ଭୁବନେଶ୍ବର: ବର୍ଷ ଆରମ୍ଭରୁ ରାଜଧାନୀରେ ଗଡ଼ିଛି ମୁଣ୍ଡ। ନୟାପଲ୍ଲୀ ଥାନାରେ ରୁଜୁ ହୋଇଛି ୨୦୨୬ ମସିହାର ରାଜଧାନୀରେ ଘଟିଥବା ପ୍ରଥମ ହତ୍ୟା ମାମଲା। ୨୭ ତାରିଖ ରାତିରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ନୟାପଲ୍ଲୀ ନୂଆସାହି ନୀଳକଣ୍ଠନଗର ଅଞ୍ଚଳର ଜିତେନ୍ଦ୍ର ଦାସ ଓରଫ ବବୁଲ୍‌(୩୧) ଚିକିତ୍ସାଧୀନ ଅବସ୍ଥାରେ ଭରତପୁରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଆଜି ସକାଳୁ ସକାଳୁ ଆଖି ବୁଜିଦେଇଛନ୍ତି। ତ୍ରିକୋଣୀୟ ପ୍ରେମକୁ ନେଇ ବବ୍‌ଲୁଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ଘର ଆଗରୁ ଉଠାଇ ନେବା ପରେ ଖଣ୍ଡାରେ ହାଣି ରାସ୍ତାରେ ଫୋପାଡ଼ି ଦେଇଥିଲେ। ବବ୍‌ଲୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସ୍ଥାନୀୟ ଅଞ୍ଚଳର ନାଣ୍ଡୁ ଓ ତା’ ଗୋଷ୍ଠୀ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ପୁଲିସ ନୟାଗଡ଼ ଦଶପଲ୍ଲାର ସୁମନ ନାଏକକୁ ଗିରଫ କରିଛି ଏବଂ ଜଣେ ନାବାଳକକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଛି। କିନ୍ତୁ ମାଷ୍ଟରମାଇଣ୍ଡ ନାଣ୍ଡୁକୁ ପୁଲିସ ଗିରଫ କରିପାରିନାହିଁ। ଆଜି ବବ୍‌ଲୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ନୀଳକଣ୍ଠନଗର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଉତ୍ତ୍ୟକ୍ତ ଲୋକେ ନାରାୟଣ ବସ୍ତିରେ ଥିବା ନାଣ୍ଡୁର ଘରକୁ ଭାଙ୍ଗି ପକାଇଥିଲେ।

Advertisment

The fight against corruption: ଦୁର୍ନୀତି ବିରୋଧୀ ଲଢ଼େଇ ‌ଅଧପନ୍ତରିଅ‌ା: ବର୍ଷାଧିକ କାଳ ଲୋକାୟୁକ୍ତ ଅଚଳ, ଗଡ଼ୁଛି ୮୭୬ ମାମଲା

 
ମୃତ ବବ୍‌ଲୁଙ୍କ ଘର ଯାଜପୁରଜିଲ୍ଲା କୋରେଇ ଅଞ୍ଚଳରେ। ସେ ନୟାପଲ୍ଲୀ ନୀଳକଣ୍ଠନଗର ଅଞ୍ଚଳରେ ପରିବାର ସହ ରହୁଥିଲେ ଏବଂ ଗାଡ଼ି ଚାଳକ ଭାବେ କାମ କରୁଥିଲେ। ପାଖାପାଖି ୨ବର୍ଷ ହେବ ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ସେମାନଙ୍କ ପ୍ରେମ ସମ୍ପର୍କ ଭିତରେ ନାଣ୍ଡୁ ମୁଣ୍ଡ ଭର୍ତ୍ତି କରିଥିଲା। ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ନାଣ୍ଡୁ ଓ ବବ୍‌ଲୁ ଉଭୟ ଯୁବତୀଙ୍କୁ ପ୍ରେମ କରୁଥିବା ଦାବି କରି ବିବାଦରେ ଫସିଗଲେ। କେହି ପଛକୁ ହଟିଲେ ନାହିଁ, ବରଂ ଗୋଷ୍ଠୀ ସଂଘର୍ଷ ପାଇଁ ପ୍ରସ୍ତୁତ ହେଲେ। ବିଭିନ୍ନ ସମୟରେ ନାଣ୍ଡୁ ଗୋଷ୍ଠୀ ଓ ବବ୍‌ଲୁ ଗୋଷ୍ଠୀ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ସେମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଲା। ୨୭ ତାରିଖ ରାତି ପ୍ରାୟ ୭ଟା ବେଳେ ବବ୍‌ଲୁ ତାଙ୍କ ଘର ଆଗରେ ବୁଲାବୁଲି କରୁଥିବା ବେଳେ ନାଣ୍ଡୁ ଗୋଷ୍ଠୀ ଏକ କାର୍‌ ଯୋଗେ ସେଠାରେ ପହଞ୍ଚି ଅତର୍କିତ ଭାବେ ଆକ୍ରମଣ କଲେ। ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ରରେ ସଜ୍ଜିତ ନାଣ୍ଡୁ ଗୋଷ୍ଠୀଙ୍କ ଆକ୍ରମଣରୁ ବର୍ତ୍ତିବାକୁ ବବ୍‌ଲୁ ଦୌଡ଼ିଥିଲେ।

Air pollution: ବାୟୁ ପ୍ରଦୂଷଣ: ୧୨୫ ଘଣ୍ଟା ହେଲା ସ୍ଥିତି ସୁଧୁରୁନି

ମାତ୍ର ଦୁର୍ବୃତ୍ତମାନଙ୍କ ଖଣ୍ଡା ଓ ଭୁଜାଲି ଚୋଟରେ ଆହତ ହୋଇ ସେ ତଳେ ପଡ଼ିଯାଇଥିଲେ। ନାଣ୍ଡୁ ଗୋଷ୍ଠୀ ତାଙ୍କୁ କାର୍‌ରେ ଭର୍ତ୍ତି କରି ସେଠାରୁ ପଳାଇଥିଲେ। ବବ୍‌ଲୁକୁ ଅପହରଣ କରିନେବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ କାର୍‌କୁ ପିଛା କରିଥିଲେ। ମାତ୍ର ନାଣ୍ଡୁ ଗୋଷ୍ଠୀ କାର୍‌ ଭିତରେ ବବ୍‌ଲୁଙ୍କ ମୁଣ୍ଡକୁ ହାଣି ଗୁରୁତର କରିବା ପରେ ସିବିଆଇ କାର୍ଯ୍ୟାଳୟ ରୋଡ୍‌ରେ ଫୋପାଡ଼ି ପଳାଇଥିଲେ। ବବ୍‌ଲୁ ମରିଯାଇଥିବା ଭାବି ନାଣ୍ଡୁ ଗୋଷ୍ଠୀ ତାଙ୍କୁ ରାସ୍ତା କଡ଼ରେ ଫୋପାଡ଼ି ପଳାଇଥିଲେ। ସ୍ଥାନୀୟ ଲୋକେ ବବ୍‌ଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍‌କୁ ପଠାଇଥିଲେ।