ସେମାନଙ୍କୁ ସହଯୋଗ କରୁଛନ୍ତି। ଅତ୍ୟନ୍ତ ବେପରୱା ଢଙ୍ଗରେ କାର୍ଯ୍ୟକ୍ରମ ସରିଲା ପରେ ବି ସେମାନେ ହୋର୍ଡିଂ ଉଠାଉ ନାହାନ୍ତି। ଭୁବନେଶ୍ବରର ପ୍ରମୁଖ ଅଞ୍ଚଳ କୁହାଯାଉଥିବା ଏୟାରପୋର୍ଟ ଛକରୁ ଏଜି ଦେଇ ରାଜଭବନ ଛକ, ଏଜି ଛକରୁ ପିଏମ୍ଜି ଛକ, ରବୀନ୍ଦ୍ର ମଣ୍ଡପଠାରୁ ୧୨୦ ଇନ୍ଫ୍ୟାଣ୍ଟ୍ରି ବାଟାଲିଅନ୍ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ବିଏମ୍ସି ନୋ ହୋର୍ଡିଂ ଜୋନ୍ ଘୋଷଣା କରିଛି। ସେହିଭଳି ପ୍ରମୁଖ ରାସ୍ତାର ମେଡିଆନ୍, ସ୍କୁଲ୍, କଲେଜଠାରୁ ୧୦୦ ମିଟର ଭିତରେ କେହି ହୋର୍ଡିଂ ଲଗାଇ ପାରିବେ ନାହିଁ ବୋଲି ନିୟମ ରହିଛି। ବିଏମ୍ସି କମିସନର ଚଞ୍ଚଲ ରାଣା କହିଛନ୍ତି ଯେ ପ୍ରତି ୨ରୁ ୩ ବର୍ଷ ବ୍ୟବଧାନରେ ବେଆଇନ ହୋର୍ଡିଂ ସମ୍ପର୍କରେ ସର୍ଭେ ହୋଇଥାଏ। ଯେତେବେଳେ ଆମକୁ ଲାଗେ ଯେ ହୋର୍ଡିଂ ଲଗାଇ ଆମକୁ କିଏ ଫାଙ୍କି ଦେବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ଆମେ ଚଢ଼ାଉ କରିଥାଉ। ଅଭିଯୋଗ ଆସିଲେ ଆମେ ପଦକ୍ଷେପ ନେଇଥାଉ।
Follow Us