ଖଣ୍ଡଗିରି: ଯାହା ଆଶଙ୍କା କରାଯାଉଥିଲା, ଶେଷରେ ତାହାହିଁ ହୋଇଛି। ଅଟଳ ବିହାରୀ ବାଜପେୟୀ ଆନନ୍ଦବନର ହାତ ଛାଡ଼ି ଦେଇଛି ଓଡ଼ିଶା ଖଣି ନିଗମ (ଓଏମ୍ସି)। ୨୦୨୬-୨୭ ଆର୍ଥିକ ବର୍ଷରୁ ଆନନ୍ଦବନକୁ ଆଉ ପାଣ୍ଠି ନ ଯୋଗାଇବାକୁ ଓଏମ୍ସି ନିଷ୍ପତ୍ତି ନେଇଛି। ଏନେଇ ନିଗମ ପକ୍ଷରୁ ବନ ବିଭାଗ ଅଧିକାରୀଙ୍କୁ ବିଧିବଦ୍ଧ ଭାବରେ ଚିଠି ଲେଖାଯାଇ ଅବଗତ କରାଯାଇଛି। ଗୋଟିଏ ପଟେ ବର୍ଷକ ମଧ୍ୟରେ ଆନନ୍ଦବନର ସେଭଳି ବିକାଶମୂଳକ କାର୍ଯ୍ୟ ହେଇ ନଥିବା ବେଳେ ଅନ୍ୟପଟେ ଓଏମ୍ସିର ଏଭଳି ନିଷ୍ପତ୍ତି ଆନନ୍ଦବନ ପରିଚାଳନା ନେଇ ଚିନ୍ତାର କାରଣ ପାଲଟିଛି।
Governor : ପିଲାଙ୍କ ସହ ରାଜ୍ୟପାଳ
ବନରୁ ମାସିକ ଆୟ ହେଉଥିବା ଟଙ୍କାଠାରୁ ୩୦ ଗୁଣା ଅର୍ଥ ଏହାର ରକ୍ଷଣାବେକ୍ଷଣ ଓ ଉନ୍ନତୀକରଣରେ ଖର୍ଚ୍ଚ ହୁଏ। ଓଏମ୍ସିଠାରୁ ଚିଠି ପାଇବା ପରେ ବନ ବିଭାଗ ଅଧିକାରୀମାନେ ପରବର୍ତ୍ତୀ ପଦକ୍ଷେପ ତଥା ବିକଳ୍ପ ସନ୍ଧାନରେ ଲାଗିଛନ୍ତି। ଏତେ ବଡ଼ ବନର ରକ୍ଷଣାବେକ୍ଷଣ କିଭଳି ହେବ ସେନେଇ ବନ ବିଭାଗ ବରିଷ୍ଠ ଅଧିକାରୀ ସ୍ତରରେ ଆଲୋଚନା ଜାରି ରହିଛି।
Gadget in Focus: Smartphone with keyboard: ଫୋକସ୍ରେ ଗ୍ୟାଜେଟ୍: କିବୋର୍ଡ ସହ ସ୍ମାର୍ଟଫୋନ୍
ବଡ଼ କଥା ହେଉଛି, ୯୦ ଏକର ଜାଗାରେ ନିର୍ମିତ ଆନନ୍ଦବନ ୨୦୨୪ ମାର୍ଚ୍ଚରେ ଉଦ୍ଘାଟିତ ହୋଇଥିଲା। ସେତେବେଳେ କୁହାଯାଇଥିଲା ଯେ ଆସନ୍ତା ୫ ବର୍ଷ ଯାଏ ଓଏମ୍ସି ରକ୍ଷଣାବେକ୍ଷଣ ଦାୟିତ୍ବ ନେବ। ୨୦୨୮ ପର୍ଯ୍ୟନ୍ତ ଓଏମ୍ସି ପାଣ୍ଠି ଯୋଗାଇବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ସମୟ ମଧ୍ୟରେ ବନ ବିଭାଗ ନିଜସ୍ୱ ଆୟ ସୂତ୍ର ବାହାର କରିବ। ମାତ୍ର କଣ୍ଟ ପୂରଣ ପୂର୍ବରୁ ଓଏମ୍ସିର ଏଭଳି ନିଷ୍ପତ୍ତି ଯୋଗୁ ଆନନ୍ଦବନର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଖଣିନିଗମ ବନର ଉନ୍ନତି ପାଇଁ ପୂର୍ବରୁ ୩୦ କୋଟି ଖର୍ଚ୍ଚ କରିଥିବା ବେଳେ ବିଦ୍ୟୁତ୍ ବିଲ୍, କର୍ମଚାରୀଙ୍କ ଦରମା ଆନୁଷଙ୍ଗିକ ସାମଗ୍ରୀ ବାବଦରେ ମାସକୁ ପ୍ରାୟ ୧୨.୫ ଲକ୍ଷ ଟଙ୍କା ହିସାବରେ ବର୍ଷରୁ ଦେଢ଼କୋଟି ଟଙ୍କା ପ୍ରଦାନ କରୁଥିଲା । ହେଲେ ‘ଆନନ୍ଦବନ’ର ରୋଜଗାର କହିଲେ ପ୍ରବେଶ ଶୁଳ୍କ (ମୁଣ୍ଡପିଛା ପୂର୍ବରୁ ୫ ଓ ଏବେ ୧୦ଟଙ୍କା) ଓ ୫ କିଓସ୍କରୁ ମାସିକ ୮୪ ହଜାର ଟଙ୍କା ରୋଜଗାର କରୁଛି।
ଠିକ୍ ବର୍ଷକ ତଳେ ‘ଆନନ୍ଦବନ’ର ନାମ ପରିବର୍ତ୍ତନ କରାଯାଇ ‘ଅଟଳବିହାରୀ ବାଜପେୟୀ ଆନନ୍ଦବନ’ ହେଲା। ଏଲ୍ଇଡି ଲାଇଟ୍ରେ ନାଁ ଲେଖାହେଲା। ଏହାପରେ ଆନନ୍ଦବନ ଆହୁରି ସବୁଜିମାରେ ଭରିବା ସହ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶାଥିଲା। ହେଲେ ଗୋଟିଏ ବର୍ଷରେ ଏବେ ଶ୍ରୀହୀନ ହୋଇଗଲାଣି। ସବୁଜିମାରେ ଭର୍ତ୍ତି ଜଙ୍ଗଲ ଏବେ ଖାଁ ଖାଁ ଦିଶୁଛି। କଳିଙ୍ଗନଗର କେ-୩ ସ୍ଥିତ ‘ଆନନ୍ଦବନ’ ଉଦ୍ଘାଟିନ ପରେ ରାଜଧାନୀର ଲୋକେ ଏହାକୁ ବେଶ୍ ପସନ୍ଦ କରିଥିଲେ। ଉଦ୍ଘାଟନର ୧୮ ଦିନ ମଧ୍ୟରେ ୧୯,୭୮୦ ଲୋକ ବୁଲିବାକୁ ଆସିଥିଲେ। ଗୋଟିଏ ବର୍ଷରେ ‘ଆନନ୍ଦବନ’କୁ ୨,୪୮,୨୭୦ ଜଣ ପର୍ଯ୍ୟଟକ ଭ୍ରମଣ କରିଥିଲେ। ଆୟ ବଢ଼ାଇବାକୁ ଏଠାକାର ପ୍ରବେଶ ଶୁଳ୍କ ଇତିମଧ୍ୟରେ ୫ ଟଙ୍କାରୁ ୧୦ ଟଙ୍କା ହୋଇଛି। ମାସିକ ହାରାହାରି ତିନି ହଜାର ଲୋକ ଆସୁଛନ୍ତି। ହେଲେ ସେହି ଅନୁଯାୟୀ ଭିତ୍ତିଭୂମି ବିକାଶ ହୋଇପାରୁ ନାହିଁ। ବରଂ ଯେତିକି ଥିଲା ତାହା ନଷ୍ଟ ହୋଇଗଲାଣି। କଳକଳ ବହୁଥିବା ନଈ ଅଳିଆରେ ଭର୍ତ୍ତି ହୋଇଥିବା ବେଳେ ପାର୍କର ଚଲାପଥ ପତ୍ରରେ ଭର୍ତ୍ତି। ଫୁଲର ପଥ ବୋଲାଉଥିବା ବଗିଚା ଆଜି ମରୁଭୂମି ଭଳି ମନେହେଉଛି। ଗୋଟିଏ କିଲୋମିଟରର ଆକ୍ୟୁପ୍ରେସର୍ ରାସ୍ତାରେ ପଡ଼ିଥିବା ପଥର ମଧ୍ୟରୁ ଏକାଧିକ ପଥର ଆଉ ନାହିଁ। ଫଳରେ ସେଠାରେ ଆଉ ଚାଲିବା ସମ୍ଭବ ହେଉନି। ଶୀତ ଦିନେ ଯେଉଁଠି ବିଭିନ୍ନ ରକମର ଫୁଲରେ ପାର୍କ ମହକିବା କଥା, ସେଠୀ ଫୁଲଗଛ ଦେଖିବାକୁ ମିଳୁନି। ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ‘ଆନନ୍ଦବନ’ର ରକ୍ଷଣାବେକ୍ଷଣା ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଠାରେ ୭୦ କର୍ମଚାରୀ ନିଯୁକ୍ତ ହୋଇଥିଲେ। ହେଲେ ଏବେ ମାତ୍ର ୨୧ ସୁରକ୍ଷା କର୍ମୀ ଓ ୨୪ ଦିନ ମଜୁରିଆ କାମ କରୁଛନ୍ତି। ତେଣୁ ଏତିକି କର୍ମଚାରୀରେ ବନର ଯତ୍ନ ନିଆଯାଇ ପାରୁନାହିଁ। ସେହିପରି ଏଭଳି ବେସରକାରୀ ସଂସ୍ଥାଙ୍କଠାରୁ ସିଂହ ଭାଗ ପାଣ୍ଠି ଆଣି କୌଣସି ଉନ୍ନତିମୂଳକ କାମ କରିବା ବେଳେ ବନ ବିଭାଗ ଭବିଷ୍ୟତ ବିଷୟରେ ଚିନ୍ତା କରି ନାହିଁ। କିମ୍ବା ବିକଳ୍ପ ବ୍ୟବସ୍ଥା କରୁ ନାହିଁ । ଯାହାର ସିଧା ପ୍ରଭାବ ଏବେ ବନରେ ଦେଖିବାକୁ ମିଳୁଛି।
ସିଟି ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା କହିଛନ୍ତି ଯେ, ଓଏମସିଠାରୁ ଚିଠି ମିଳିଛି। ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ।
Follow Us