ଚନ୍ଦ୍ରଶେଖରପୁର: ସରିଯାଉଛି ୨୦୨୫। ସେ ଆଉ ମାତ୍ର ଦିନ କେଇଟାର ଇତିହାସ ପାଲଟିଯିବ। ନୂଆ ସ୍ବପ୍ନ, ନୂଆ ଆଶା, ନୂଆ ଭରସା ନେଇ ୨୦୨୬ ଆସିବ ବୋଲି ସବୁରି ମନରେ ଉତ୍କଣ୍ଠା। ପୁରୁଣା ବର୍ଷ ୨୦୨୫କୁ ମେଲାଣି ଦେବା ଲାଗି ମନରେ ଯେତିକି ଦୁଃଖ, ନୂଆବର୍ଷ ୨୦୨୬କୁ ସ୍ବାଗତ କରିବାକୁ ମନ ସେତିକି ବ୍ୟାକୁଳ। ତେଣୁ ଏବେଠୁ ସବୁଆଡ଼େ ସେଲିବ୍ରେସନ୍ ମୁଡ୍। ଏଥିରୁ ବାଦ୍ ପଡ଼ନ୍ତେ କିଭଳି ରାଜଧାନୀବାସୀ! ୨୦୨୫କୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଆରମ୍ଭ ହୋଇଗଲାଣି ବଣଭୋଜି। ରାଜଧାନୀ ଭିତରେ ଶିଖରଚଣ୍ଡୀ ମୁଣ୍ଡିଆରେ ଦେଖାଗଲାଣି ସେଲିବ୍ରେସନ୍ ମୁଡ୍। ପାହାଡ଼ର ଅସଜଡ଼ା ଭିତ୍ତିଭୂମିକୁ ବି ପିକ୍ନିକ୍ ପାର୍ଟିମାନେ ଖାତିର କରୁନାହାନ୍ତି। ବଣଭୋଜିର ସୁବିଧା ନ ଥିବା ସତ୍ତ୍ବେ ସମସ୍ୟାକୁ ଫୁ’ କରି ପିକ୍ନିକ୍ ପାର୍ଟିମାନେ ଶିଖରଚଣ୍ଡୀ ପାହାଡ଼ରେ ମସ୍ତି କରିବା ଦେଖାଗଲାଣି।
How will prison reform be done: କେମିତି ହେବ ଜେଲ୍ ସଂସ୍କାର? ଅଭିଯୋଗ ଥିବା ଅଧିକାରୀଙ୍କୁ ପ୍ରୋତ୍ସାହନ
ରାଜଧାନୀବାସୀଙ୍କୁ ବଣଭୋଜି ପାଇଁ ବେଶି ଦୂର ଯିବାକୁ ପଡ଼ୁନି। ସହର ଭିତରେ ରହିଛି ଶିଖରଚଣ୍ଡୀ ପିକ୍ନିକ୍ ସ୍ପଟ୍। ବିଶେଷକରି ଆମିଷ ବାର ଯଥା ରବିବାର, ବୁଧବାର, ଶୁକ୍ରବାର ରାଜଧାନୀ ଓ ଆଖପାଖ ଅଞ୍ଚଳର ଲୋକପ୍ରିୟ ପିକ୍ନିକ୍ ସ୍ପଟ୍ଗୁଡ଼ିକରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହେଉଛି। ସହର ଭିତରେ ଥିବା ଅନ୍ୟତମ ପର୍ଯ୍ୟଟନ ତଥା ପିକ୍ନିକ୍ ସ୍ଥଳୀ ଶିଖରଚଣ୍ଡୀରେ ଏବେ ଭୋଜିଭାତର ଆସର ଜମୁଛି। ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି ଯେ ସାରା ପରିବେଶ ଉଛୁଳି ଉଠୁଛି। ରାତି ନ ପାହୁଣୁ ଶିଖରଚଣ୍ଡୀରେ ପିକ୍ନିକ୍ ପାଇଁ ବିଭିନ୍ନ ଗ୍ରୁପ୍ ଡେରା ପକାଉଛନ୍ତି। କିଏ ଦରି ପକାଇ ପିଣ୍ଡି ଜଗୁଛି ତ ଆଉ କିଏ ପେପର ପକାଇ ବସୁଛି। ଏମିତିକି ଭୋର୍ ୪ଟାରୁ କିଛି ଜଣ ପିଣ୍ଡି ଉପରେ ବସି ରହିଥିବା ଦେଖିବାକୁ ମିଳୁଛି। ପିଣ୍ଡି ବୁକିଂ ବ୍ୟବସ୍ଥା ନ ଥିବାରୁ ଭୋର୍ରୁ ଲୋକ ଆସି ରୋଷେଇ ସରଞ୍ଜାମ ରଖି ଜଗି ରହୁଛନ୍ତି। ବେଳେବେଳେ ପାହାଡ଼ ଉପରେ ମନ୍ଦିର କମିଟି ପକ୍ଷରୁ ଉପଲବ୍ଧ ହେଉଥିବା ରୋଷେଇ ଉପକରଣ ଅଭାବ ପଡ଼ୁଛି। ଏପରିକି ପିକ୍ନିକ୍ ସ୍ପଟ୍ ନିକଟସ୍ଥ ଅଞ୍ଚଳରେ ରୋଷେଇ ସରଞ୍ଜାମ, ଟେଣ୍ଟ୍ ସାମଗ୍ରୀ ବି ଅଭାବ ପଡ଼ୁଛି। ସନ୍ଧ୍ୟା ପରେ ସବୁଠି ବଣଭୋଜି ମନା, ସେଥିପାଇଁ ସନ୍ଧ୍ୟା ସୁଦ୍ଧା ସମସ୍ତେ ବଣଭୋଜି ଶେଷ କରି ଚାଲିଯାଉଛନ୍ତି। ଆବଶ୍ୟକ ଭିତ୍ତିଭୂମି ନ ଥିଲେ ମଧ୍ୟ ଶିଖରଚଣ୍ଡୀ ପାହାଡ଼ରେ ଦୈନିକ ୮୦ରୁ ୧୦୦ ଦଳ ଭୋଜି କରୁଛନ୍ତି। ମନ୍ଦିର ଓ ପାହାଡ଼ର ଉନ୍ନତୀକରଣ ତଥା ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଚାଲୁଥିବାରୁ ଭୋଜି କରିବାକୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିଏ କେଉଁଠି ଭୋଜି କରିବେ, ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ତଥାପି ଭୋଜିଭାତର ଆସର ବେଶଶ୍ଜମୁଛି। ପିଣ୍ଡି ନମିଳିଲେ ଅନେକ ପାର୍ଟି ଇଟା ଥୋଇ ଭୋଜି କରୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାହାଡ଼ ପାଦଦେଶରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ପାହାଡ଼ ଚଢ଼ିବାକୁ ଥିବା ରାସ୍ତାର ଦୁଇ ପାର୍ଶ୍ବରେ ମଧ୍ୟ କାର୍ ଓ ବାଇକ୍ ପାର୍କିଂ ହେଉଛି। ବିଡିଏ ପକ୍ଷରୁ ନିୟୋଜିତ କେତେଜଣ ସିକ୍ୟୁରିଟି ଗାର୍ଡ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ମଝିରେ ମଝିରେ ପିସିଆର ଭ୍ୟାନ୍ ବୁଲିଯାଉଛି।
ବିଗିଡ଼ିଗଲାଣି ସୌନ୍ଦର୍ଯ୍ୟ
ଗୋଟିଏ ପଟେ ଶିଖରଚଣ୍ଡୀ ପାହାଡ଼ର ଉନ୍ନତୀକରଣ ଚାଲିଛି। ବଣଭୋଜି କରିବାକୁ ଆସୁଥିବା ଲୋକଙ୍କୁ ନିଆରା ଅନୁଭୂତି ଦେବାକୁ ଦୁଇ ବର୍ଷ ତଳେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍ଡିସି) ପକ୍ଷରୁ ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ପାହାଡ଼ ପାଦଦେଶରୁ ଉପର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଭଳିକି ଭଳି ଫୁଲ ଗଛ ଲଗାଯାଇ ସୌନ୍ଦର୍ଯ୍ୟୀକରଣ ହୋଇଥିଲା। ମାତ୍ର ଏବେ ତାହା ମଉଳି ଯାଇଛି। ଆଗଭଳି ଆଉ ସୌନ୍ଦର୍ଯ୍ୟ ନାହିଁ। ସବୁ କିଛି ନଷ୍ଟ ହୋଇଗଲାଣି। ମା’ ଶିଖରଚଣ୍ଡୀଙ୍କ ମନ୍ଦିର କାମ ଶେଷ ହୋଇ ନ ଥିବାରୁ ଆଉ ଏକ ସମସ୍ୟା ହୋଇଛି। ମା’ଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ।
ରବିବାରିଆ ଟେନ୍ସନ୍
ବର୍ଷ ଶେଷ ହେଉଥିବାରୁ ଏବେ ଭୋଜି ଭାତ କାରିବାକୁ ପ୍ରବଳ ଗହଳି ହେଉଛି। ରବିବାର ଏଠାକାର ସମସ୍ୟା ଶୀର୍ଷରେ ପହଞ୍ଚୁଛି। ଛୁଟିଦିନ ରହୁଥିବାରୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏଠାରେ ଭୋଜିଭାତ କରିବାକୁ ଆସୁଛନ୍ତି। ଗତ ରବିବାର ଏଠାରେ ୧୭୦ଟି ଦଳ ପିକ୍ନିକ୍ କରିଥିଲେ, ଯାହାକି ଶିଖରଚଣ୍ଡୀ ଇତିହାସରେ ରେକର୍ଡ। ୫ ହଜାରରୁ ଅଧିକ ଲୋକ ରହିଥିଲେ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ଭୋଜି ଶେଷ ହୋଇଥିଲା। ଆସନ୍ତା ୨୮ ତାରିଖ ରବିବାର ଥିବାରୁ ପୁଣିଥରେ ଭିଡ଼ ହେବାର ଆଶଙ୍କା ପ୍ରକାଶ ପାଇଛି। ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କିଂ ପରିଚାଳନା ଏବେ ଟେନ୍ସନ୍ ବଢ଼ାଇଛି।
How will prison reform be done: କେମିତି ହେବ ଜେଲ୍ ସଂସ୍କାର? ଅଭିଯୋଗ ଥିବା ଅଧିକାରୀଙ୍କୁ ପ୍ରୋତ୍ସାହନ
ସୁହାଉଛି ସୁଲଭ ପିଣ୍ଡି
ଶିଖରଚଣ୍ଡୀରେ ଭୋଜି କରିବାକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁନି। ସ୍ଥାନୀୟ କମିଟି ପିଣ୍ଡି ପରିଚାଳନା କରୁଥିବାରୁ ପିଣ୍ଡି ପିଛା ମାତ୍ର ୨୦୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଏଠାରେ ୪୦ରୁ ଅଧିକ ପିଣ୍ଡି ରହିଛି। ଏହାବାଦ୍ ପାହାଡ଼ର ବିଭିନ୍ନ ସ୍ଥାନରେ ଭୋଜି କରିବାକୁ ଅନୁମତି ଦିଆଯାଉଛି। ପାଣି ସୁବିଧା ସହ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦିଆଯାଉଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ହେଉଛି। ଏଠାରେ ଅଳ୍ପ ଲୋକଙ୍କ ପାଇଁ ରୋଷେଇ ସାମଗ୍ରୀ ମିଳିଯାଉଛି।
ପିଲାଙ୍କ ଆକର୍ଷଣ ପାତି ମାଙ୍କଡ଼
ଏଠାରେ ବହୁ ସଂଖ୍ୟାରେ ପାତିମାଙ୍କଡ଼ ଦେଖାଯାଉଛନ୍ତି। ବଡ଼ କଥା ହେଉଛି, ଅନ୍ୟ ପର୍ଯ୍ୟଟନସ୍ଥଳରେ ମାଙ୍କଡ଼ମାନଙ୍କ ଉପଦ୍ରବ ଦେଖିବାକୁ ମିଳେ। କିନ୍ତୁ ଏଠିକାର ମାଙ୍କଡ଼ମାନେ ଭିନ୍ନ। ଏମାନେ ଲୋକଙ୍କୁ ଆକ୍ରମଣ କରନ୍ତି ନାହିଁ। ଲୋକେ ଯାହା ଦେଲେ ଖାଆନ୍ତି ସିନା ଛଡ଼ାଇ ନିଅନ୍ତି ନାହିଁ। ତେଣୁ ବଣଭୋଜିରେ ସାମିଲ ହୋଇଥିବା କୁନିକୁନି ପିଲାମାନେ ପାତିମାଙ୍କଡ଼ ଦେଖି ବେଶି ଖୁସି ହୁଅନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/25/dadgadggdgd-2025-12-25-03-20-28.jpg)