ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ରାଜଧାନୀ ଭୁବନେଶ୍ବରରେ ବୃକ୍ଷରୋପଣ ପାଇଁ ଗଛବାଡ଼ା (ଟ୍ରି ଗାର୍ଡ) କିଣାରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ଆସିଛି। ଅଦ୍ୟାବଧି ପୂର୍ବର ବଳକା ତଥା କ୍ରୟ ହୋଇଥିବା ଟ୍ରି ଗାର୍ଡ ସରିନି। ଏଣେତେଣେ ଫିଙ୍ଗା ହୋଇଛି। ପଡ଼ିପଡ଼ି କଳଙ୍କି ଲାଗି ନଷ୍ଟ ହେଲାଣି। ତଥାପି ଠିକାସଂସ୍ଥାଙ୍କୁ ପୋଷିବାକୁ ଯାଇ ଭୁବନେଶ୍ବର ମହାନଗର ନିଗମ ଆହୁରି ୩ କୋଟି ଟଙ୍କାର ଟ୍ରି ଗାର୍ଡ  କିଣିଛି। ଆଗକୁ ଆହୁରି ୪ କୋଟିରୁ ଅଧିକ ଟଙ୍କାର ଟ୍ରି ଗାର୍ଡ  କ୍ରୟ କରିବାକୁ ନିଷ୍ପତ୍ତି ନେଇଛି। ଯାହାକୁ କର୍ପୋରେଟର୍ ଓ ଜନସାଧାରଣ ଦୃଢ଼ ବିରୋଧ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Advertisment

Paddy: ଝରିଗାଁରେ ଆଜିଡୁ ଧାନ ମଣ୍ଡି ଆରମ୍ଭ; ଟୋକନ୍‌ ଆସିଲା ଟାର୍ଗେଟ୍‌ ନାହିଁ

ବୃକ୍ଷରୋପଣ ପାଇଁ ବିଏମ୍‌ସି ଗାତ ଖୋଳା, ଗଛ କିଣା, ଟ୍ରି ଗାର୍ଡ  କିଣା ଓ ଲଗାଇବା, ପାଣି ଦେବା ଆଦି ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରିଛି ଏବଂ ସେହି ଅନୁସାରେ ଟଙ୍କା ଦେଉଛି। ଏପରି ହିସାବ କଲେ ଲଗାଯାଉଥିବା ଗଛ ପିଛା ପ୍ରାୟ ୨ରୁ ୩ହଜାର ଟଙ୍କା ଖର୍ଚ୍ଚ କରାଯାଉଛି। ୨୦୨୩-୨୪ ଓ ୨୦୨୪-୨୫ରେ ବୃକ୍ଷରୋପଣ ପାଇଁ ବହୁ ପରିମାଣର ଲୁହାର ଟ୍ରି ଗାର୍ଡ  କ୍ରୟ କରାଯାଇଥିଲା, ଯାହାକୁ ବିଭିନ୍ନ ୱାର୍ଡକୁ ବଣ୍ଟାଯାଇଥିଲା। କିନ୍ତୁ ଅଦ୍ୟାବଧି ଏହି ଲୁହା ଟ୍ରି ଗାର୍ଡ ଲାଗି ପାରିନି ଏବଂ ସେହିଭଳି ବିଭିନ୍ନ ୱାର୍ଡରେ ପଡ଼ିରହିଛି। କେଉଁଠି ୱାର୍ଡ କାର୍ଯ୍ୟାଳୟରେ ତ କେଉଁଠି କର୍ପୋରେଟର୍‌ଙ୍କ ଘର ଆଗରେ, ପୁଣି କେଉଁଠି ନଦୀପଠାରେ ଶହଶହ ସଂଖ୍ୟାରେ ପିଙ୍ଗାଯାଇଛି।। ଅରଖ ନୂଆ ଟ୍ରି ଗାର୍ଡ ପଡ଼ି ପଡ଼ି କଳଙ୍କି ଲାଗି ନଷ୍ଟ ହେଲାଣି। ସହିଦନଗର ୩୦ ନମ୍ବର ୱାର୍ଡ କାର୍ଯ୍ୟାଳୟ ଏହାର ଜ୍ବଳନ୍ତ ଉଦାହରଣ। ୩୦ ନମ୍ବର ୱାର୍ଡ କାର୍ଯ୍ୟାଳୟ ପରିସରରେ ପ୍ରାୟ ୨ ବର୍ଷ ହେଲାଣି ଟ୍ରି ଗାର୍ଡ  ଗଦାଇ ରଖାଯାଇଛି। ସେହିପରି ୪ ନମ୍ବର ୱାର୍ଡ ଅନ୍ତର୍ଗତ ନହରକଣ୍ଟା ହରିଦାସପୁର କୁଆଖାଇ ନଦୀପଠାରେ ଶହଶହ ସଂଖ୍ୟାରେ ଟ୍ରି ଗାର୍ଡ ଫିଙ୍ଗାଯାଇଛି। ତଥାପି ୨୦୨୫-୨୬ ଆର୍ଥିକ ବର୍ଷରେ ବିଏମ୍‌ସି ନୂଆ ୫୦ହଜାର ଟ୍ରି ଗାର୍ଡ  କ୍ରୟ କରିବାକୁ ନିଷ୍ପତ୍ତି ନେଇଛି।

ଆହୁରି କିଣିବେ ୩୦ ହଜାର

ନିଜେ ଡେପୁଟି କମିସନର୍(ପରିବେଶ) ଚଳିତବର୍ଷ ଜୁନ୍ ୬ ତାରିଖରେ ଏହି ଟ୍ରି ଗାର୍ଡ  କିଣିବା ପାଇଁ ଚିଠି କରିଥିଲେ। ଯାହାର ଚିଠି ସଂଖ୍ୟା  ୨୮୭୨୩/୬.୬.୨୦୨୫। ଚିଠିରେ ସେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୫୦ହଜାର ଲୁହା ଟ୍ରି ଗାର୍ଡ କିଣିବାକୁ କହିଥିଲେ। ଏହି ଚିଠି ଉପରେ ବିଏମ୍‌ସି ପକ୍ଷରୁ ସଂପୃକ୍ତ ଅଧିକାରୀଙ୍କୁ ନେଇ ଏକ ବୈଠକ ଡକାଯାଇଥିଲା ଓ ଚିଠି ଆଧାରରେ ୫୦ହଜାର ଲୁହା ଟ୍ରି ଗାର୍ଡ କିଣିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ନିର୍ବାହୀ ଯନ୍ତ୍ରୀ ଡିଭିଜନ୍‌୨ଙ୍କ ତରଫରୁ ଟେଣ୍ଡର(ଚିଠି ନମ୍ବର-୨୯୭୫୮) ଆହ୍ବାନ କରାଯାଇଥିଲା। ଟେଣ୍ଡରରେ ସର୍ବନିମ୍ନ ଦରଦାତା ଭାବେ ମେସର୍ସ ଲୋକନାଥ ଟ୍ରେଡର୍ସଠାରୁ ୟୁନିଟ୍‌ପିଚ୍ଛା ୧୪୫୦ ଟଙ୍କାରେ ଲୁହା ଟ୍ରି ଗାର୍ଡ କିଣିବାକୁ ଟେଣ୍ଡର କମିଟି ମଞ୍ଜୁର କରିଥିଲା। ମେସର୍ସ ଲୋକନାଥ ଟ୍ରେଡର୍ସଠାରୁ ୫୦ହଜାରରୁ ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଗଛ ବାଡ଼ା କ୍ରୟ କରାଯାଇଛି। ୧୪୫୦ ଟଙ୍କା ହିସାବରେ ଏହି ସଂସ୍ଥାକୁ ଭୁବନେଶ୍ବର ମହାନଗର ନିଗମ ୨ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରିଛି।

Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ

ଶୀଘ୍ର ଆହୁରି ୩୦ହଜାର ଟ୍ରି ଗାର୍ଡ କ୍ରୟ କରାଯିବ। ପରବର୍ତ୍ତୀ ସମୟରେ ଦର ବୃଦ୍ଧି କରାଯିବ କି କରାଯିବନି ଭିନ୍ନ କଥା, କିନ୍ତୁ ବର୍ତ୍ତମାନର ସ୍ଥିରୀକୃତ ଦର ଅନୁସାରେ ଏହାର ମୂଲ୍ୟ ପ୍ରାୟ ୪ କୋଟି ୩୫ ଲକ୍ଷ ଟଙ୍କା। ବଡ଼କଥା ହେଉଛି, ଏହି ଟଙ୍କା ଖର୍ଚ୍ଚ ସରିବା ପରେ କର୍ପୋରେସନ୍‌ର ଅନୁମୋଦନ ନିଆଯାଇଛି। ଏ ସଂପର୍କରେ ଭୁବନେଶ୍ବର ମହାନଗର ନିଗମ ଡେପୁଟି କମିସନର୍(ପରିବେଶ) କାଜଲ ପ୍ରଧାନ କହିଛନ୍ତି, କୁଆଖାଇ ନଦୀପଠା ଓ ଅନ୍ୟ କିଛି ଜାଗାରେ ଅସୁବିଧା କାରଣରୁ ଗଛ ଲାଗିପାରିନି। ଯେଉଁଥିପାଇଁ ଟ୍ରି ଗାର୍ଡ ସବୁ ଗଦା ହୋଇ ରହିଛି। ତଥାପି ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।