ବିଶ୍ବଜିତ ଦାଶ
ଭୁବନେଶ୍ବର: ଯଦି କୌଣସି ଅଭିଯୁକ୍ତକୁ ପୁଲିସ ଧରେ, ତାଙ୍କ ନାମରେ ପୂର୍ବର ଅପରାଧ ରେକର୍ଡ ଖୋଜି ଆବଶ୍ୟକ ପଦକ୍ଷେପ ନେଇଥାଏ। ଅଭିଯୁକ୍ତର ପୂର୍ବ ଆପରାଧିକ ରେକର୍ଡ କୋର୍ଟରେ ଉପସ୍ଥାପନ କରେ, ଯେମିତି ଅଭିଯୁକ୍ତ ସହଜରେ ହାଜତ‌ରୁ ଖସିବନି। ପରିବହନ ବିଭାଗ ଏବେ ସମାନ ତରିକା ରାଜ୍ୟର ଗାଡ଼ି ଚାଳକଙ୍କ ଉପରେ ଲଗାଉଛି। କୌଣସି ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକକୁ ପାଇଲେ ତା’ ଉପରେ କେତେ ଜରିମାନା ଲଗାଇ ହେବ ସେ ବାଟ ଖୋଜୁଛି। ସିସିଟିଏନ୍ଏସ୍‌ ପୋର୍ଟାଲରେ ପୁଲିସ ଆଙ୍ଗୁଠି ଛାପ ପକାଇଲା ଭଳି ପରିବହନ ବିଭାଗ କର୍ମଚାରୀ ଗୋଟିଏ ନିୟମ ଉଲ୍ଲଂଘନ କରିଥିବା ଗାଡ଼ିର ନମ୍ବର ‘ବାହନ’ ୱେବସାଇଟ୍‌ରେ ପକାଇ ତା’ର ପୂରା ପଞ୍ଜିକା ବାହାର କରୁଛନ୍ତି। ଗାଡ଼ିର ଇନ୍‌ସ୍ୟୁରାନ୍ସ ଅଛି ନା ନାହିଁ, ପ୍ରଦୂଷଣ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ ଅଛି ନା ନାହିଁ ସବୁ ଖୋଜି ଖୋଜି ଜରିମାନା ଲଗାଉଛନ୍ତି। 

Advertisment

Donald Trump : ମୋଦୀଙ୍କ ସହ ମୋର ଭଲ ସମ୍ପର୍କ, କିନ୍ତୁ ଏବେ ସେ ମୋ ଉପରେ ଖୁସି ନାହାନ୍ତି : ଟ୍ରମ୍ପ

ଉଦାହରଣ ସ୍ବରୂପ, ଜଣେ ଗାଡ଼ି ଚାଳକ ଯଦି ରାସ୍ତାରେ ଗଲାବେଳେ ଧାର୍ଯ୍ୟ ଗତିଠାରୁ ଗୋଟିଏ କିମି ଅଧିକ ବେଗରେ ଯାଉଛନ୍ତି ତେବେ ୭ ହଜାର ଟଙ୍କା ଜରିମାନା ଆସିଯାଉଛି। ଦ୍ରୁତ ଗାଡ଼ି ଚଳାଇବା ପାଇଁ ୨ ହଜାର, ଡ୍ରାଇଭିଂ ଲାଇସେନ୍ସ ନାହିଁ ବୋଲି ୫ ହଜାର, ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଥାଉ କି ନଥାଉ ସେଥିରେ ଆଉ ୫ ହଜାର ଟଙ୍କା ଯୋଡ଼ା ହୋଇଯିବ। ଏହାପରେ ଆର୍‌ଟିଓ ଅଫିସ ଯାଇ ଡିଏଲ୍‌ ଦେଖାଇଲେ ଜରିମାନା କଟିବ। ଯଦି ପ୍ରଦୂଷଣ ସାର୍ଟିଫିକେଟ୍ ନଥିବ ଆଉ ୧୦ ହଜାର, ଇନ୍‌ସ୍ୟୁରାନ୍ସ ନଥିଲେ ପୁଣି ୨ ହଜାର ଟଙ୍କା ଦେବେ। ଯଦି ରାସ୍ତାରେ ଗଲାବେଳେ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଛନ୍ତି ଆଉ ପୁଲିସ-ଆର୍‌ଟିଓ ଚେକିଂ ସମୟରେ ଧରାପଡ଼ିଗଲେ, ନିୟମ ଅନୁଯାୟୀ ୧ ହଜାର ଟଙ୍କା ଜରିମାନା ନେଇ ଛାଡ଼ି ଦେବା କଥା। କିନ୍ତୁ ଆର୍‌ଟିଓ-ପୁଲିସ ଗାଡ଼ି ନମ୍ବରକୁ ବାହନ ୱେବ୍‌ସାଇଟ୍‌ରେ ପକାଇ ଦେଉଛନ୍ତି। ଯଦି ଦେଖିଲେ ଇନ୍‌ସ୍ୟୁରାନ୍ସ ନାହିଁ ତେବେ ୨ ହଜାର, ପ୍ରଦୂଷଣ ନଥିଲେ ୧୦ ହଜାର, ବେପରୁଆ ଗାଡ଼ି ଚାଳନା ପାଇଁ ୧୦୦୦, ଆଉ ଡିଏଲ୍‌ ଥାଇ କି ନ ଦେଖାଇ ପାରିଲେ ୫ ହଜାର ଟଙ୍କା ଜରିମାନା। ଅର୍ଥାତ୍ ଗୋଟିଏ ଭୁଲ୍‌ ହଜାରେ ଟଙ୍କା ଜରିମାନା ପାଇଁ ଗାଡ଼ି ଚାଳକଙ୍କ ଉପରେ ସିଧା ୧୯ ହଜାର ଟଙ୍କାର ଇ-ଚାଲାଣ କାଟି ଦେଉଛନ୍ତି। 

ଗାଡ଼ି ନିୟମ ଭାଙ୍ଗିଲେ, କେତେ ଜରିମାନା ଲାଗିପାରିବ ଖୋଜା ହେଉଛି
ଦଫା ଲଗାଇଲା ଭଳି ଜରିମାନା କଷୁଛି ପୁଲିିସ
ଡିଏଲ୍‌ ଥାଉ କି ନଥାଉ ୫ ହଜାର ଜରିମାନା

ଯଦି ଯାଞ୍ଚ ଅଧିକାରୀଙ୍କ ସହ କିଛି ଯୁକ୍ତିତର୍କ ହେଲା, ତେବେ ବେପରୁଆ ଗାଡ଼ି ଚାଳନା ଜରିମାନା ହଜାରେ ଟଙ୍କା ବଦଳରେ ୫ହଜାର ଟଙ୍କା ହୋଇଯିବ। ଯଦି ବିନା ଇନ୍‌ସ୍ୟୁରାନ୍ସରେ ଗାଡ଼ି ଚଳାଉଥିବା ଏକାଧିକବାର ଧରାପଡ଼ିବେ ତେବେ ୨ ହଜାର ଟଙ୍କା ବଦଳରେ ୪ ହଜାର ଟଙ୍କା ଜରିମାନା ଗଣୁଛନ୍ତି। ଯଦି ଗାଡ଼ି ଚଳାଇବା ବେଳେ ଫୋନ୍‌ରେ କଥା ହୋଇଛନ୍ତି ତେବେ ସିଧା ୫୦୦୦ ଟଙ୍କା ଇ-ଚାଲାଣ କାଟିଦେଉଛନ୍ତି। ଏମିତି ରାସ୍ତାକୁ ଗାଡ଼ି କାଢ଼ିଲେ ଯଦି କୌଣସି ପ୍ରକାରର ତ୍ରୁଟି ‌େହଉଛି ତେବେ ଗାଡ଼ି ପିଛା କେମିତି ୨୦ ହଜାର ଟଙ୍କା ଜରିମାନା କଟାଯିବ ସେ ବ୍ୟବସ୍ଥା ପରିବହନ ବିଭାଗ କରିଛି।
ଆଉ ଏବେ ନିୟମ କରିବାକୁ ଯାଉଛନ୍ତି  ଫ‌ାସ୍‌ ଟ୍ୟାଗ୍ ଆକ୍ଟିଭେଟ୍, ଫିଟନେସ୍‌ ଓ ପରମିଟ୍ ସାର୍ଟିଫିକେଟ୍ ପାଇଁ ଥରେ ଗାଡ଼ି ଗଲେ ତା’ର ସବୁ ଜରିମାନା, ଇନ୍‌ସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫି‌େକଟ୍ ଯାଞ୍ଚ କରି ଜରିମାନା ଥିଲେ ଆଦାୟ କରାଯିବ। ତା’ପରେ ଯାଇ ଅନ୍ୟ ସାର୍ଟିଫିକେଟ୍ ମିଳିବ।

Health: ଏମ୍‌କେସିଜିରେ ଅନ୍ଧାରରେ ରୋଗୀସେବା; ଅସ୍ତ୍ରୋପଚାର କକ୍ଷରେ ଲାଇନ୍‌ କଟିଗଲା

ପରିବହନ ବିଭାଗର ପୁଲିସ ଢାଞ୍ଚାରେ ଜରିମାନା ଆଦାୟର ବଡ଼ କାରଣ ହେଉଛି ଆମ ରାଜ୍ୟର ପରିବହନ କମିସନର ପୁଲିସ ଅଧିକାରୀ ହେଉଥିବାରୁ ସେମାନେ ଗାଡ଼ି ଚାଳକ କୌଣସି ନିୟମ ଉଲ୍ଲଂଘନ କଲେ ତାଙ୍କୁ ଅପରାଧୀ ଭଳି ଦେଖୁଛନ୍ତି। ଏଠାରେ ଦଫା ଲଗାଇବାର ସୁଯୋଗ ନଥିବାରୁ ଜରିମାନା ପରେ ଜରିମାନା ଖଞ୍ଜି ଦେବାର ନିୟମ କରୁଛନ୍ତି। ଯେମିତି ପୂର୍ବତନ ପରିବହନ କମିସନର ନିୟମ କରିଦେଲେ ଡିଏଲ୍‌ ଥାଉ କି ନଥାଉ ଗାଡ଼ି କୌଣସି ନିୟମ ଉଲ୍ଲଂଘନ କଲେ ଡିଏଲ୍‌ ନଥିବା ଦର୍ଶାଇ ୫ ହଜାର ଟଙ୍କା ଜରିମାନା କରିଦେବ। ଡିଏଲ୍ ଦେଖାଇଲେ କଟାଯିବ। ଏ ନେଇ ପରିବହନ କମିସନର ଅମିତାଭ ଠାକୁରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଜଣେ ଦ୍ରୁତ ଗତିରେ ଗାଡ଼ି ଚଳାଇବାବେଳେ ନିୟମ ଉଲ୍ଲଂଘନ କ‌ଲେ ଯେଉଁ ଜରିମାନା କଟୁଛି ସେଥିରେ ଡିଏଲ୍‌ ନଥିବା ନେଇ ଜରିମାନା କଟୁଛି। କାରଣ କିଏ ଗାଡ଼ି ଚଳାଉଛି ଆମେ ତ ଜାଣିପାରୁନୁ। କ୍ୟାମେରା ଯାହା ଡିଟେକ୍ଟ କଲା ସେହି ଅନୁଯାୟୀ ଜରିମାନା ହେଉଛି। ଯଦି ସେ ଆର୍‌ଟିଓ ଅଫିସରେ ଡିଏଲ୍‌ ଦେଖାଉଛନ୍ତି ତେବେ ୫ହଜାର ଟଙ୍କା ଜରିମାନା ଛାଡ଼ କରାଯିବାର ନିୟମ ଅଛି।

ଗୋଟିଏ ତ୍ରୁଟି ପାଇଁ ଏକାଧିକ ଜରିମାନା ଆଦାୟ କରାଯାଉଥିବାରୁ ଗାଡ଼ି ଚାଳକମାନେ ଧାର୍ଯ୍ୟ ସମୟରେ ଇ-ଚାଲାଣ ଦେଉନାହାନ୍ତି। ବୋଝ ଉପରେ ନଳିତା ବିଡ଼ା ଭଳି ଟ୍ରାଫିକ ପୁଲିସ, ପରିବହନ ବିଭାଗ ଜରିମାନା ଲଦି ଦେଉଥିବାରୁ ରାଜ୍ୟରେ ୩୫ ଲକ୍ଷରୁ ଅଧିକ ଗାଡ଼ି ଚାଳକଙ୍କର ୧୩୦୦ କୋଟିରୁ ଅଧିକ ଜରିମାନା ବକେୟା ପଡ଼ିଛି। ଏହାର ମୂଳ କାରଣ ପରିବହନ ବୁଝିବାକୁ ଚେଷ୍ଟା ନ କରି ଗୋଟିଏ ଗୋଟିଏ ପରେ ନିୟମ କରି ଚାଲିଛି।