ଆମ ସଂବିଧାନ ପ୍ରଣେତାଗଣ ସୁଶାସନ ସୁନିଶ୍ଚିତ କରିବା ସକାଶେ ତହିଁରେ ଅନେକ ପ୍ରାବଧାନ କରିଛନ୍ତି। ତେବେ, କୌଣସି ନିର୍ବାଚିତ ସରକାର, ତା’ର ସଂଖ୍ୟା ବଳ ହେତୁ, ଯେମିତି ନିରଙ୍କୁଶ ହୋଇ ନ ଯାଏ, ସେଥି ଲାଗି ଅନେକ ସାଂବିଧାନିକ ପଦ ଓ ଅନୁଷ୍ଠାନର ପରିକଳ୍ପନା କରି ନିୟନ୍ତ୍ରଣ ଓ ଭାରସାମ୍ୟ ରକ୍ଷାର ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ, ‘ଇମର୍ଜେନ୍ସି’ ଭଳି ସଂବିଧାନକୁ ଭୂଲୁଣ୍ଠିତ କରିଥିବା ଭଳି ପଦକ୍ଷେପ ଠାରୁ ଘେନି ବିଭିନ୍ନ ରାଜ୍ୟରେ ନ୍ୟାୟୋଚିତ ସରକାରର ପତନ ଘଟାଇବା, ନିର୍ବାଚନ କମିସନ, ଇ.ଡି., ସି.ଭି.ସି. ଭଳି ସ୍ବାୟତ୍ତ ଓ ସାଂବିଧାନିକ ଅନୁଷ୍ଠାନ ଏବଂ ରାଜ୍ୟପାଳ ଭଳି ଗରିମାମୟ ସାଂବିଧାନିକ ପଦକୁ ସ୍ବାର୍ଥ ସାଧନର ଅଭିସନ୍ଧି ରଖି ପ୍ରୟୋଗ କରିବା ପର୍ଯ୍ୟନ୍ତ ଅନେକ ଅସାଂବିଧାନିକ କାର୍ଯ୍ୟକଳାପ ସ୍ବାଧୀନତା ପରବର୍ତ୍ତୀ କାଳ ଠାରୁ ପ୍ରତ୍ୟେକ ସରକାରଙ୍କ ଅମଳରେ ଘଟି ଚାଲିଛି।
ଆଜି ଆମ ରାଷ୍ଟ୍ର ଭାରତବର୍ଷ ଗୋଟିଏ ସାଧାରଣତନ୍ତ୍ର ରୂପେ ଛଅସ୍ତରି ବର୍ଷ ବୟସରେ ପଦାର୍ପଣ କରିଛି। କାରଣ, ୧୯୫୦ ମସିହାର ଆଜିର ଦିନରେ ଆମ ଦେଶ ବିଧିବଦ୍ଧ ଭାବେ ଏକ ସ୍ବ-ସର୍ଜିତ, ଦୂରଦର୍ଶୀ, ବିବେଚନାପୂର୍ଣ୍ଣ ଓ ବିସ୍ତୃତ ବିଧାନ ଗ୍ରନ୍ଥ ଲାଭ କରିଥିଲା, ଯାହାକୁ ଆମ ଗଣତନ୍ତ୍ରର ଆତ୍ମା ବୋଲି ନିର୍ଦ୍ବନ୍ଦ୍ବରେ ସ୍ବୀକାର କରାଯାଇଥାଏ। ତେବେ, କଥା ହେଲା, ସଂପ୍ରତି ଆମ ସଂବିଧାନ, ପୂର୍ବରୁ କଦାଚିତ୍ ଦୃଶ୍ୟମାନ ହୋଇ ନ ଥିବା ଭଳି, ବାରମ୍ବାର ଚର୍ଚ୍ଚାର ପରିସରକୁ ଆସିବାରେ ଲାଗିଛି, ଯହିଁରେ ଶାସକ ଦଳ ପକ୍ଷରୁ ୧୯୭୫ ମସିହାର ‘ଇମର୍ଜେନ୍ସି’କୁ ଦର୍ଶାଇ ତତ୍କାଳୀନ କଂଗ୍ରେସ ସରକାର ଦ୍ବାରା କିଭଳି ସଂବିଧାନର ହନନ କରାଯାଇଥିଲା ସେ ନେଇ ଉଚ୍ଚାଟ ସୃଷ୍ଟି କରାଯାଉଥିବା ବେଳେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ତୁହାକୁ ତୁହା ଐକ୍ୟ ତାନ ଦିଆଯାଉଛି ଯେ ସାଂପ୍ରତିକ ସରକାର ସଂବିଧାନରେ ଉଲ୍ଲିଖିତ ଧର୍ମ ନିରପେକ୍ଷତା, ଭ୍ରାତୃତ୍ବ ଭାବ ଓ ସଂଘୀୟତା ଭଳି ମହତ୍ତ୍ବପୂର୍ଣ୍ଣ ପ୍ରାବଧାନରେ ପରିବର୍ତ୍ତନ ଘଟାଇ ଭାରତୀୟ ଗଣତନ୍ତ୍ରର ଗୁଣସୂତ୍ରରେ ପରିବର୍ତ୍ତନ ଘଟାଇବାକୁ ଉଦ୍ଗ୍ରୀବ। ଏଭଳି ସ୍ଥଳେ ରାଜନୈତିକ ହଟଚମଟରୁ ଦୂରରେ ରହି ଭାରତୀୟ ନାଗରିକଙ୍କ ଦୈନନ୍ଦିନ ଜୀବନରେ ସଂବିଧାନର ଭୂମିକାକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଆଜିର ଦିବସରେ ବିଶେଷ ଗୁରୁତ୍ବ ବହନ କରିଥାଏ।
ଏଥିରେ ଦ୍ବିଧା ନାହିଁ ଯେ ୧୪୦ କୋଟି ସରିକି ଭାରତୀୟ ନାଗରିକଙ୍କ ମଧ୍ୟରୁ ୯୫%ରୁ ଅଧିକ ସେମାନଙ୍କ ଜୀବଦ୍ଦଶାରେ ହୁଏତ ସଂବିଧାନ ଗ୍ରନ୍ଥଟିକୁ ଦେଖିବାର ସୁଯୋଗ ପାଇ ନ ପାରନ୍ତି ଏବଂ ତାକୁ ପାଖରେ ରଖିବାର ଆବଶ୍ୟକତା ଅନୁଭବ କରି ନ ପାରନ୍ତି, ପାଠ କରିବା ତ ଦୂରର କଥା! ତା’ ସତ୍ତ୍ବେ ନିୟମ ଅନୁବର୍ତ୍ତୀ ଜଣେ ସାଧାରଣ ନାଗରିକ ଯଦି ଆଶ୍ବସ୍ତ ଯେ ଗଣତନ୍ତ୍ରର କୌଣସି ଏକ ଉତ୍ସରୁ ପ୍ରବାହିତ ନୀତି, ନିୟମ, ଅନୁଶାସନ, ଶୃଙ୍ଖଳା, ଅଧିକାରବୋଧ ଇତ୍ୟାଦିର ଧାରା ଠିକଣା ଭାଗମାପରେ ପ୍ରବାହିତ ହୋଇ ତା’ର ଜୀବନକୁ ସାବଲୀଳ କରିପାରିଛି, ତେବେ ଧରି ନେବାକୁ ହେବ ଯେ ସଂବିଧାନର ସ୍ବାସ୍ଥ୍ୟ ଅକ୍ଷୁଣ୍ଣ ଅଛି। କହିବାର ତାତ୍ପର୍ଯ୍ୟ ହେଲା ସଶରୀର ଉପସ୍ଥିତି ନ ଥିଲେ ବି ନାଗରିକ ଜୀବନରେ ସଂବିଧାନର ଆଶ୍ବାସନାକାରୀ ଅସ୍ତିତ୍ବ ସମ୍ଭବ ହୋଇପାରିବା ହିଁ ହେଉଛି ଏକ ଆଦର୍ଶ ସ୍ଥାନୀୟ ଗଣତନ୍ତ୍ରର ପରିଚାୟକ। ତେଣୁ ଭାରତୀୟ ସଂବିଧାନରେ ଯେଉଁ ବିଷୟଟି ସର୍ବାଧିକ ଗୁରୁତ୍ବ ପାଇଛି, ତାହା ହେଉଛି ପ୍ରକୃତ କ୍ଷମତାର ଉତ୍ସ ହେବେ ଭାରତୀୟ ନାଗରିକ(ୱି ଦ ପିପୁଲ), ଯେଉଁମାନେ ଆପଣା କ୍ଷମତାକୁ ସୁଶାସନ କଳ୍ପେ ରାଷ୍ଟ୍ରକୁ ଅର୍ପଣ କରିବେ; ଯେଉଁ ଅର୍ଥରେ ଭାରତୀୟ ନାଗରିକମାନେ ‘ପ୍ରଭୁ’ ଏବଂ ଜନ ପ୍ରତିନିଧି ବା ସରକାରୀ କର୍ମଚାରୀମାନେ ‘ସେବକ’(ପବ୍ଲିକ ସର୍ଭଣ୍ଟ) ରୂପେ ପରିଚିତ ହେବେ।
Industries: ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାକୁ ଉତ୍କର୍ଷ ଓଡ଼ିଶାରେ ସାମିଲ କରାଯିବ: ଶିଳ୍ପମନ୍ତ୍ରୀ
ଦୀର୍ଘ ଅଢ଼େଇ ଶହ ବର୍ଷର ବ୍ରିଟିସ ପରାଧୀନତାରୁ ମୁକ୍ତ ଦେଶବାସୀଙ୍କ ମନରେ ସ୍ବାଧୀନ ହୋଇଥିବାର ଅନିର୍ବଚନୀୟ ପୁଲକ ସୃଷ୍ଟି କରିବାକୁ ଯାଇ ସଂବିଧାନ ପ୍ରଣେତାମାନେ ସମ୍ଭବତଃ ଏଭଳି ବର୍ଣ୍ଣନାର ଆଶ୍ରୟ ନେଇଥିବେ; କାରଣ ସେହି ନାଗରିକ କ୍ଷମତା ପ୍ରତି ପାଞ୍ଚ ବର୍ଷେର ଥରେ, ନିର୍ବାଚନ କାଳରେ ପରିଦୃଷ୍ଟ ହୋଇ, ଅଲୋଡ଼ା ସରକାରଗୁଡ଼ିକୁ ବଦଳାଇ ଦେଇ ପାରିବ! କହିବା ବାହୁଲ୍ୟ, ସେଭଳି ହିଁ ଘଟି ଚାଲିଛି; ସରକାରମାନ ବଦଳୁଛନ୍ତି! କିନ୍ତୁ ପ୍ରଶ୍ନ ହେଲା, ନାଗରିକର ଇଚ୍ଛା ବା ପସନ୍ଦ ମୁକ୍ତ ହୋଇ ରହିଛି ତ? ନା ବିଭିନ୍ନ ଉପାୟରେ ସୁବ୍ୟବସ୍ଥିତ ଢଙ୍ଗରେ ତାକୁ ପ୍ରଭାବିତ କରିବାର ପ୍ରକରଣ ଦୃଢ଼ମୂଳ ହୋଇ ସାରିଲାଣି?
୧୯୪୩ ମସିହାରେ ପ୍ରସିଦ୍ଧ ଭାରତୀୟ ଲେଖକ ଆର. କେ. ନାରାୟଣଙ୍କ ରଚିତ ପୁସ୍ତକ ‘ମାଲଗୁଡ଼ି ଡେଜ୍’ରେ ଥିବା ଗଳ୍ପ ‘ଦ ଗେଟମ୍ୟାନ୍ସ ଗିଫ୍ଟ’ରେ ବର୍ଣ୍ଣିତ ଅଛି କିଭଳି ମୁଖ୍ୟ ଚରିତ୍ର ଗୋବିନ୍ଦ ସିଂହ, ଜଣେ ଅତ୍ୟନ୍ତ ନିଷ୍ଠାପର ସରକାରୀ କର୍ମଚାରୀ, ଚାକିରିରୁ ଅବସର ନେବା ପରେ ହଠାତ୍ ଦିନେ ଏକ ଲଫାପା ବନ୍ଦ ସରକାରୀ ଚିଠି ପାଇ ଆଶଙ୍କାରେ ଶିହରି ଉଠନ୍ତି; ତାଙ୍କ ଧାରଣାରେ ଏଭଳି ସରକାରୀ ଚିଠି କୌଣସି କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ସୂଚନା ଆଣିଥିବା ସୁନିଶ୍ଚିତ। ତେଣୁ, ଲଫାପା ନ ଖୋଲି ଚିଠିର ବିଷୟବସ୍ତୁ ନେଇ ଅନୁମାନ ଲଗାଇବା ଆଶାରେ ଭୟାର୍ତ୍ତ ସିଂହ ଅନେକ ଲୋକଙ୍କ ସାହାଯ୍ୟ ଲୋଡ଼ନ୍ତି। ଅବଶ୍ୟ, ପରିଶେଷରେ ଜଣାପଡ଼େ ଯେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରି ଏକ ପତ୍ର ସହିତ ଶହେ ଟଙ୍କାର ପୁରସ୍କାର ରାଶି ତା’ ଭିତରେ ଥାଏ। ଏହି ଗଳ୍ପ ଅବତାରଣା କରିବାର ତାତ୍ପର୍ଯ୍ୟ ହେଲା ସ୍ବାଧୀନତା ଲାଭ କରିବାର ୭୮ ବର୍ଷ ପରେ ସୁଦ୍ଧା କୌଣସି ସରକାରୀ ଦପ୍ତରରୁ ଖାମ ବନ୍ଦ ଚିଠି ପହଞ୍ଚିଗଲେ ଜଣେ ସାଧାରଣ ନାଗରିକ ଆଶଙ୍କାଗ୍ରସ୍ତ ହୋଇ ଉଠେ। ଏହାର ଅର୍ଥ ବ୍ରିଟିସ ଅମଳରୁ ଏ ଯାବତ୍ ଜଣେ ସାଧାରଣ ନାଗରିକ ନିଜକୁ ସରକାରଙ୍କ ବଶମ୍ବଦ ବୋଲି ଭାବି ଆସିଛି; ଏବଂ ଅନେକ ସ୍ଥଳେ ସେ ଦୟାର ପାତ୍ର ବୋଲି ମଧ୍ୟ ତାକୁ ବୁଝାଇ ଦିଆଯାଉଛି। ଏଭଳି ସ୍ଥଳେ ସଂବିଧାନ ଦ୍ବାରା ପ୍ରଦତ୍ତ ପ୍ରଭୁତ୍ବର ଅବବୋଧ କେବଳ ପ୍ରହେଳିକା ମାତ୍ର। ଏକ ପରିସଂଖ୍ୟାନ ଅନୁସାରେ ୨୦୨୫ ମସିହାରେ ଦେଶର ଅଦାଲତଗୁଡ଼ିକରେ ପଡ଼ି ରହିଥିବା ମାମଲାଗୁଡ଼ିକ ମଧ୍ୟରୁ ୭ ଲକ୍ଷ ମାମଲାରେ ଏବଂ ସୁପ୍ରିମ କୋର୍ଟରେ ପଡ଼ିଥିବା ମାମଲାର ୭୩%ରେ ସାଧାରଣ ନାଗରିକଙ୍କ ବିରୋଧରେ ସରକାର ପକ୍ଷଭୁକ୍ତ; ଅର୍ଥାତ୍ ସରକାରଙ୍କ ଅମାପ କ୍ଷମତା ଦ୍ବାରା ସଂବିଧାନ ପ୍ରଦତ୍ତ ଅଧିକାର କ୍ଷୁଣ୍ଣ ହେବା ବା ଅନ୍ୟ କୌଣସି ବାଟରେ କ୍ଷତିଗ୍ରସ୍ତ ହେବା ଭଳି କାରଣରୁ ଏଭଳି ସ୍ଥିତି ଉପୁଜିଛି। ଏହାର ଅର୍ଥ ସରକାର ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଏକ ସନ୍ଦେହର ବାତାବରଣ ସୁସ୍ପଷ୍ଟ(ବିଦେଶୀ ସରକାର ଅମଳରୁ ବିଦ୍ୟମାନ), ଯାହାର ପ୍ରମାଣ ସ୍ବରୂପ ଦେଖିବାକୁ ମିଳୁଛି ଏକାଧିକ ପରିଚୟ ପତ୍ରର ଆବଶ୍ୟକତା, ବାରମ୍ବାର କେ.ୱାଇ.ସି. ଦାଖଲ ଭଳି ପ୍ରକରଣର ବାଧ୍ୟବାଧକତା, ‘ଏସ.ଆଇ.ଆର.’ ପ୍ରସ୍ତୁତି ଇତ୍ୟାଦି। ଯଦିଓ ଏହା ସତ ଯେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଅନୁପ୍ରବେଶକାରୀ ଏବଂ ଅନ୍ତର୍ଘାତୀ କାର୍ଯ୍ୟରେ ଲିପ୍ତ ଲୋକମାନଙ୍କୁ ଚିହ୍ନଟ କରିବା ଲାଗି ଏଭଳି ବ୍ୟବସ୍ଥା ଆବଶ୍ୟକ ହୋଇଥାଏ; କିନ୍ତୁ ଏହା ମଧ୍ୟ ସତ ନୁହେଁ କି ଯେ ସରକାରୀ ଦୁର୍ନୀତି ହେତୁ ‘ନକଲି’ ନାଗରିକମାନେ ‘ଅସଲି’ର ପରିଚୟ ପତ୍ର ହାସଲ କରି ପ୍ରକୃତ ନାଗରିକଙ୍କୁ ସନ୍ଦିଗ୍ଧ କରି ପକାଇଛନ୍ତି! ସୁତରାଂ, ଭୟ ଓ ସନ୍ଦେହର ଶରବ୍ୟ ଏବଂ ସରକାରଙ୍କ ସମ୍ମୁଖରେ ନତଜାନୁ ନାଗରିକଙ୍କ ସକାଶେ ସଂବିଧାନ ପ୍ରଦତ୍ତ ‘ପ୍ରଭୁତା’ ମୃଗତୃଷ୍ଣା ସଦୃଶ। ଅବଶ୍ୟ, କୌଣସି ନିର୍ଦ୍ଦିଷ୍ଟ ସରକାର ଏଥି ଲାଗି ଦାୟୀ ନୁହନ୍ତି; ସ୍ବାଧୀନତା ପର ଠାରୁ ଶାସନ ବ୍ୟବସ୍ଥାରେ ନାଗରିକ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟ ବୀଜ ଭଳି ପୋତା ହୋଇ ରହିଛି।
Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ
ଆମ ସଂବିଧାନ ପ୍ରଣେତାଗଣ ସୁଶାସନ ସୁନିଶ୍ଚିତ କରିବା ସକାଶେ ତହିଁରେ ଅନେକ ପ୍ରାବଧାନ କରିଛନ୍ତି। ତେବେ, କୌଣସି ନିର୍ବାଚିତ ସରକାର, ତା’ର ସଂଖ୍ୟା ବଳ ହେତୁ, ଯେମିତି ନିରଙ୍କୁଶ ହୋଇ ନ ଯାଏ, ସେଥି ଲାଗି ଅନେକ ସାଂବିଧାନିକ ପଦ ଓ ଅନୁଷ୍ଠାନର ପରିକଳ୍ପନା କରି ନିୟନ୍ତ୍ରଣ ଓ ଭାରସାମ୍ୟ ରକ୍ଷାର ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ, ‘ଇମର୍ଜେନ୍ସି’ ଭଳି ସଂବିଧାନକୁ ଭୂଲୁଣ୍ଠିତ କରିଥିବା ଭଳି ପଦକ୍ଷେପ ଠାରୁ ଘେନି ବିଭିନ୍ନ ରାଜ୍ୟରେ ନ୍ୟାୟୋଚିତ ସରକାରର ପତନ ଘଟାଇବା, ନିର୍ବାଚନ କମିସନ, ଇ.ଡି., ସି.ଭି.ସି. ଭଳି ସ୍ବାୟତ୍ତ ଓ ସାଂବିଧାନିକ ଅନୁଷ୍ଠାନ ଏବଂ ରାଜ୍ୟପାଳ ଭଳି ଗରିମାମୟ ସାଂବିଧାନିକ ପଦକୁ ସ୍ବାର୍ଥ ସାଧନର ଅଭିସନ୍ଧି ରଖି ପ୍ରୟୋଗ କରିବା ପର୍ଯ୍ୟନ୍ତ ଅନେକ ଅସାଂବିଧାନିକ କାର୍ଯ୍ୟକଳାପ ସ୍ବାଧୀନତା ପରବର୍ତ୍ତୀ କାଳ ଠାରୁ ପ୍ରତ୍ୟେକ ସରକାରଙ୍କ ଅମଳରେ ଘଟି ଚାଲିଛି। ସଂପ୍ରତି ଉଭୟ ସରକାରୀ ଓ ବିରୋଧୀ ଦଳର ଅନେକ ରାଜନେତା ସଂବିଧାନ ଗ୍ରନ୍ଥଟିକୁ ବକ୍ଷରେ ଚାପି ଧରି ସମସ୍ତଙ୍କ ହୃଦ୍ବୋଧ କରାଇବାକୁ ଚାହାନ୍ତି ଯେ ସେମାନେ କେବଳ ସଂବିଧାନର ତ୍ରାଣକର୍ତ୍ତା, ଅପର ପକ୍ଷ ଏହାକୁ ବିପନ୍ନ କରିବାରେ ପ୍ରମତ୍ତ। କିନ୍ତୁ ସତ କହିଲେ, ଆମ ଚମତ୍କାର ସଂବିଧାନର ପ୍ରକୃତ ପରିତ୍ରାଣ ସେତେବେଳେ ସମ୍ଭବ, ଯେତେବେଳେ ଅତିକାୟ ସଂବିଧାନ ଗ୍ରନ୍ଥଟି ବିଶେଷ ଦୃଶ୍ୟମାନ ହେବ ନାହିଁ; ଅଥଚ ଭୟ, ସନ୍ଦେହ ଓ ଦୟନୀୟ ସ୍ଥିତିରୁ ମୁକ୍ତ ନାଗରିକ ସଂବିଧାନରେ ସୂଚିତ କର୍ତ୍ତବ୍ୟ ଓ ଦାୟିତ୍ବକୁ ସ୍ବଇଚ୍ଛାରେ ନିର୍ବାହ କରିବା ସହିତ ସଂବିଧାନ ଦ୍ବାରା ପ୍ରଦତ୍ତ ସମ୍ମାନର ପାତ୍ର ହେବ। ସଂବିଧାନର ସୌରଭ ପ୍ରଶ୍ବାସର ବାୟୁ ଭଳି ହାଲୁକା ଓ ସର୍ବବ୍ୟାପୀ ହୋଇ ଆମ ସମସ୍ତକୁ ଘେରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)