ଭୁବନେଶ୍ବର: ରାଜ୍ୟର ରାଜଧାନୀ। ପ୍ରଥମ ମହାନଗର ନିଗମ। ସାରା ରାଜ୍ୟର ଆଦର୍ଶ ହେବା କଥା। କିନ୍ତୁ ଏଠାରେ ଟ୍ରାଫିକ୍ ଅବ୍ୟବସ୍ଥା ଚରମ ସୀମା ଛୁଇଁଲାଣି। ଟ୍ରାଫିକ୍‌ ଜାମ୍‌ରେ ରାଜଧାନୀ  ଅଣନିଃଶ୍ବାସୀ ହୋଇପଡ଼ୁଥିବା ବେଳେ ଲୋକେ  କାନ୍ଦିଲେଣି। ସ୍ଥିତି ଏପରି ଯେ ରାଜଧାନୀବାସୀ ଚାରିଚକିଆ ତ ଦୂରର କଥା ଦୁଇଚକିଆ ନେଇ ବି ଘରୁ ବାହାରିବାକୁ ଡରିଲେଣି। ସମଦଶା ଆଗନ୍ତୁକମାନଙ୍କର। ଏମାନେ ବି ଭିଡ଼ ଦେଖି ରାଜଧାନୀ ଆସିବାକୁ ଡରିଲେଣି। କିନ୍ତୁ କମିସନରେଟ୍ ପୁଲିସ ନିଘୋଡ଼ ନିଦ୍ରାରେ। ବାବୁମାନେ ଭିଡ଼ର କାରଣ ଖୋଜୁନାହାନ୍ତି କି ଭିଡ଼ ବଢ଼ାଉଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏଣୁ ଟ୍ରାଫିକ୍ ସମସ୍ୟାର ଏହି ଅଡ଼ୁଆ ଖିଅ ଦିନକୁ ଦିନ ବଢ଼ିଚାଲିଛି। 

Advertisment

କାରଣ ଖୋଜୁନାହାନ୍ତି, ଭାଗ୍ୟ ଆଦରି ପଡ଼ିଛନ୍ତି ରାଜଧାନୀବାସୀ

ନିଘୋଡ଼ ନିଦ୍ରାରେ କମିସନରେଟ୍ ପୁଲିସ ଓ ବିଏମ୍‌ସି

ନାକରେ କାନ୍ଦୁଛନ୍ତି ଚାଳକ, ଘରୁ ବାହାରିବାକୁ ଡରିଲେଣି ଲୋକେ

ଆଜି ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଅପରାହ୍ଣ ପ୍ରାୟ ୫ଟା ୨୫। ରସୁଲଗଡ଼ ଛକରୁ ବମିଖାଲ, କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତା, ବାଣିବିହାରରୁ ବରମୁଣ୍ଡା ପର୍ଯ୍ୟନ୍ତ ରାସ୍ତା, ରସୁଲଗଡ଼ରୁ ପଳାଶୁଣି ପର୍ଯ୍ୟନ୍ତ ରାସ୍ତା, ସଂପୂର୍ଣ୍ଣ ଭିଡ଼ରେ ଅଟକି ଯାଇଥିଲା। ସେ ଓଭରବ୍ରିଜ୍ କଥା ହେଉ କି ତଳ ରାସ୍ତା, ସବୁଠି ହଜାର ହଜାର ସଂଖ୍ୟାରେ ଗାଡ଼ି ଚାରିଆଡ଼ୁ ମାଡ଼ି ଆସିଥିଲେ, କିନ୍ତୁ ଆଗକୁ ଯାଇ ପାରି ନଥିଲେ କି ପଛକୁ ଫେରି ପାରି ନଥିଲେ। ଚାରିପଟୁ ଗାଡ଼ି ସବୁ ଏପରି ଘେରି ରହିଥିଲା ଯେ ଚାଳକ ଓ ଯାତ୍ରୀମାନେ ଗାଡ଼ିରୁ ବାହାରି ପାରି ନଥିଲେ। ତଥାପି କମିସନରେଟ୍ ପୁଲିସର ନିଦ ଭାଙ୍ଗି ନଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ଗୋଟିଏ ବି ପୁଲିସ ଭ୍ୟାନ୍ ଅବା ଜଣେ ଟ୍ରାଫିକ୍ ପୁଲିସଙ୍କୁ ଏଠାରେ ଦେଖିବାକୁ ମିଳିନଥିଲା।  ୫ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଅଟକି ରହିବା ପରେ ଲୋକେ ନିଜ ଆଡ଼ୁ ବାଟ କଡ଼େଇ ଯା’ଆସ କରିଥିଲେ। ପୁଲିସ ନ ଆସିବାରୁ କିଛି ଲୋକେ ବି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା।

Highmast light Without Electricity: ହାଇମାଷ୍ଟ୍ ଲାଇଟ୍‌ରେ ୮ବର୍ଷ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ନାହିଁ

ସେପଟେ ମନଇଛା ରାସ୍ତା ଉପରେ ଗାଡ଼ି ପାର୍କିଂ, ଜବରଦଖଲ, ରାସ୍ତାକଡ଼ରେ ଉଠାଦୋକାନ ଏହାର ପ୍ରମୁଖ କାରଣ ହୋଇଥିବା ବେଳେ ନା ଏଥିପ୍ରତି ଭୁବନେଶ୍ବର ମହାନଗର ନିଗମର ନଜର ଅଛି ନା କମିସନରେଟ୍ ପୁଲିସର। ଯଦି କେହି ଶୀତରୁ ରକ୍ଷା ପାଇଁ ପତ୍ରରେ ନିଆଁ ଲଗାଇ ପୁଇଁ ହେଉଛନ୍ତି, କ’ଣ ସ୍ବାର୍ଥ ରହୁଛି କେଜାଣି ତାଙ୍କୁ ଜରିମାନା କଷିବାକୁ ଭୁବନେଶ୍ବର ମହାନଗର ନିଗମ ଅଧିକାରୀମାନେ ଦୌଡ଼ି ଯାଉଛନ୍ତି। ଅଥଚ ସାରା ରାଜ୍ୟ ତଥା ରାଜଧାନୀବାସୀଙ୍କ ସ୍ବାର୍ଥ ଯେଉଁଠି ଜଡ଼ିତ, ତାକୁ ସଂପୂର୍ଣ୍ଣ ଅଣଦେଖା କରି ଦିଆଯାଇଛି। ସେପଟେ କମିସନରେଟ୍ ପୁଲିସର ଟ୍ରାଫିକ୍ ନିୟନ୍ତ୍ରଣ ବି ଲୋକ ଦେଖାଣିଆ ହୋଇ ରହିଯାଇଛି। ଲୋକଙ୍କ ସ୍ବାର୍ଥ ଯେଉଁଠି ରହିଛି, ତାକୁ ଅନାଇବାକୁ କାହାରି ପାଖରେ ସମୟ ନାହିଁ। ଲୋକଙ୍କୁ ସେମାନଙ୍କ ସ୍ଥିତିରେ ଛାଡ଼ି ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ କକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି।

dgjgdjgjcnbnb

ରାସ୍ତା ଉପରେ ଭାରିଯାନ ପାର୍କିଂ
ରସୁଲଗଡ଼ ଛକ ଠିକାଦାରଙ୍କ ଭାରିଯାନ ପାର୍କିଂ ସ୍ଥଳ ପାଲଟିଗଲାଣି। ବର୍ଷ ବର୍ଷ ହେଲାଣି ହାଇଡ୍ରା, ଜେସିବି ଆଦି ଏଠାରେ ରଖାଯାଉଛି। ସ୍ଥିତି ଏପରି ହେଲାଣି ଯେ ଏହି ଗାଡ଼ି ମାଲିକମାନେ ଧଳାଗାର ଡେଇଁ ଆସି ରାସ୍ତା ଉପରେ ଗାଡ଼ି ରଖିଲେଣି। ଯେଉଁ ଜାଗାରେ ବସ୍, ଅଟୋ ସବୁ ଅଟକିବା କଥା(ବେ), ସେ ଜାଗାକୁ ବି ଏମାନେ ଦଖଲକୁ ନେଇଗଲେଣି। ଏଣୁ ଯା’ଆସ କରୁଥିବା ବସ୍, ଅଟୋ ଓ ଅନ୍ୟ ଗାଡ଼ି ରାସ୍ତା ମଝିରେ ଅଟକାଉଛନ୍ତି। ଏହା ଭିଡ଼ ବଢ଼ାଉଛି। ବର୍ଷ ବର୍ଷ ଧରି ଏହି ଭାରିଯାନ ସବୁ ରାସ୍ତା ଉପରେ ପାର୍କିଂ ହେଉଥିବାବେଳେ କମିସନରେଟ୍ ପୁଲିସ ନିରବଦ୍ରଷ୍ଟା ସାଜିଛି।

ରେଳ ଓଭରବ୍ରିଜ୍‌ର ମନ୍ଥର ମରାମତି
ବାଣିବିହାର ରେଳ ଓଭରବ୍ରିଜ୍‌ରେ ରେଳ ବିଭାଗ ମରାମତି କାମ ଜାରି ରଖିଛି। ବହୁଦିନ ତଳୁ ଏହି ମରାମତି ଆରମ୍ଭ ହୋଇଥିଲା। କିନ୍ତୁ ଅଦ୍ୟାବଧି ଏହା ସରିନି। ସେପଟେ ଏହି ମରାମତି ଆଳରେ ଅଧା ରାସ୍ତାକୁ ମାଡ଼ି ବସିଛି ରେଳ ବିଭାଗ। ଜାତୀୟ ରାଜପଥ ଉପରେ ଏଭଳି ମନ୍ଥର କାମ ଅଯଥା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି। ଯା’ଆସ ବେଳେ ଏହି ଜାଗାରେ ପ୍ରତିଦିନ ଗାଡ଼ି ସବୁ ଅଟକୁଛନ୍ତି।

No Petrol Without Pollution Certificate: ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ପେଟ୍ରୋଲ୍ ନାହିଁ... ତେଲ ପାଇଁ ପେଟ୍ରୋଲ ପମ୍ପରେ ଦେଖାଇବାକୁ ପଡ଼ିବ ସାର୍ଟିଫିକେଟ୍

ଭିଡ଼ରେ ଫସିଲା ଆମ୍ବୁଲାନ୍ସ
ରସୁଲଗଡ଼ ଭିଡ଼ କାରଣରୁ ଆଜି ଜରୁରୀକାଳୀନ ସେବା ବି ପ୍ରଭାବିତ ହୋଇଛି। ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ଗାଡ଼ି ଯା’ଆସ କରି ନପାରି ଭିଡ଼ରେ ଘଣ୍ଟା ଘଣ୍ଟା ଫସି ରହିଛନ୍ତି। ଏ ମଧ୍ୟରୁ ଏକ ଆମ୍ବୁଲାନ୍ସ ଗାଡ଼ି ରସୁଲଗଡ଼ ଛକ ଦେଇ ସମ୍ ହସ୍ପିଟାଲ୍‌କୁ ଯାଉଥିଲା। ଅନ୍ୟ ଏକ ଆମ୍ବୁଲାନ୍ସ ଗାଡ଼ି କ୍ୟାପିଟାଲ୍ ହସ୍ପିଟାଲ୍‌କୁ ଯାଉଥିଲା। ସମ୍ ହସ୍ପିଟାଲ୍‌କୁ ଯାଉଥିବା ଆମ୍ବୁଲାନ୍ସରେ ମସ୍ତିଷ୍କାଘାତ ରୋଗୀ ଥିଲେ ଓ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ଯାଉଥିବା ରୋଗୀ ଦୁର୍ଘଟଣାର ଶିକାର ହୋଇଥିଲେ। କିନ୍ତୁ ସ୍ଥିତି ଏପରି ହୋଇଥିଲା ଯେ ଦୁଇ ଆମ୍ବୁଲାନ୍ସ ଭିଡ଼ରୁ ବାହାରି ପାରି ନଥିଲେ। ଗତିପଥ ବଦଳାଇ ଯିବାକୁ ଚେଷ୍ଟା କରିଥିଲେ ବି ଦୁଇପାର୍ଶ୍ବରେ ଗାଡ଼ିର ଏଭଳି ଭିଡ଼ ରହିଥିଲା ଯେ ଚାଳକମାନେ ନାଚାର ଥିଲେ।

ଅବ୍ୟବସ୍ଥିତ ରସୁଲଗଡ଼ ଛକ

ରସୁଲଗଡ଼ ଛକରେ ନିୟମିତ କିଛି ନା କିଛି ମେଳା ପଡ଼ୁଛି। ଏଥିପାଇଁ କମିସନରେଟ୍ ପୁଲିସ ଓ ବିଏମ୍‌ସି ଅନୁମତି ଦେଉଛନ୍ତି। କିନ୍ତୁ କୌଣସି ବି ମେଳା ବ୍ୟବସ୍ଥିତ ଢଙ୍ଗରେ ହେଉନି। ଏଥିପାଇଁ ମନଇଛା ପାର୍କିଂ ହେଉଛି। ତଥାପି ବିଏମ୍‌ସି ଓ କମିସନରେଟ୍ ପୁଲିସର ବାବୁମାନେ ଏହାକୁ ଅଣଦେଖା କରି ଚାଲିଛନ୍ତି। ଏହା ବି ଆଜିର ରସୁଲଗଡ଼ ଛକ ଭିଡ଼ର ଅନ୍ୟ ଏକ କାରଣ ବୋଲି ଅଭିଯୋଗ ହୋଇଛି। କିଛିଦିନ ହେବ ଏଠାରେ ଏକ ମେଳା ପଡ଼ିଛି, ଯେଉଁଠି ଶୀତବସ୍ତ୍ର ସାଙ୍ଗକୁ ମାଟିପାତ୍ର ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ବିକ୍ରି ହେଉଛି। ଲୋକେ ଅଭିଯୋଗ କରିଛନ୍ତି, ମେଳା ଭିତରେ ପାର୍କିଂର କୌଣସି ବ୍ୟବସ୍ଥାନାହିଁ। ଏଣୁ ଏଠାକୁ ଯେଉଁମାନେ ଆସୁଛନ୍ତି, ସେମାନେ ମନଇଛା ରାସ୍ତାରେ ପାର୍କିଂ କରୁଛନ୍ତି। ଯେହେତୁ ଏହି ମେଳା ରସୁଲଗଡ଼ ବୁଲାଣିଠାରେ ଖୋଲାଯାଉଛି, ଯେଉଁ ଗାଡ଼ି ସବୁ ଯା’ଆସ କରୁଛନ୍ତି, ଏଠାରେ ଭିଡ଼ରେ ଫସୁଛନ୍ତି।

‘ରସୁଲଗଡ଼’ରେ ଲୋକେ ନାକେଦମ୍‌
ରସୁଲଗଡ଼ ଟ୍ରାଫିକ୍ ଛକରେ ଆଜି ଭିଡ଼ ଲୋକଙ୍କୁ  ନାକେଦମ କରିଛି। ସଂଧ୍ୟାରେ ଆସିଥିବା ଲୋକେ ରାତିରେ ଘରକୁ ଫେରିଛନ୍ତି। ଟ୍ରାଫିକ୍ ଯନ୍ତ୍ରଣାରେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ଗୋଟିଏ ପଟେ ଭିଡ଼ ଓ ଅନ୍ୟପଟେ ଗାଡ଼ି ଧୂଆଁର ପ୍ରଦୂଷଣରେ ଦୁଇଚକିଆ ଚାଳକମାନେ କଲବଲ ହୋଇଛନ୍ତି। ଚାରିଛକିଆ ରସୁଲଗଡ଼ ଛକ ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ଯା’ଆସ କରୁଛି। ଦୁଇଚକିଆ, ଚାରିଚକିଆଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍ ସବୁ ଏହି ବାଟ ଦେଇ ଚଳାଚଳ କରୁଛନ୍ତି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅବା ଏହା କଡ଼ରେ ପାର୍କିଂ ସଂପୂର୍ଣ୍ଣ ନିଷେଧ। ସ୍ଥିରୀକୃତ ସ୍ଥାନରେ କେବଳ ଗାଡ଼ି ପାର୍କିଂ ହୋଇପାରିବ। କିନ୍ତୁ ରସୁଲଗଡ଼ ଛକରୁ ବମିଖାଲ ଛକ ପର୍ଯ୍ୟନ୍ତ ରାସ୍ତାରେ ପ୍ରତିଦିନ ଦୁଇଚକିଆ, ଚାରିଚକିଆ ମନଇଛା ପାର୍କିଂ ହେଉଛି। ଏଣୁ ପ୍ରତିଦିନ ଲୋକେ ଟ୍ରାଫିକ୍ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ତିନିଦିନ ତଳେ ସ୍ଥିତି ଏପରି ହୋଇଥିଲା ଯେ ଗାଡ଼ି ଆଗକୁ କି ପଛକୁ ଯାଇ ପାରିନଥିଲା। ଆଜି ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ଭିଡ଼ ଏତେ ବଢ଼ି ଯାଇଥିଲା ଯେ ରସୁଲଗଡ଼ ଛକରୁ ଭିଡ଼ ବମିଖାଲ ବ୍ରିଜ୍ ଡେଇଁ ଯାଇଥିଲା। ସେପଟେ ରସୁଲଗଡ଼ ଛକରୁ ପୁରୀ ବାଇପାସ୍‌ ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଧାଡ଼ି ଲାଗି ଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଦୁଇଚକିଆ ଗାଡ଼ି ସବୁ ଟ୍ରାଫିକ୍ ନିୟମ ଭାଙ୍ଗିବାକୁ ବାଧ୍ୟ ହୋଇଥିଲା। ବାମପାର୍ଶ୍ବରେ ଯିବା ବଦଳରେ ଡାହାଣ ପାର୍ଶ୍ବରେ ରଙ୍ଗ୍ ରୁଟ୍‌ରେ ଯା’ଆସ କରିଥିଲେ।

ଭିଡ଼ ବଢ଼ାଉଛି ‘ଏସ୍‌ପ୍ଲାନେଡ୍‌’

dgjgjdbcnnbbcn

ରସୁଲଗଡ଼ ଛକରେ ଭିଡ଼ ବଢ଼ାଇବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ‘ଏସପ୍ଲାନେଡ୍’ର ମନଇଛା ପାର୍କିଂ ଓ ଗାଡ଼ି ଛାଡ଼ିବା। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରି ଏହି ନିୟମ ଉଲ୍ଲଂଘନକାରୀ ସଂସ୍ଥାକୁ ଉଭୟ ବିଏମ୍‌ସି ଓ କମିସନରେଟ୍‌ ପୁଲିସ ସୁରକ୍ଷା ଦେଉଛି ବୋଲି ଆଜି ଭିଡ଼ରେ ଫସିଥିବା ଲୋକେ କହିଛନ୍ତି। ‘ଏସ୍‌ପ୍ଲାନେଡ୍‌’କୁ ଯେଉଁ ଗାଡ଼ି ଆସୁଛି, ସେମାନେ ରାସ୍ତା ଉପରେ ମନଇଛା ପାର୍କିଂ କରୁଛନ୍ତି। ଉଭୟ ରସୁଲଗଡ଼ରୁ ବମିଖାଲକୁ ସଂଯୋଗ ରାସ୍ତାର ଉଭୟ କଡ଼ରେ ଏହି ଗାଡ଼ି ସବୁ ପାର୍କିଂ ହେଉଛି। ଯାହା ଯା’ଆସ ରାସ୍ତାକୁ ଅବରୋଧ କରୁଛି ଓ ସ୍ବାଭାବିକ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି କରୁଛି। ସେପଟେ ‘ଏସ୍‌ପ୍ଲାନେଡ୍‌’କୁ ଆସୁଥିବା ଅବା ଏହାର ପାର୍କିଂରୁ ବାହାରୁଥିବା ଗାଡ଼ି ସବୁ ମନଇଛା ରାସ୍ତାରେ ଅଟକୁଛନ୍ତି। ଏଣୁ ଏହା ପଛକୁ ପଛ ଅନ୍ୟ ଗାଡ଼ିମାନେ ବି ଅଟକି ଯାଉଛନ୍ତି। ଯାହା ଭିଡ଼ ବଢ଼ାଉଛି। ସେପଟେ ‘ଏସ୍‌ପ୍ଲାନେଡ୍‌’ ଭିତର ପାର୍କିଂରୁ ଗାଡ଼ି ସବୁକୁ ଏଭଳି ବାହାରକୁ ଛଡ଼ାଯାଉଛି ଓ ପାର୍କିଂକୁ ପ୍ରବେଶ କରାଯାଉଛି ଯେ ଏହା ରାସ୍ତା ଭିଡ଼ ବଢ଼ାଉଛି। ଆଜି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଏସ୍‌ପ୍ଲାନେଡ୍‌କୁ ଆସୁଥିବା ଓ ବାହାରୁଥିବା ଗାଡ଼ି ସବୁ ଏଣେତେଣେ ପାର୍କିଂ କରିବାରୁ ରସୁଲଗଡ଼ ଛକ ଦେଇ ଯା’ଆସ କରୁଥିବା ଗାଡ଼ି ଆଜି ଠିକ୍‌ରେ ଚଳାଚଳ କରିପାରିନି। ଏଣୁ ରସୁଲଗଡ଼ରୁ ବମିଖାଲକୁ ସଂଯୋଗ ରାସ୍ତା ଓ ରସୁଲଗଡ଼ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଏହି ଭିଡ଼ ଭିତରେ ବି ‘ଏସ୍‌ପ୍ଲାନେଡ୍‌’ ନିଜ ପାର୍କିଂରୁ ଗାଡ଼ି ଛାଡ଼ିବା ବନ୍ଦ କରି ନଥିଲା। ଯେଉଁମାନେ ଏହାର ପାର୍କିଂରେ ଗାଡ଼ି ରଖିଥିଲେ, ସେମାନଙ୍କୁ ଏହି ଭିଡ଼ ଭିତରକୁ ଛଡ଼ାଯାଇଥିଲା। ଯେହେତୁ ଭିଡ଼ ଥିଲା, ଏହି ଗାଡ଼ି ସବୁ ବାହାରି ପାରି ନଥିଲା ଓ ରାସ୍ତାରୁ ପାର୍କିଂ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ରହିଥିଲା। ଏଣୁ ବାମପାର୍ଶ୍ବରେ ଯେଉଁ ଗାଡ଼ି ଅତିକ୍ରମ କରିବାକୁ ଚାହୁଥିଲେ, ସେମାନେ ବି ଏଥିପାଇଁ ଅଟକି ରହିଥିଲେ। ରସୁଲଗଡ଼ ଛକରେ ଏହି ଟ୍ରାଫିକ୍ ଯନ୍ତ୍ରଣା ନିୟମିତ ଦେଖିବାକୁ ମିଳୁଛି। ଭୁବନେଶ୍ବରର ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ଅନିୟନ୍ତ୍ରିତ ଟ୍ରାଫିକ୍‌ ଯୋଗୁ ଲୋକେ ଭିଡ଼ରେ ଫସି ଅସହ୍ୟ ଯନ୍ତ୍ରଣା ପାଉଛନ୍ତି। ତେଣୁ ବିଏମ୍‌ସି ଓ କମିସନରେଟ୍ ପୁଲିସ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ଲୋକେ ଓ ଗାଡ଼ିଚାଳକମାନେ ଦାବି କରିଛନ୍ତି।