ଭୁବନେଶ୍ବର: ଏଣିକି ‘ମୋ ସାଇକେଲ୍’ର ପରିଚାଳନା ଦାୟିତ୍ବ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍) ନେବ। ଆଉ କ୍ରୁଟ୍ ମୋ ସାଇକେଲ୍ କଥା ବୁଝିବନି। ବିଏସ୍ସିଏଲ୍ ମୋ ସାଇକେଲ୍କୁ ବିଏମ୍ସି ସହାୟତାରେ ଚଲାଇବ। କ୍ରୁଟ୍ କେବଳ ମୋ ବସ୍ ପରିଚାଳନା କଥା ବୁଝିବ। ମୋ ସାଇକେଲ୍ ବ୍ୟବସ୍ଥା ଏକରକମ ଫେଲ୍ ମାରିବା ପରେ ଏହାକୁ ନୂଆ ରୂପରେ ପୁଣି ଲୋକଙ୍କ ସହ ଯୋଡ଼ିବା ପାଇଁ ବିଏସ୍ସିଏଲ୍ ଅଭିନବ ଯୋଜନା ଆରମ୍ଭ କରିଛି। ରାଜଧାନୀରେ ସାଇକେଲ୍ ଫର୍ ଚେଞ୍ଜ୍ ଅଭିଯାନ କରିବାକୁ ଯାଉଛି। ଡିସେମ୍ବର ୧୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ୮ହଜାର ସାଇକେଲ୍ ଚାଳକଙ୍କୁ ଏଥିରେ ସାମିଲ୍ କରିବା ଲକ୍ଷ୍ୟ ରଖାଯାଇଛି। ତେଣୁ ରାଜଧାନୀବାସୀଙ୍କ ମଧ୍ୟରେ ସାଇକେଲ୍ ଚଳାଇବା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଏସ୍ସିଏଲ୍ ପକ୍ଷରୁ ଅାସନ୍ତା ୯ତାରିଖରେ ସାଇକେଲ୍ ଗିରି ଅଭିଯାନ ଆରମ୍ଭ ହେବ। ଶିଶୁଭବନରୁ ଧଉଳି ପର୍ଯ୍ୟନ୍ତ ୯କିମି ରାସ୍ତାରେ ସାଇକେଲ୍ ରାଲି ହେବ। ଶହ ଶହ ସାଇକେଲ୍ ଚାଳକ ଏକାଠି ହୋଇ ସାଇକେଲ୍ ଚାଳନାର ଉପକାରିତା ବାର୍ତ୍ତା ବାଣ୍ଟିବେ। ଶୁକ୍ରବାର ସକାଳ ୬ଟା ୩୦ରୁ ଶିଶୁ ଭବନ ଛକରୁ ଏହି ଅଭିଯାନ ଆରମ୍ଭ ହେବ। ସ୍ମାର୍ଟ ସିଟି ମିସନ ପକ୍ଷରୁ ସମସ୍ତ ସ୍ମାର୍ଟ ସିଟିକୁ ସାଇକେଲ୍ ଫର୍ ଚେଞ୍ଜ୍ ଅଭିଯାନ ଆରମ୍ଭ କରିବାକୁ କହିଥିବାବେଳେ ୧୧ଟି ଶ୍ରେଷ୍ଠ ସହରକୁ ୧ କୋଟି ଲେଖାଏଁ ଦେବାକୁ ଘୋଷଣା କରିଛି।
ବିଏସ୍ସିଏଲ୍ ସିଇଓ ତଥା ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ରାଜଧାନୀରେ ଆରମ୍ଭ ହେବାକୁ ଥିବା ସାଇକେଲ୍ ଫର୍ ଚେଞ୍ଜ୍ କାର୍ଯ୍ୟକ୍ରମରେ ଲୋକମାନେ କିପରି ଆଖପାଖ ସ୍ଥାନକୁ ଯଥା ବଜାର, ହାଟ, ଅଫିସ୍ ବିଭିନ୍ନ ସ୍ଥାନକୁ ଗଲେ ସାଇକେଲ୍ ବ୍ୟବହାର କରିବେ ସେନେଇ ଉତ୍ସାହିତ କରାଯିବ। ଏହାସହ ଆବଶ୍ୟକୀୟ ସାଇକେଲ୍ ଟ୍ରାକ୍ ନିର୍ମାଣ କରିବା, ସାଇକେଲ୍ ଚାଳକଙ୍କୁ ନିରାପଦରେ ସାଇକେଲ୍ ଚଲାଇବାର ବ୍ୟବସ୍ଥା କରାଯିବ। ଏପରିକି ଟ୍ରକ୍, ବସ୍, କାର୍ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ୍ ଦେବାବେଳେ ଜଣେ ସାଇକେଲ୍ ଚାଳକଙ୍କୁ କିପରି ରାସ୍ତାରେ ଯିବାପାଇଁ ଅନୁମତି ଦେବାକୁ ହେବ ତାହା ମଧ୍ୟ ଜଣାଯିବ। ଆଗାମୀ ଦିନରେ ସହରର କେଉଁ ରାସ୍ତାରେ ସାଇକେଲ୍ ଚଲାଇବାକୁ ସ୍ୱତନ୍ତ୍ର ଟ୍ରାକ୍ ରହିବ ତାହା ଘୋଷଣା କରାଯିବ। ଏହାସହ ସାଇକେଲ୍ ଗିରି ସଙ୍ଗୀତ ଗାନ ଏବଂ ଟ୍ରକ୍, ବସ୍ ଓ କାର୍ ଇତ୍ୟାଦି ଡ୍ରାଇଭରଙ୍କୁ ଶପଥପାଠ କରାଯିବ।
ଗୋଷ୍ଠୀ ସହଭାଗିତାରେ ଗଡ଼ିବ ‘ମୋ ସାଇକେଲ୍’
ରାଜଧାନୀରେ ଯେପରି ଅଧିକରୁ ଅଧିକ ଲୋକ ମୋ ସାଇକେଲ୍ ଏବଂ ସେମାନଙ୍କ ନିଜର ସାଇକେଲ୍ ଚଲାଇବେ ସେଥିପାଇଁ ବିଭିନ୍ନ ଆବାସିକ କଲ୍ୟାଣ ସଂଘ, ସ୍ୱେଚ୍ଛାସେବୀ ସଂଗଠନ, ପେଶାଦାର ସାଇକେଲ୍ ଚାଳକ, ସାଧାରଣ ନାଗରିକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରି ସାଇେକଲ୍ ଚଲାଇବାକୁ ଉତ୍ସାହିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଶୁକ୍ରବାର ସାଇକେଲ୍ ବାର
ସପ୍ତାହର ପ୍ରତି ଶୁକ୍ରବାର ସାଇକେଲ୍ ବାର ହେବ। ଏହିଦିନ ରାଜଧାନୀବାସୀ ସାଇକେଲ୍ ଚଲାଇବାକୁ ଅନୁରୋଧ କରାଯିବ। ସାଇକେଲ୍ ଚଲାଇଲେ ଲୋକମାନେ ଯେ ସୁସ୍ଥ ରହିବେ ସେମାନଙ୍କ ମନରେ ଓ ମୁଣ୍ଡରେ ଭର୍ତ୍ତି କରାଯିବ। ଏବେ ବିଏମ୍ସି, ବିଡିଏ ଓ ବିଏସ୍ସିଏଲ୍ କର୍ମଚାରୀଙ୍କ ପାଇଁ ଶୁକ୍ରବାର ଓ ସାଇକେଲ୍ ବାର ହୋଇଥିବାବେଳେ ଏହି ଅଭିଯାନରେ ଅନ୍ୟ କାର୍ଯ୍ୟାଳୟ ଓ ସଂସ୍ଥା ସାମିଲ୍ ହେବାକୁ କୁହାଯାଇଛି।
୨୦୦ ସାଇକେଲ୍ ଉପହାର ଦିଆଯିବ
ଯଦି କେହି ସାଇକେଲ୍ ଚଲାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସାଇକେଲ୍ଟିଏ ଉପହାର ଦେବାକୁ ବିଏମ୍ସି କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ବିଏମ୍ସି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହେବ। ୨୫ଜଣ କୋଭିଡ୍ ସଚେତକଙ୍କୁ ସାଇକେଲ୍ ଉପହାର ଦେବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ୨୦୦ ସାଇକେଲ୍ ଉପହାର ଦେବାକୁ ଯୋଜନା ହୋଇଛି।