ଭୁବନେଶ୍ୱର: ଚିଲିକା ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସମ୍ପଦର ଅନନ୍ୟ ସମ୍ଭାର। ଚିଲିକାର ବିଦେଶାଗତ ପକ୍ଷୀ ଆଗମନ, ନୌବାଣିଜ୍ୟ, ମତ୍ସ୍ୟଜୀବୀଙ୍କ ଡଙ୍ଗାଚାଳନା ଓ ମାଛଧରା ପ୍ରଣାଳୀ, ଜୀବନଯାପନ ବିସ୍ତୃତ ଜଳରାଶିରେ ଗମନାଗମନ ପର୍ଯ୍ୟଟକଙ୍କୁ ଅତ୍ୟନ୍ତ ବିମୋହିତ କରିଥାଏ। ଚିଲିକା ପକ୍ଷୀ ମହୋତ୍ସବ ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକାଠାରେ ଆଜି ଆୟୋଜିତ ପ୍ରଥମ ଦେଶୀ ଡଙ୍ଗା ଚାଳନା ପ୍ରତିଯୋଗିତାର ପ୍ରଥମ ସଂସ୍କରଣକୁ ଉଦ୍‌ଘାଟନ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
Advertisment
ଶ୍ରୀମତୀ ପରିଡ଼ା କହିଲେ, ଚିଲିକା ପର୍ଯ୍ୟଟନ ସ୍ଥଳୀ ଆନ୍ତର୍ଜାତୀୟ କ୍ଷେତ୍ରରେ କିପରି ଆହୁରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ସେଦିଗରେ ପଦକ୍ଷେପ ନିଆଯାଉଛି। ପ୍ରକୃତିର ସୁରକ୍ଷା, ମତ୍ସ୍ୟଜୀବୀଙ୍କ ପାରମ୍ପାରିକ ବେଉସା, ବେଦେଶାଗତ ପକ୍ଷୀଙ୍କ ଅଧିକ ଆଗମନ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଭିଜନରେ ନୂତନ ଅଧ୍ୟାୟ ସୃଷ୍ଟି କରି ପର୍ଯ୍ୟଟନ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପର୍ଯ୍ୟଟନ ବିଭାଗ ଶାସନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ପ୍ରଥମ ସଂସ୍କରଣ ପ୍ରତିଯୋଗିତାରେ ପୁରୀ, ଖୋର୍ଦ୍ଧାଗଞ୍ଜାମ ଜିଲ୍ଲାର ୮୧ଟି ଦେଶୀ ଡଙ୍ଗା ସମିତି ସାମିଲ ହୋଇଥିଲେ। ଉଦ୍‌ଘାଟନୀ ଦିବସରେ ୪୫ଟି ଦଳ ଅଂଶଗ୍ରହଣ କରିଥିଲେ। ୭୦୦ ମିଟର ଜଳରାଶିରେ ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଦଳ ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଭାଗନେବେ। ପ୍ରତିଯୋଗିତା ସୁରକ୍ଷା ନିମନ୍ତେ ଅଗ୍ନିଶମ ସେବା, ସ୍କୁବା ଡ୍ରାଇଭର, ଓଡ୍ରାଫ୍‌, ପୁଲିସ ପ୍ରଶାସନ ସମସ୍ତ ସେବା ଯୋଗାଇ ଦେବାକୁ ନିୟୋଜିତ ହୋଇଛନ୍ତି।