ଭୁବନେଶ୍ବର: ୧୦ ବର୍ଷ ତଳେ ଭୁବନେଶ୍ବର ଟାଉନ୍‌ ସେଣ୍ଟର ପ୍ରକଳ୍ପକୁ ମିଳିଥିଲା ସରକାରୀ ମଞ୍ଜୁରି। ଯେଉଁଠି ବୃହତ୍‌ ପାର୍କିଂ ସାଙ୍ଗକୁ ଅତ୍ୟାଧୁନିକ ବହୁମୁଖୀ ବାଣିଜ୍ୟିକ କେନ୍ଦ୍ର ଖୋଲିବାର ଯୋଜନା ଥିଲା। ପ୍ରକଳ୍ପ ଡିଜାଇନ୍‌ ବି ଦୁବାଇ ଭଳି ଭ୍ରମ ସୃଷ୍ଟି କରୁଥିଲା। ୫ ବର୍ଷରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୧୦ ବର୍ଷ ପରେ ବି ଏହି ପ୍ରକଳ୍ପ ଆରମ୍ଭ ହୋଇପାରିନି। ଏଥିପାଇଁ ମାଟି ମୁଠେ ପଡ଼ିନି। ବିଡିଏ ଓ ରେଳ ବିଭାଗର ଜାଗା ବିବାଦ ଭିତରେ ପ୍ରକଳ୍ପ ଝୁଲି ରହିଛି। ଏବେ ପୁଣି ଏହି ପ୍ରକଳ୍ପ ନେଇ ଆଶା ସଂଚାର ହୋଇଛି। ବିଡିଏ ପ୍ରକଳ୍ପ ପାଇଁ ଅନୁମୋଦିତ ପୁରୁଣା ଡିଜାଇନ୍‌କୁ ବଦଳାଇ ନୂଆ ଡିଜାଇନ୍‌ ପ୍ରସ୍ତୁତ କରୁଛି। ପୂର୍ବରୁ ୧୨ ଏକର ଜାଗାରେ ଏହି ପ୍ରକଳ୍ପ କରିବାକୁ ଯୋଜନା କରାଯାଇଥିଲା। ରେଳ ବିଭାଗ ବିକାଶରେ ଏଥିରୁ କିଛି ଜାଗା ଚାଲିଯାଇଥିବାରୁ ଯେତିକି ଜାଗା ବଳିଛି ତାକୁ ଦେଖି ଡିଜାଇନ୍‌ ପ୍ରସ୍ତୁତ କରି ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବାକୁ ବିଡିଏ ଅଣ୍ଟା ଭିଡ଼ିଛି।

Advertisment

Climate change impacts: ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୩ ବନାଞ୍ଚଳରେ ହ୍ରାସ ପାଇଛି ପକ୍ଷୀବଂଶ

ଏବେ ପୁଣି ଯୋଜନା
ଜାଗା ଅଭାବରୁ ବଦଳିବ ରୂପରେଖ
ରେଳ ବିଭାଗକୁ ସୁହାଇଲା ଭଳି ହେବ ଡିଜାଇନ୍‌

୨୦୧୬ ଡିସେମ୍ବରରେ ଭୁବନେଶ୍ବର ଟାଉନ୍‌ ସେଣ୍ଟର ପ୍ରକଳ୍ପକୁ ସରକାରୀ ମଞ୍ଜୁରି ମିଳିଥିଲା। ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରଥମ କରି ଏହି ଅତ୍ୟାଧୁନିକ ବହୁମୁଖୀ(ଟ୍ରାନ୍‌ଜିଟ୍‌ ଓରିଏଣ୍ଟେଡ୍‌ ଡେଭ୍‌ଲପ୍‌ମେଣ୍ଟ) ଭୁବନେଶ୍ବର ଟାଉନ୍‌ ସେଣ୍ଟର କରିବାକୁ ସରକାର ଯୋଜନା କରିଥିଲେ, ଯେଉଁଠି ପାର୍କିଂ ଓ ବସ୍‌ ଟର୍ମିନାଲ୍‌ ସାଙ୍ଗକୁ ସପିଂ ମଲ୍‌, ଖୁଚୁରା ଦୋକାନୀଙ୍କ ପାଇଁ ମାର୍କେଟ୍‌ କମ୍ପ୍ଲେକ୍ସ, ହୋଟେଲ୍‌, ଥିଏଟର ପ୍ଲାଜା, ନେଚର ପ୍ଲାଜା, ଆର୍ଟ ପ୍ଲାଜା, ଚିଲ୍‌ଡ୍ରେନ୍‌ସ ପ୍ଲାଜା ଆଦି କରିବାକୁ ଯୋଜନା କରାଯାଇଥିଲା। ସାଇକେଲିଂ ଟ୍ରାକ୍‌, ସ୍ବତନ୍ତ୍ର ପାଦଚଲା ରାସ୍ତା ବି ରହିଥାନ୍ତା। ବିଡିଏ ପିପିପି ମୋଡ୍‌ରେ ଏହାର ବିକାଶ କରିଥା’ନ୍ତା।
ଯେହେତୁ ପ୍ରକଳ୍ପସ୍ଥଳ ସ୍ମାର୍ଟ ଜନପଥକୁ ଲାଗିଥିଲା, ବାଣିଜ୍ୟିକ ଦୃଷ୍ଟିକୋଣରୁ ବିଡିଏ ଏହାକୁ ଏକ ଲାଭଜନକ ପ୍ରକଳ୍ପ ଭାବେ ବିକଶିତ କରିବାକୁ ଲକ୍ଷ୍ୟ ରଖିଥିଲା। ମାଷ୍ଟରକ୍ୟାଣ୍ଟିନ ଛକରେ ରେଳଷ୍ଟେସନ୍‌ ପଶ୍ଚିମପାର୍ଶ୍ବକୁ ଲାଗି ପ୍ରାୟ ୧୨ ଏକର ଜାଗାରେ ଏହି ପ୍ରକଳ୍ପର ଯୋଜନା ହୋଇଥିଲା। କିନ୍ତୁ ବିଳମ୍ବିତ ପ୍ରକ୍ରିୟା କାରଣରୁ ଅଧା ଜାଗା ରେଳ ବିଭାଗ ହାତକୁ ପଳାଇଲାଣି। ଏଣୁ ଯେତିକି ଜାଗା ବଳିଛି, ସେତିକି ଜାଗାରେ ଏହି ପ୍ରକଳ୍ପ କରିବାକୁ ବିଡିଏ ଯୋଜନା କରିଛି। ସୂଚନା ମୁତାବକ, ପ୍ରାୟ ୮ ଏକର ଜାଗାରେ ଏହି ପ୍ରକଳ୍ପ ବିକଶିତ ହେବ।

Editorial: ହାଲୁକା ସଂବିଧାନ!

ବିଡିଏ ସେକ୍ରେଟାରି ମାନସ ରଂଜନ ପାଢ଼ୀ କହିଛନ୍ତି, ପୂର୍ବରୁ ଯେବେ ପ୍ରକଳ୍ପ ଅନୁମୋଦିତ ହୋଇଥିଲା, ସେବେ ସିଙ୍ଗାପୁର କମ୍ପାନି ସୁରବନ ଜୁରୋଙ୍ଗ ଏହାର ଡିଜାଇନ୍‌ ପ୍ରସ୍ତୁତ କରିଥିଲା। କିନ୍ତୁ ରେଳ ବିଭାଗ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନ୍‌ର ଉନ୍ନୟନମୂଳକ କାମ ପରେ ଏହି ଡିଜାଇନ୍‌ରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ବ ପ୍ରକଳ୍ପର ଡିଜାଇନ୍‌ ପ୍ରସ୍ତୁତ କରିଥିବା ସୁରବନ ଜୁରୋଙ୍ଗ କମ୍ପାନି ବି ଏହି ଡିଜାଇନ୍‌ ପ୍ରସ୍ତୁତ କରିବ। ପ୍ରକଳ୍ପରେ ପୂର୍ବ ସୁବିଧା ଅପରିବର୍ତ୍ତିତ ରହିବ, କିନ୍ତୁ ରେଳ ବିଭାଗ ତଥା ରେଳଯାତ୍ରୀଙ୍କୁ ସୁହାଇଲା ଭଳି ପ୍ରକଳ୍ପର ଡିଜାଇନ୍‌ ପ୍ରସ୍ତୁତ ହେବ। ଯେହେତୁ ଏଠାରେ ନିୟମିତ ରେଳଯାତ୍ରୀଙ୍କ ଯାତାୟାତ ରହିବ, ସେମାନେ ଯେଭଳି ଭୁବନେଶ୍ବର ଟାଉନ୍‌ ସେଣ୍ଟର ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ, ସେ ଦିଗ ପ୍ରତି ଦୃଷ୍ଟି ଦିଆଯାଉଛି। ନିକଟରେ ଅନୁଷ୍ଠିତ ବୈଠକରେ ସୁରବନ ଜୁରୋଙ୍ଗ କମ୍ପାନିକୁ ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରି ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ସଂପୃକ୍ତ କମ୍ପାନି ସ୍ଥିତି ଅନୁଧ୍ୟାନ କରି ବିଡିଏକୁ ଜଣାଇବ ଓ ଯେତିକି ଜାଗା ଅଛି ସେହି ଅନୁସାରେ ନୂଆ ଡିଜାଇନ୍‌ ପ୍ରସ୍ତୁତ କରିବ।