ବାଲିଆପାଳ: ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କ ଦ୍ବାରା ଜମାରାଶି ହେର୍‌ଫେର ଅଭିଯୋଗ କରି ଲୋକେ ତାତିଛନ୍ତି। ଉତ୍ତେଜିତ ଲୋକେ ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କୁ ବାନ୍ଧିଦେବା ସହ ଅନୁକମ୍ପା ଦେଖାଉଥିବା ଅଭିଯୋଗରେ ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଟକ ରଖି ରାସ୍ତାରୋକ କରିଛନ୍ତି। ଶେଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି। ଏମିତି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ରେ।

Advertisment

Naveen's: ୧୦ ଜିଲ୍ଲା ପରିଷଦ ସଭାପତିଙ୍କ ସହ ନବୀନଙ୍କ ଆଲୋଚନା


ବାଲିଆପାଳ ବ୍ଲକ୍‌ ଅଧୀନ ଦେଉଳା ପଞ୍ଚାୟତ ସମ୍ମୁଖରେ ଦେଉଳା ଗ୍ରାମର ରଞ୍ଜନ ରଣା (୩୫) ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ର ଖୋଲିଛନ୍ତି। ଯେଉଁଠି ସ୍ଥାନୀୟ ଅଞ୍ଚଳର ଶହଶହ ଲୋକ ଟଙ୍କା ଜମା କରିଥିଲେ। ହେଲେ ରଞ୍ଜନ ତଞ୍ଚକତା ପୂର୍ବକ ମିଛ ରସିଦ ଦେଇ ୫୦ ଲକ୍ଷରୁ  ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ଜମାକାରୀମାନେ ରଞ୍ଜନଙ୍କୁ ଟଙ୍କା ମାଗିଥିଲେ। ରଞ୍ଜନ ଟଙ୍କା ଫେରାଇ ଦେବେ କହି ସମୟ ଗଡ଼ାଇଥିଲେ। ଫଳରେ ଶତାଧିକ ଜମାକାରୀ ଓ ସ୍ଥାନୀୟ ଲୋକ ଆଜି ରଞ୍ଜନଙ୍କୁ ଧରି ଏକ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ନିର୍ଘାତ୍‌ ମାଡ଼ ମାରିଥିଲେ।

Republic Day: ସାଧାରଣତନ୍ତ୍ର ଦିବସ ପରେଡ୍‌ ପ୍ରସ୍ତୁତି: ରିହର୍ସାଲ୍‌ରେ ଭାଗନେଲେ ୫୪ ଦଳ

ଖବର ପାଇ ବାଲିଆପାଳ ଥାନା ଆଇଆଇସି ସାଲଖାନ ମୁର୍ମୁ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ରଞ୍ଜନଙ୍କୁ ଉଦ୍ଧାର କରି ଥାନାକୁ ପଠାଇ ଦେଇଥିଲେ। ତେବେ ରଞ୍ଜନଙ୍କୁ ପୁଲିସ ସାହାଯ୍ୟ କରୁଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଆଇଆଇସି ଶ୍ରୀ ମୁର୍ମୁଙ୍କ ସହ ଅନ୍ୟକିଛି କର୍ମଚାରୀଙ୍କୁ ଦିନ ପ୍ରାୟ ୧ଟା ବେଳେ ଅଟକ ରଖିଥିଲେ। ଫଳରେ ବସ୍ତା ଏସ୍‌ଡିପିଓ ମାନସ ଦେଓଙ୍କ ନିର୍ଦ୍ଦେଶକ୍ରମେ ସିଂଲା ଥାନା ପୁଲିସ ପହଞ୍ଚି  ଲୋକମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ଲୋକେ କିଛି ନଶୁଣି ସିଂଲା ଥାନା ଆଇଆଇସିଙ୍କୁ ମଧ୍ୟ ଅଟକ ରଖିଥିଲେ। ପରେ ଏସ୍‌ଡିପିଓ ଶ୍ରୀ ଦେଓ ଓ ୩ ଜଣ ପୁଲିସ ଅଧିକାରୀ ଏକ ପ୍ଲାଟୁନ୍‌ ଫୋର୍ସ ସହ ଆସି ବୁଝାଇଥିଲେ। ତଥାପି ‌ଲୋକମାନେ ବାଲିଆପାଳ-ଲଙ୍ଗଳେଶ୍ୱର ରାସ୍ତା ଅବରୋଧ କରିଥିଲେ। ଶେଷରେ ସଂଧ୍ୟା ପ୍ରାୟ ୭ଟା ବେଳେ ପୁଲିସ ଲାଠିଚାର୍ଜ କରିବାରୁ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ। ରଞ୍ଜନ ପୂର୍ବରୁ ମଧ୍ୟ ଟଙ୍କା ହେର୍‌ଫେର ମାମଲାରେ ସାଇବର୍‌ ଥାନା ପୁଲିସ ଦ୍ବାରା ଗିରଫ ହୋଇଥିଲେ।