ଭୁବନେଶ୍ବର: ସାହିତ୍ୟିକ ଦେବାଶିଷ ମହାପାତ୍ରଙ୍କ ବ୍ୟଙ୍ଗ କବିତା ପୁସ୍ତକ ‘ଦେବାଶିଷୀୟ ବ୍ୟଙ୍ଗବିଚାର’ ଲୋକାର୍ପିତ ହୋଇଯାଇଛି। ‘ସମ୍ବାଦ’ ଭବନ‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ, ଅତି ଅପ୍ରିୟ ସତ ଓ କଟୁ କଥାକୁ ମଧୁରତାର ସହିତ ଜଣାଇ ଓ ଦେଖାଇ ପାରୁଥିବା ଏକ ମାତ୍ର ସାଧନ ହେଉଛି ବ୍ୟଙ୍ଗ। ଏଣୁ ବ୍ୟଙ୍ଗ କବିତା ମାଧ୍ୟରେ ଅନେକ ଖବର ଯାହା କହି କିମ୍ବା‌ ଲେଖି ହୁଏ ନାହିଁ ତାହା ପରିପ୍ରକାଶ କରିହୁଏ ‌ବୋଲି କହିଥିଲେ। ସେ ଶ୍ରୀ ମହାପାତ୍ରଙ୍କ ଲିଖିତ ରବିବାର ‘ବ୍ୟଙ୍ଗବିଚାର’ କବିତାଗୁଡ଼ିକୁ ପୁସ୍ତକଭାବେ ‌ଲୋକାର୍ପିତ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥିଭାବେ ବ୍ୟଙ୍ଗକବି ଜ୍ଞାନ ହୋତା କହିଥିଲେ, ଅନେକ ଲେଖକଙ୍କ ଲେଖା ପଢ଼ିଲେ ମଧ୍ୟ ମନେ ରୁହେନି, ହେଲେ ଦେବାଶିଷଙ୍କ ଲେଖା ମନକୁ ଛୁଏଁ ତେଣୁ ତାହା ମନେରହିଯାଏ। ସେ ଏମିତି କୃତି ଆହୁରି ତିଆରି କରନ୍ତୁ ବୋଲି କହିଥିଲେ।

Advertisment

Rain in some parts of the state: ୨୩, ୨୪ରେ ରାଜ୍ୟର କିଛି ସ୍ଥାନରେ ବର୍ଷା

‘ସମ୍ବାଦ’ ଗ୍ରୁପ୍‌ ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଥିଲେ, ଦେହକୁ ଦାହ ନ କରିଲେ କଟାକ୍ଷ ଆସିବନି। ନ ବାଧିଲେ, କଷ୍ଟ ନ ହେଲେ କଟାକ୍ଷର ସୃଷ୍ଟି ଅସମ୍ଭବ। ସେହିପରି ବହୁ କଥାକୁ ଅଳ୍ପରେ ବୁଝେଇବାର କ୍ଷମତା କଟାକ୍ଷର ଅଛି ବୋଲି ସେ କହିଥିଲେ। ଫିଚର ସମ୍ପାଦକ ଧୃତିିକାମ ମହାନ୍ତି କହିଥି‌‌ଲେ, ଲେଖକ ବା‌ କବିଙ୍କର ‌ତାଙ୍କ ସୃଷ୍ଟିକୁ ନେଇ ଅହଙ୍କାର ଥାଏ। ତାଙ୍କ ଲେଖାକୁ ପରିବର୍ତ୍ତନ କିମ୍ବା ମାର୍ଜିତ କରିବା କଥା‌ ଉଠିଲେ ସେମାନେ ଖରାପ ଭାବନ୍ତି। କିନ୍ତୁ ସେ ଦୃଷ୍ଟିରୁ ଦେବାଶିଷ ବାବୁ ସମ୍ପୂର୍ଣ୍ଣ ଅଲଗା ଓ ଭିନ୍ନ। ସେ ତାଙ୍କ ସୃଜନୀକୁ ଆହୁରି ସୁନ୍ଦର କରିବା ପାଇଁ ମୋତେ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଲେଖକ ‌ଶ୍ରୀ ମହାପାତ୍ର କହିଥିଲେ, ‌ମୋର ପ୍ରଥମ ପୁସ୍ତକ ଏହି ‘ସମ୍ବାଦ’ କାର୍ଯ୍ୟାଳୟରେ ଲୋକାର୍ପିତ ହୋଇଥିଲା ଓ ୧୫ତମ ପୁସ୍ତକ ମଧ୍ୟ ଏଠାରେ ଲୋକାର୍ପିତ ‌ହେଉଛି। ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର କଥା ବୋଲି ସେ କହିଥିଲେ। ପୁସ୍ତକର ପ୍ରକା‌ଶକ ରାଜ‌କି‌ଶୋର ଦାସ, କାର୍ଟୁନିଷ୍ଟ ଦେବାଶିଷ ସିଂହ ଲେଖକଙ୍କୁ ଶୁଭେଚ୍ଛା ଜଣାଇଥି‌ଲେ। ସମ୍ବାଦିକ ଅକ୍ଷୟ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଲେଖକଙ୍କ ପତ୍ନୀ ଶୁଭାଙ୍ଗୀ ମହାପାତ୍ର ଉପସ୍ଥିତ ଥିଲେ।

Sambad Sahitya Pakhya: ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବାଦଶ ସନ୍ଧ୍ୟା: ନାରୀକୁ ସଶକ୍ତ କରିବାକୁ ଶାରୀରିକ ଅପେକ୍ଷା ମାନସିକ ବଳ ଅଧିକ ଦରକାର