ବସନ୍ତ ଦାଶ
ବାଲିପାଟଣା: ସଂଜ ବୁଡ଼ୁବୁଡ଼ୁ ଗାଁ ମେଳଣ ପଡ଼ିଆରେ ସଜଡ଼ା ହେଉଥିଲା ଡେ ଲାଇଟ୍। କାଠଷ୍ଟାଣ୍ଡ୍ରେ ଡେ ଲାଇଟ୍କୁ ଝୁଲାଇ ବଳୟାକାର ହାଣ୍ଡିରେ କିରାସିନି ଭର୍ତ୍ତି କରାଯାଉଥିଲା ଏବଂ ମେଣ୍ଟାଲ ବନ୍ଧାଯାଉଥିଲା। ଏହାପରେ ଷ୍ଟାଣ୍ଡ୍ରୁ ବାହାର କରି ପମ୍ପ ମାରି ଲାଇଟ୍ରେ ପବନ ଭର୍ତ୍ତି କରାଯାଉଥିଲା। ଏହା ଭିତରେ କିରାସିନି ପାସ୍ କରୁଥିବା ବାଟକୁ ପିନ୍ ମାରି ସଫା କରାଯାଉଥିଲା। ଏହାପରେ ପୁଣି ଡେ ଲାଇଟ୍କୁ ଷ୍ଟାଣ୍ଡ୍ରେ ଝୁଲାଇ ମେଣ୍ଟାଲ୍ରେ ଜଳନ୍ତା ଦିଆସିଲି କାଠି ଦେଖାଇ ଦିଆଯାଉଥିଲା। ବାସ୍ କିଛି ସମୟ ହୁତୁହୁତୁ ହୋଇ ଜଳିବା ପରେ ଝୁଲନ୍ତା ମେଣ୍ଟାଲ୍ଟି ଗୋଲ ହୋଇଯାଉଥିଲା ଏବଂ ପୂରା ମେଳଣ ପଡ଼ିଆ ତୋଫା ଆଲୁଅରେ ଝଲସି ଉଠୁଥିଲା। ଲାଇଟ୍ ପାଖରେ ଠିଆ ହୋଇଥିବା ପିଲାମାନେ ତାଳିମାରି କୁରୁଳି ଉଠୁଥିଲେ। ଏମିତିରେ ଚାରିଟି ଡେ ଲାଇଟ୍କୁ ଜଳାଇବା ପରେ ସେଗୁଡ଼ିକୁ ନେଇ କତା ରଶିରେ ବାନ୍ଧି ଯାତ୍ରା ମଞ୍ଚର ଚାରି କୋଣରେ ଝୁଲାଇ ଦିଆଯାଉଥିଲା। ମଞ୍ଚରେ ଯାତ୍ରା ଚାଲୁଥିବା ବେଳେ ଗୋଟେ ଲାଇଟ୍ର ଆଲୁଅ ମଳିନ ପଡ଼ିଯାଉଥିଲା। ତାକୁ ପୁଣି ମଞ୍ଚ ତଳକୁ ଖସାଇ ଅଣାଯାଉଥିଲା ଏବଂ ପମ୍ପ ମାରି ପବନ ଭର୍ତ୍ତି କରାଯାଉଥିଲା ପୁଣି ଡେ ଲାଇଟ୍ଟି ତୋଫା ଆଲୁଅ ଦେଇ ଜଳୁଥିଲା। ପ୍ରାୟ ନବେ ଦଶକର ମଧ୍ୟ ଭାଗ ପର୍ଯ୍ୟନ୍ତ ଗାଁ ମେଳଣ ପଡ଼ିଆରେ ଡେ ଲାଇଟ୍ ଆଲୁଅରେ ଅପେରା ପାର୍ଟି ଏମିତି ଯାତ୍ରା ପରିବେଷଣ କରୁଥିଲେ। ସେହିଭଳି ଗାଁ ଡ୍ରାମା ପେଣ୍ଡାଲକୁ ବି ଡେ ଲାଇଟ୍ ଆଲୋକିତ କରୁଥିଲା। ପାଲା ମଣ୍ଡପରେ ବି ଡେ ଲାଇଟ୍ ଜଳୁଥିଲା। କିନ୍ତୁ ବହୁ ଦିନ ହେଲା ଡେ ଲାଇଟ୍ ଲିଭିଯାଇଛି। ବିଦ୍ୟୁତ୍ ଆସିବା ପରେ ଡେ ଲାଇଟ୍ର ମୃତ୍ୟୁ ହୋଇଯାଇଛି।
E-KYC: ଏମ୍ଜିନରେଗା ଇ-କେୱାଇସି ୬୩.୨୧ ପ୍ରତିଶତ, ରାଜ୍ୟ ହାରରୁ କମ୍
ସମାନ ଅବସ୍ଥା ପେଟ୍ରୋମାକ୍ସ ଲାଇଟ୍ର। କିରାସିନିରେ ଜଳୁଥିବା ଏହି ଲାଇଟ୍ ବି ଆଜି ଅଳିଆଗଦାକୁ ଚାଲିଯାଇଛି। ଆଜିର ପିଲା ତଥା ଯୁବପିଢ଼ିଙ୍କ ପାଇଁ ଡେ ଲାଇଟ୍ ଓ ପେଟ୍ରୋମାକ୍ସ ଲାଇଟ୍ ମ୍ୟୁଜିୟମ୍ର ବସ୍ତୁ ପାଲଟିଯାଇଛି। ସେତେବେଳେ ବାହାଘର, ଶୁଦ୍ଧିଘର, ମେଳା ମହୋତ୍ସବ, ଓ ବିଭିନ୍ନ ପର୍ବପର୍ବାଣୀରେ ପେଟ୍ରୋମାକ୍ସ ଲାଇଟ୍ ବ୍ୟବହାର ହେଉଥିଲା। ଡେ ଲାଇଟ୍ ଭଳି ପେଟ୍ରୋମାକ୍ସ ଲାଇଟ୍ରେ ମେଣ୍ଟାଲ ବନ୍ଧାଯାଉଥିଲା ଏବଂ କିରାସିନି ସହ ପମ୍ପ ମାରି ପବନ ଭର୍ତ୍ତି କରାଯାଉଥିଲା। ପେଟ୍ରୋମାକ୍ସ ଲାଇଟ୍ ବେଶ୍ ତୋଫା ଆଲୁଅ ଦେଉଥିଲା। ଏହାକୁ ସହଜରେ ନେବା ଆଣିବା କରିହେଉଥିଲା। ବାହାଘର ବରାଯାତ୍ରୀ ଶୋଭାଯାତ୍ରାରେ ଏହି ଲାଇଟ୍କୁ ମୁଣ୍ଡରେ ବୋହି ଶ୍ରମିକମାନେ ଯାଉଥିଲେ। ସେତେବେଳେ କିଛି ପଇସାବାଲା ଲୋକଙ୍କ ଘରେ ପେଟ୍ରୋମାକ୍ସ ଲାଇଟ୍ ଥିଲା ଏବଂ ଲୋକେ ମଗାଯଚା କରି କାମ ନିମିତ୍ତରେ ସେସବୁକୁ ବ୍ୟବହାର କରୁଥିଲେ। ବାହାଘର ଯୌତୁକରେ ବି ମିଳୁଥିଲା ପେଟ୍ରୋମାକ୍ସ ଲାଇଟ୍। ମେଣ୍ଟାଲ, ପିନ୍ ଭଳି ଏହି ଲାଇଟ୍ଗୁଡ଼ିକର ଉପକରଣସବୁ ପାଇଁ ହାଟ ବଜାରରେ ସ୍ବତନ୍ତ୍ର ଦୋକାନ ଥିଲା।
Love & Firing: ପ୍ରେମ ପାଇଁ ଫୁଟିଲା ଗୁଳି, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
ପୁରଖା ଲୋକମାନଙ୍କ କହିବାନୁସାରେ ଦଶନ୍ଧି ଦଶନ୍ଧି ଧରି ଏହି ଆଲୁଅରେ ନାଟକ, ଯାତ୍ରା, ବିବାହ, ବ୍ରତ, ମେଳା ମହୋତ୍ସବ, ପାଲା, ମେଳଣ, ଭୋଜିଭାତ ଓ ଗାଁ ବୈଠକ ଅନୁଷ୍ଠିତ ହେଉଥିଲା। ପେଟ୍ରୋମାକ୍ସ ଲାଇଟ୍ ମଗାଯଚାରେ ମିଳିଯାଉଥିଲା। କିନ୍ତୁ ନିହାତି ଆବଶ୍ୟକ ସ୍ଥଳେ ଭଡ଼ାରେ ଅଣାଯାଉଥିଲା। ବାଲିପାଟଣା, ବିଶ୍ୱନାଥପୁର, ବନମାଳୀପୁର, ଝିଣ୍ଟିଶାସନ ଅଞ୍ଚଳରେ ଡେ ଲାଇଟ ଓ ପେଟ୍ରୋମାକ୍ସ ଲାଇଟ ଭଡ଼ା ସୂତ୍ରରୁ ଉପଲବ୍ଧ ହେଉଥିଲା। ରାତିକ ପାଇଁ ଏସବୁ ଲାଇଟ୍ ପିଛା ୨ଟଙ୍କାରୁ ୫ଟଙ୍କା ପର୍ଯ୍ୟନ୍ତ ପଡ଼ୁଥିଲା। ଭଡ଼ା ଆଣିଥିବା ଲୋକ କିରାସିନି ଓ ମେଣ୍ଟାଲ ଖର୍ଚ୍ଚ ବହନ କରୁଥିଲା। ମଧୁବନ, ସରାଟଶାସନ, କୃଷ୍ଣପୁର, ତୁରିନ୍ତିରା ପ୍ରଭୃତି ଭାଗବତ ଗୋସେଇଁଙ୍କ ମେଳଣରେ ଯାତ୍ରା ପାର୍ଟି ନାଚ କରିବା ପାଇଁ ଡେ ଲାଇଟ ଭଡ଼ାରେ ଅଣାଯାଉଥିଲା। ସରାଟଶାସନ ଗାଁରେ ପ୍ରତି ବର୍ଷ ଡ୍ରାମା ହେଉଥିଲା। ଅତୀତର ସ୍ମୃତିଚାରଣ କରି ଅବସରପ୍ରାପ୍ତ ଶିକ୍ଷକ ତଥା ଲେଖକ କାର୍ତ୍ତିକ ଚନ୍ଦ୍ର ଦାଶଙ୍କ କୁହନ୍ତି ଯେ ଡେ ଲାଇଟ୍ରେ ସେ ସରାଟଶାସନ ଗାଁରେ ୪୦ରୁ ଅଧିକ ନାଟକ ଓ ଗୀତିନାଟ୍ୟ ମଞ୍ଚସ୍ଥ କରିଛନ୍ତି। ତାଙ୍କ ସମୟରେ ବନମାଳୀପୁର ଦଇନ ସାହୁ ଓ ବିଶ୍ୱନାଥପୁରର ରାମଚନ୍ଦ୍ର ପଣ୍ଡାଙ୍କଠାରୁ ଡେ ଲାଇଟ ଭଡ଼ାରେ ଆସୁଥିଲା।
ରାମଚନ୍ଦ୍ର ପଣ୍ଡାଙ୍କ କହିବାନୁସାରେ ଡେ ଲାଇଟ୍ ଓ ପେଟ୍ରୋମାକ୍ସ ଲାଇଟ୍ର ବ୍ୟବହାର କମି ଯାଇଥିଲେ ହେଁ ୧୯୯୯ ମସିହା ମହାବାତ୍ୟା ପର୍ଯ୍ୟନ୍ତ କିଛି ଲୋକ ଏସବୁକୁ ଖୋଜୁଥିଲେ। ମାତ୍ର ମହାବାତ୍ୟାରେ ଘରଦ୍ବାରା ଭାଙ୍ଗିବା ଯୋଗୁ ଶହଶହ ଲାଇଟ ମାଟି ତଳେ ପୋତି ହୋଇ ନଷ୍ଟ ହୋଇଗଲା। ଏହାପରଠୁ ବିଜୁଳି ଲାଇଟ୍ ବ୍ୟବହାର ବଢ଼ିଲା ଏବଂ ଧୀରେଧୀରେ କିରାସିନିରେ ଜଳୁଥିବା ଏହି ଲାଇଟ୍ଦ୍ବୟ ହଜିଗଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/06/dgdgadgzcvcv-2026-01-06-02-10-15.jpg)