ପୁରୁଣା ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନ ଦେବଦର୍ଶନରୁ ଆରମ୍ଭ କରିବାକୁ ଆଜି ସକାଳୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଭୋର୍ରୁ ଶହଶହ ଶ୍ରଦ୍ଧାଳୁ ବ୍ୟାରିକେଡ୍ ଭିତରେ ଲମ୍ବାଧାଡ଼ିରେ ଅପେକ୍ଷା କରିଥିଲେ। ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ୬୦ହଜାରରୁ ଅଧିକ ଶ୍ରଦ୍ଧାଳୁ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ମାତ୍ର ବହୁ ଶ୍ରଦ୍ଧାଳୁ ଅବଢ଼ା ନ ପାଇ ନିରାଶ ହୋଇ ଫେରିଛନ୍ତି। ସେହିଭଳି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାରୁ ଆଜି ଏକାମ୍ରବାସୀ ଟ୍ରାଫିକ୍ ଭିଡ଼ରେ ଅଣନିଃଶ୍ବାସୀ ହୋଇପଡ଼ିଥିବା କହିଛନ୍ତି।
ବୁଧବାର ରାତିରୁ ରାଜଧାନୀକୁ କୁହୁଡ଼ି କବଳିତ କରିସାରିଥିଲା। ରାତି ପ୍ରାୟ ୩ଟା ବେଳକୁ ଘନ କୁହୁଡ଼ି ସବୁଆଡ଼େ ମାଡ଼ିଯାଇଥିଲା। ସେହିଭଳି ଚଳିତବର୍ଷର ପୁଷମାସିଆ ଶୀତ ବି କିଛି କମ୍ ନଥିଲା। ତଥାପି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଛୁଟିଆସିଥିଲେ। ରଥଦାଣ୍ଡ, ଲିଙ୍ଗରାଜ ମନ୍ଦିରର ଉତ୍ତରଦ୍ବାର, ସିଂହଦ୍ବାର ରାସ୍ତା, ଲିଙ୍ଗରାଜ ମାର୍କେଟ୍, ବିନ୍ଦୁସାଗର ରୋଡ୍ ଓ ହାଟପାଖ ସବୁଠି ମାଳମାଳ ଗାଡ଼ି। ସକାଳୁ ସକାଳୁ ମନ୍ଦିର ଚାରିପଟେ ଶ୍ରଦ୍ଧାଳୁମାନଙ୍କ କୋଳାହଳ। ବ୍ୟାରିକେଡ୍ ଭିତରେ ଯେତିକି ବାହାରେ ତା’ଠୁ ଅଧିକ ଶ୍ରଦ୍ଧାଳୁଙ୍କ ଚଳପ୍ରଚଳ ହେଉଥିଲା। ସକାଳ ପ୍ରାୟ ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ସକାଳ ସାଢ଼େ ୮ଟା ବେଳେ ଅବଢ଼ା ବାହାରିଥିଲା।
Critical: କ୍ରିଟିକାଲ୍ କେୟାର୍ ହସ୍ପିଟାଲ୍କୁ ଆହୁରି ୬ ମାସ
କିନ୍ତୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଯୋଗୁ ଅବଢ଼ା ଶୀଘ୍ର ବିକ୍ରି ହୋଇସରିଗଲା। ସକାଳୁ ଯେତିକି ଭିଡ଼ ହେଲା, ୧୧ଟା ବେଳକୁ ତା’ଠୁ ବେଶି ଗହଳି ହୋଇଗଲା। ଆଜି ପ୍ରାୟ ୩୦୦ ଟୁରିଷ୍ଟ ବସ୍ ମନ୍ଦିରକୁ ଆସିଥିଲା। ତେଣୁ ଦିପହରକୁ ମନ୍ଦିର ଚାରିପଟେ ଚାଲିଚାଲି ଯିବା ବି କଷ୍ଟକର ହୋଇପଡ଼ିଥିଲା। ଅପରାହ୍ଣରେ ବି ଭିଡ଼ କିଛି କମ୍ ନଥିଲା। ପର୍ଯ୍ୟଟକମାନେ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ କେଦାରଗୌରୀ, ମୁକ୍ତେଶ୍ବର ମନ୍ଦିର ପରିସରରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାବେଳେ ବିନ୍ଦୁସାଗର କୂଳରେ ନାହିଁ ନଥିବା ଜାମ୍। ମ୍ୟୁଜିକାଲ୍ ଫାଉଣ୍ଟେନ୍ର ମନୋରମ ଦୃଶ୍ୟ ଦେଖିବାକୁ ବିନ୍ଦୁସାଗର ଚାରିପଟେ ପ୍ରବଳ ଲୋକ ରୁଣ୍ଡ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/02/untitled-13-2026-01-02-06-14-13.jpg)