ଭୁବନେଶ୍ବର: ସତ୍ୟନଗର ଶ୍ମଶାନ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ନୂଆ ରୂପ ପାଇଥିବା ସତ୍ୟନଗର ଶ୍ମଶାନକୁ ଆଜି ଲୋକାର୍ପଣ କରିଛନ୍ତି। ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଭୁବନେଶ୍ବର ମହାନଗର ନିଗମର ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, କର୍ପୋରେଟର୍ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

Remember 25: ମନେରହିବ ୨୫: ଆକର୍ଷଣ ନୁହେଁ, ଆଲୋଚନାରେ ପର୍ଯ୍ୟଟନ

ପ୍ରାୟ ୮ହଜାର ବର୍ଗଫୁଟ ପରିମିତ ଏହି ଶ୍ମଶାନର ପୁନରୁଦ୍ଧାର ବାବବରେ ମୋଟ୍‌ ୩ କୋଟି ୨୨ ଲକ୍ଷ ୯୨ହଜାର ୭୩୭ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ଉଭୟ ପାରମ୍ପରିକ କାଠ ଶବଦାହ ବ୍ୟବସ୍ଥା ସାଙ୍ଗକୁ ଅତ୍ୟାଧୁନିକ ଗ୍ୟାସ୍‌ଚାଳିତ ଶବଦାହ ବ୍ୟବସ୍ଥା କରାଯାଇଛି। ଶବ ରଖିବା ପାଇଁ ପିଣ୍ଡି ସାଙ୍ଗକୁ ଶ୍ରାଦ୍ଧ ପିଣ୍ଡି, ଆତ୍ମୀୟସ୍ବଜନଙ୍କ ବିଶ୍ରାମ ପାଇଁ ଛାୟାପ୍ରଦ ସେଡ୍, ୨୪ ଘଣ୍ଟିଆ ବିଜୁଳି ସେବା ପାଇଁ ନୂଆ ଡିଜି ସେଟ୍ ବ୍ୟବସ୍ଥା କରାଯାଇଛି। ୨୪ ଘଣ୍ଟିଆ ସିସିଟିଭି ନଜରରେ ସମ୍ପୂର୍ଣ୍ଣ ଶ୍ମଶାନକୁ ରଖାଯାଇଛି। ପରିଷ୍କାର ପରିଚ୍ଛନ୍ନତାକୁ ବି ବିଶେଷ ଗୁରୁତ୍ୱ ଦିଆଯାଇଛି। ପୁନଃବିକଶିତ ସତ୍ୟନଗର ଶ୍ମଶାନରେ ଧାର୍ମିକ ବାତାବରଣକୁ ଗୁରୁତ୍ବ ଦେଇ ନିର୍ମାଣ କାର୍ଯ୍ୟ କରାଯାଇଛି। ଶୁଦ୍ଧିକ୍ରିୟା ପୂଜା ପାଇଁ ସ୍ବତନ୍ତ୍ର ପିଣ୍ଡିର ବ୍ୟବସ୍ଥା ହୋଇଛି। ଯେଉଁଠି ପାଣି ସୁବିଧା ସହ ଆତ୍ମୀୟସ୍ବଜନକଙ୍କ ବସିବା ଆଦିର ବ୍ୟବସ୍ଥା ହୋଇଛି। ଶୁଦ୍ଧିକ୍ରିୟା ବେଳେ ସ୍ନାନ ପାଇଁ ଛୋଟ ଜଳାଶୟ ବ୍ୟବସ୍ଥା କରାଯାଇଛି ଓ ଏହାର ପାଣିକୁ ନିୟମିତ ସଫା କରିବାକୁ ବିଶୋଧନ ଯନ୍ତ୍ରାଂଶ ଲଗାଯାଇଛି। ଶବ ଆଣୁଥିବା ଗାଡ଼ି, ଦୁଇଚକିଆ ଓ ଚାରିଚକିଆ ପାର୍କିଂ ବ୍ୟବସ୍ଥା କରାଯାଇଛି। ବର୍ଷା ଓ ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା ହୋଇଛି।

ଖର୍ଚ୍ଚ ହୋଇଛି ୩.୨୨ କୋଟି
ରହିଛି ୬ଟି କାଠ ଶବଦାହ ଓ ଏକ ଗ୍ୟାସ୍‌ଚାଳିତ ଶବଦାହ ସ୍ଥାନ
ଗ୍ୟାସ୍‌ଚାଳିତ ଶବଦାହ ପାଇଁ ଦେୟ ୨ହଜାର ଟଙ୍କା
ହରିଶ୍ଚନ୍ଦ୍ର ହିତାଧିକାରୀଙ୍କୁ ମାଗଣା ସୁବିଧା

Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ

ଶବଦାହ ସ୍ଥଳର ଚତୁଃପାର୍ଶ୍ବରେ ସବୁଜିମା ପରିବେଶ ତିଆରି କରାଯାଇଛି, ଯାହା ଶୀତଳତା ଆଣିଦେବ। ଏଥିସହସୌନ୍ଦର୍ଯ୍ୟୀକରଣ ଗଛ, ଲାଇଟ୍, ସୂଚନାଫଳକ ଆଦି ଲଗାଯାଇଛି। ପୂର୍ବରୁ ୪ଟି କାଠ ଶବଦାହ ସ୍ଥଳ ରହିଥିଲା। ଆଉ ଦୁଇଟି ନୂଆ କରି କରାଯାଇଛି।  ଯେଉଁଠି ଏକକାଳୀନ ୬ଟି ଶବ ଦାହ ହୋଇପାରିବ। ପ୍ରଦୂଷଣ ରୋକିବାକୁ ଏକ ପରିବେଶ ଅନୁକୂଳ ଅତ୍ୟାଧୁନିକ ଗ୍ୟାସ୍‌ଚାଳିତ ଶବଦାହ ବ୍ୟବସ୍ଥା କରାଯାଇଛି। ଗ୍ୟାସ୍‌ଚାଳିତ ଶବଦାହ ପାଇଁ ମୃତଦେହ ପିଛା ୨ହଜାର ଟଙ୍କା ଦେବାକୁ ପଡ଼ିବ। ହରିଶ୍ଚନ୍ଦ୍ର ଯୋଜନା ହିତାଧିକାରୀ ବିନା ମୂଲ୍ୟରେ ଶବଦାହ କରିପାରିବେ। ଅଜଣା ଶବ ପାଇଁ ପୁଲିସ ବିଭାଗ ୨ହଜାର ଟଙ୍କା ଦେବ। ନୂଆ ଓ ଚଉଡ଼ା ପ୍ରବେଶ ଦ୍ବାର କରାଯାଇଛି। ୨୪ ଘଣ୍ଟିଆ ନଜର ରଖିବା ସହ ଶ୍ମଶାନ ପରିଚାଳନା ଓ ତଦାରଖ ପାଇଁ ନିରାପତ୍ତା କକ୍ଷ ନିର୍ମାଣ କରାଯାଇଛି। ଡିଜିଟାଲ୍ ବ୍ୟବସ୍ଥାରେ ସିଙ୍ଗଲ୍ ୱିଣ୍ଡୋ ଶବଦାହ ପଞ୍ଜୀକରଣ, ଦେୟ ପଇଠ, ରସିଦ୍, ସୂଚନା ଆଦି ପାଇଁ ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ଯଦ୍ବାରା ଶବଦାହ ସଅଳ ହେବ। ପୂର୍ବଭଳି ଆଉ ଲୋକେ ଘଣ୍ଟା ଘଣ୍ଟା ଶବଦାହ ପାଇଁ ଅପେକ୍ଷା କରିବେନି।