ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସ ଟ୍ରମା କେନ୍ଦ୍ରକୁ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି। ଆବଶ୍ୟକ ସଂଖ୍ୟକ ଶଯ୍ୟା ନଥିବା କାରଣରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ହଇରାଣ ହେଉଛନ୍ତି। ପାଖରେ ଥିବା ଗୁରୁତର ରୋଗୀଙ୍କ ଲାଗି ଶଯ୍ୟା ଖଣ୍ଡେ ଯୋଗାଇ ଦେବାକୁ ଲୋକେ ନେହୁରା ହେଉଛନ୍ତି। ଟ୍ରମା କେନ୍ଦ୍ରକୁ ଦିନକୁ ହରାହାରି ୨୦୦ ରୋଗୀ ଆସୁଛନ୍ତି। ଶଯ୍ୟା ନଥିବା ଶୁଣି, ଅନ୍ୟ ଡାକ୍ତରଖାନାକୁ ରୋଗୀଙ୍କୁ ନେବକୁ ବାଧ୍ୟ ହେଉଛନ୍ତି। ଏହି ୯୦ଶଯ୍ୟା ବିଶିଷ୍ଟ ଟ୍ରମା କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇ ନଥିବା ଏବଂ ୧୭୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ ନିର୍ମାଣାଧୀନ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏହି କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ ସମ୍ପୂର୍ଣ୍ଣ ହେବାକୁ ଆହୁରି ୬ମାସ ସମୟ ଲାଗିବ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଗୁରୁତର ଆଘାତପ୍ରାପ୍ତ ରୋଗୀ କଲବଲ ହେବା ଥୟ।

Advertisment

The capital: ଧଳା ଚାଦରରେ ଦିନ ସାଢ଼େ ୧୧ ଯାଏ ରାଜଧାନୀ


୨୦୨୪ ଫେବ୍ରୁଆରି ପ୍ରାରମ୍ଭରେ ଲୋକାର୍ପଣ ହୋଇଥିବା ଏହି ଅତ୍ୟାଧୁନିକ ଟ୍ରମା କେନ୍ଦ୍ରରେ ୧୬ଟି ‌ୟେଲୋ ଜୋନ୍‌, ୨ଟି ଇଏଚ୍‌ଏସ୍‌, ୬ଟି ରେଡ୍‌ ଜୋନ୍‌, ୨ଟି ଶିଶୁରୋଗ, ୧୧ଟି ଆଇସିୟୁ, ଏଚ୍‌ଡିୟୁ, ୭ଟି ମେଡିକାଲ୍‌ ଆଇସିୟୁ,  ୭ଟି ପ୍ରାଇଭେଟ୍‌ କ୍ୟାବିନ୍‌, ୪୦ଟି ଟ୍ରମା ୱାର୍ଡବେଡ୍‌ ଏବଂ ଗ୍ରିନ୍‌ଜୋନ୍‌ ବେଡ୍‌ ରହିଛି। ବିଭାଗରେ ୧୨ରୁ ଅଧିକ ଫ୍ୟାକଲ୍ଟିଙ୍କ ସମେତ ସିନିୟର୍‌ ରେସିଡେଣ୍ଟ ଓ ସହାୟକମାନେ କାର୍ଯ୍ୟରତ ଅଛନ୍ତି। ତେବେ ଉଦ୍‌ଘାଟନର ଦୁଇବର୍ଷ ପରେ ମଧ୍ୟ ଟ୍ରମା କେୟାର୍‌ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ତଥାପି ରୋଗୀ ସଂଖ୍ୟା ଅନୁଯାୟୀ ଶଯ୍ୟା ସଂଖ୍ୟା ନଥିବାରୁ ଲୋକଙ୍କୁ ଉପଯୁକ୍ତ ସେବା ମିଳୁ ନଥିବା ଅଭିଯୋଗ ହେଉଛି।

The head: ବର୍ଷ ଆରମ୍ଭରୁ ଗଡ଼ିଲା ମୁଣ୍ଡ

ପ୍ରତି ମୁହୂର୍ତ୍ତରେ ଏମ୍‌ସ ଟ୍ରମା କେନ୍ଦ୍ରକୁ ସମଗ୍ର ରାଜ୍ୟରୁ ରୋଗୀଙ୍କ ସୁଅ ଛୁଟୁଛି। ଆମ୍ବୁଲାନ୍ସ ପରେ ଆମ୍ବୁଲାନ୍ସ ଆସୁଛି। ରୋଗୀ କିଭଳି ଉପଯୁକ୍ତ ଚିକିତ୍ସା ପାଇବେ, ସେନେଇ ରୋଗୀଙ୍କ ସମ୍ପର୍କୀୟମାନେ ଚିନ୍ତିତ ରହୁଛନ୍ତି। ଶଯ୍ୟା ଅଭାବରୁ ରୋଗୀଙ୍କୁ ପରିଚାଳନା କରିବାରେ ସିନିୟର୍‌ ରେସିଡେଣ୍ଟ ଓ ଅନ୍ୟମାନେ ନୟାନ୍ତ ହେଉଛନ୍ତି। ସବୁଦିନ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ଜଟିଳ ତଥା ଜରୁରିକାଳୀନ ଅବସ୍ଥାରେ ରୋଗୀଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ଭୁବନେଶ୍ବର ଏମ୍‌ସର ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା କହିଛନ୍ତି, ଟ୍ରମା କେୟାର୍‌କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିଭଳି ଏମ୍‌ସ ପରିସରରେ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ ନିର୍ମାଣାଧୀନ ରହିଛି। ଏହା ଜୁଲାଇ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏହି କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବା ପରେ ଦୁର୍ଘଟଣାଜନିତ ଗୁରୁତର ତଥା ଜରୁରୀକାଳୀନ ରୋଗୀଙ୍କୁ ପରିଚାଳନା କରିବାରେ ସୁବିଧା ହେବ ବୋଲି ଡା. ପରିଡ଼ା କହିଛନ୍ତି।