ଭୁବନେଶ୍ବର: ୨୦୧୭ରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଗୋଟିଏ ହାତୀ ଥିଲା। ଲାଗୁଥିଲା ହାତୀଶୂନ୍ୟ ହୋଇଯିବ ରାଜଧାନୀ ଉପକଣ୍ଠର ଏହି ହସ୍ତୀ ଅଭୟାରଣ୍ୟ। ମାତ୍ର କୋଭିଡ୍‌ପରବର୍ତ୍ତୀ ସମୟରେ ହାତୀଙ୍କ କୋଳାହଳରେ ଉଛୁଳୁଛି ଜଙ୍ଗଲ। ଯୁଆଡ଼େ ଚାହିଁଲେ ପଲପଲ ହାତୀ ଚଳପ୍ରଚଳ କରୁଛନ୍ତି। ଭରତପୁର ଜଙ୍ଗଲରେ ୧୬ରୁ ଅଧିକ ହାତୀଙ୍କ ଉପସ୍ଥିତି ଚନ୍ଦକାର ଗୌରବ ଫେରାଇ ଆଣିଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ। ତେବେ ଗତ ଦେଢ଼ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ନାକତଳେ ଥିବା ହାତୀ ଅଭୟାରଣ୍ୟରେ ତିନିଟି ହାତୀଙ୍କ ଅକାଳ ମୃତ୍ୟୁ ଘଟିଲାଣି। ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ‘ରାମୁ’ର ମୃତ୍ୟୁ ହେଲା। ଆଉ ଗୋଟିଏ ଲଢ଼େଇ କରି ଏଭଳି ଆହତ ହେଲା ‌ଯେ ଆଉ ସୁସ୍ଥ ହେଲାନାହିଁ, ଶେଷରେ ଜୀବନ ହରାଇଲା। ଏବେ ଆଉ ଏକ ହାତୀ ଟଳିପଡ଼ିଛି। ରୋଗରେ ହାତୀର ମୃତ୍ୟୁ ହୋଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ କହୁଥିବା ବେଳେ କାହା ଅବହେଳା ପାଇଁ ହାତୀର ମୃତ୍ୟୁ ହେଲା ସେନେଇ ଖୋଳତାଡ଼ କରାଯାଉ ନାହିଁ।

Advertisment

Virat Kohli : ୧୬ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ତିନିଟି ହାତୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ଉତ୍ତରଦାୟୀ କରାଯାଇ ନାହିଁ। ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଦର୍ଶାଇ ସମସ୍ତେ ଚୁପ୍‌ବସିପଡ଼ିଛନ୍ତି। ୨୦୨୪ ଅଗଷ୍ଟରେ ଅଭୟାରଣ୍ୟ ଅନ୍ତର୍ଗତ ଭରତପୁର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ସଂସ୍ପର୍ଶରେ ଦନ୍ତାହାତୀ ‘ରାମୁ’ର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ବନବିଭାଗ ଓ ଶକ୍ତିବିଭାଗର ଅଧିକାରୀମାନେ ତଦନ୍ତ କରିଥିଲେ। କିଏ, କେଉଁଠି ଓ କେଉଁଭଳି ଭାବେ ଜଙ୍ଗଲ ନିକଟରେ ବିଦ୍ୟୁତ୍‌ତାର ଟାଣିଥିଲା, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିଥିଲା। କିନ୍ତୁ ତଥ୍ୟ ପାଇ ଅଧିକାରୀମାନେ ଚୁପ୍‌ବସିଗଲେ, କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। କେବଳ ଏହି ଗୋଟିଏ ଘଟଣା ନୁହେଁ, ରାଜ୍ୟରେ ଘଟିଚାଲିଥିବା ହାତୀମୃତ୍ୟୁ ଘଟଣାରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କିମ୍ବା ସ୍କ୍ୱାଡ୍‌କାମର ସମୀକ୍ଷା ହେଉ ନାହିଁ। ନିୟମିତ ରିପୋର୍ଟ ଦିଆଯାଉ ନଥିବାରୁ ବର୍ଷକ ତଳେ ତତ୍‌କାଳୀନ ପିସିସିଏଫ୍‌(ବନ୍ୟପ୍ରାଣୀ) ବିଭିନ୍ନ ଯୋଜନାରେ କାର୍ଯ୍ୟରତ ସ୍କ୍ୱାଡ୍‌ଗୁଡ଼ିକର କାର୍ଯ୍ୟଧାରା ଉପରେ ଅସନ୍ତୋଷ ବ୍ୟକ୍ତ କରି ଆର୍‌ସିସିଏଫ୍‌ମାନଙ୍କୁ ଚିଠି ଲେଖିଥିଲେ। ଇତିମଧ୍ୟରେ ୩୬୫ ଦିନ ବିତିଯାଇଥିଲେ ମଧ୍ୟ ପରବର୍ତ୍ତୀ ପିସିସିଏଫ୍‌ଏଦିଗରେ କୌଣସି ଆନ୍ତରିକତା ଦେଖାଇ ନାହାନ୍ତି।

ତଦନ୍ତ ନାହିଁ, କାର୍ଯ୍ୟାନୁଷ୍ଠାନ ବି ନାହିଁ
ବେଫିକର ବନବିଭାଗ

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିୟମ ପାଳନ କରାଯାଇ ନଥିବାରୁ ମାର୍ଚ୍ଚ ମାସରେ ଆଉ ଏକ ଦନ୍ତାର ଜୀବନ ଗଲା। ଦୁଇଟି ଦନ୍ତାଙ୍କ ଲଢ଼େଇ ମଧ୍ୟରେ ଛୋଟଦନ୍ତା ଗୁରୁତର ଆହତ ହୋଇଥିଲା। ଏ ସମ୍ପର୍କରେ ୫ ଦିନ ପରେ ବନବିଭାଗ ସୂଚନା ପାଇ ତାର ଚିକିତ୍ସା ଆରମ୍ଭ କରିଥିଲା। ଅର୍ଥାତ୍‌ସେମାନେ ହାତୀକୁ ଠିକ୍‌ଭାବେ ଟ୍ରାକିଂ କରି ନ ଥିଲେ। ଏହାପରେ ଦନ୍ତାହାତୀକୁ ନିୟମିତ ଚିକିତ୍ସା ଆବଶ୍ୟକ ହେଉଥିଲେ ମଧ୍ୟ ବନ କର୍ମଚାରୀମାନେ ଆହତ ଦନ୍ତାର କୌଣସି ଖୋଜଖବର ରଖିଲେ ନାହିଁ।  ଅଭୟାରଣ୍ୟ ଭିତରେ ରହିଥିଲେ ମଧ୍ୟ ବନ କର୍ମଚାରୀ କହିଲେ ଆଠଗଡ଼ ଚାଲିଯାଇଛି। ଫଳରେ କିଛି ଦିନ ପରେ ହାତୀର ମୃତଦେହ ମିଳିଥିଲା। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ ହାତୀଙ୍କ ଗତିବିଧିକୁ ସ୍କ୍ବାଡ୍‌ର ସଦସ୍ୟମାନେ ଟ୍ରାକ୍‌କରୁନାହାନ୍ତି। ସ୍କ୍ୱାଡ୍‌ଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ମୁତୟନ ସହ ପାଟ୍ରୋଲିଂ ଠିକ୍ ଭାବେ କରିବାକୁ ଆର୍‌ସିସିଏଫ୍‌ମାନଙ୍କୁ କୁହାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନଥିବା ଦେଖିବାକୁ ମିଳୁଛି। ଏବେ ଆଉ ଏକ ହାତୀର ମୃତ୍ୟୁ ଦ୍ବାରା ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଲାଣି।

Archery : କଳାହାଣ୍ଡିର ଆଦିବାସୀ ଝିଅ ହେଲେ ଜାତୀୟ ସ୍ତରର ତୀରନ୍ଦାଜ

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଦେଢ଼ବର୍ଷ ମଧ୍ୟରେ ତିନିଟି ହାତୀଙ୍କ ଏଭଳି ମୃତ୍ୟୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ କଳଙ୍କ ବୋଳିଛି। ଦନ୍ତାହାତୀଙ୍କ ମୃତ୍ୟୁ ଆହୁରି ଦୁଃଖଦାୟକ। ଗୋଟିଏ ପଟେ ରାଜ୍ୟ ସରକାର ହାତୀଙ୍କ ସୁରକ୍ଷା କଥା କହୁଛନ୍ତି, ଅନ୍ୟପଟେ ରାଜଧାନୀ ଉପକଣ୍ଠରେ ଦନ୍ତାହାତୀଙ୍କ ମୃତ୍ୟୁ ଘଟୁଛି। ସତରେ କ’ଣ ଚନ୍ଦକା ଜଙ୍ଗଲରେ ହାତୀ ସୁରକ୍ଷିତ? ଏପରି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରିଲାଣି। ହାତୀ ମୃତ୍ୟୁ ଘଟଣାର ତଦନ୍ତକୁ ବାଟବଣା କରି ବନବିଭାଗର ବଡ଼ବଡ଼ିଆମାନେ ଖସିଯିବାକୁ ରୀତିମତ ଯୋଜନା ଚଳାଇଛନ୍ତି।