ଜମ୍ମୁ: ଜମ୍ମୁରେ ଚାଲିଥିବା ଜମ୍ମୁ ଓ କଶ୍ମୀର ପ୍ରିମିୟର ଲିଗ୍ (ଜେକେପିଏଲ) ଏବେ ଖେଳ ଅପେକ୍ଷା ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ଅଛି। ଏହି ଲିଗ୍‌ର ଏକ ମ୍ୟାଚ୍‌ ସମୟରେ ଜଣେ ଖେଳାଳି ନିଜ ହେଲମେଟ୍‌ରେ ପାଲେଷ୍ଟାଇନ୍‌ର ପତାକା ମାରିଥିବା ଦେଖାଯିବା ବଡ଼ ବିବାଦ ସୃଷ୍ଟି ହୋଇଛି। ହେଲମେଟ୍‌ରେ ପାଲେଷ୍ଟାଇନ ପତାକା ଲଗାଇଥିବା ଖେଳାଳିଙ୍କ ନାଁ ହେଉଛି ଫରକାନ ଭଟ୍ ଓ ସେ ଜେକେ-୧୧ ଦଳ ପକ୍ଷରୁ ଖେଳୁଛନ୍ତି। ବୁଧବାର ଜେକେ-୧୧ ଓ ଜମ୍ମୁ ଟ୍ରେଲବ୍ଲେଜର୍ସ ମଧ୍ୟରେ ଚାଲିଥିବା ଏକ ମ୍ୟାଚ୍‌ ବେଳେ ଫରକାନ ନିଜ ହେଲମେଟ୍‌ରେ ପାଲେଷ୍ଟାଇନ୍ ପତାକାର ଷ୍ଟିକର ମାରିଥିବା ଦେଖାଯାଇଥିଲା। ଏହା ଜଣାପଡ଼ିବା ପରେ ଜମ୍ମୁ ପୁଲିସ ଘଟଣାକୁ ସଂବେଦନଶୀଳ ମନେକରି ତଦନ୍ତ ଆରମ୍ଭ କରିଛି। ଜମ୍ମୁର ଡୋମାନା ପୁଲିସ ଫରକାନ ଓ ଆୟୋଜକଙ୍କୁ ଥାନାକୁ ଡାକି ପଚରାଉଚୁରା କରିଛି । ପୁଲିସ ମୁଖ୍ୟତଃ ଜାଣିବାକୁ ଚେଷ୍ଟା ଚଳାଇଛି ଯେ ଖେଳର ଆୟୋଜକ କ୍ରୀଡ଼ା ବ୍ୟତୀତ ଅନ୍ୟ କୌଣସି ପ୍ରକାର ପ୍ରତୀକ ଲଗାଇବାକୁ ଅନୁମତି ଦେଇଥିଲେ କି ଅଥବା ସଂପୃକ୍ତ ଖେଳାଳି ଏପରି କୌଣସି ଅନୁମତି ମାଗିଥିଲେ କି ? କ’ଣ ଏହି ଘଟଣା ଲିଗ୍‌ର ନିୟମାବଳୀ ଅନୁରୂପ ଥିଲା? ଏହି ଘଟଣା ସଂବେଦନଶୀଳ ଥିବାରୁ ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଛି।

Advertisment

SIR : ଏସଆଇଆର ଯୋଗୁଁ ୨୮ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଏମିତି ଘଟଣା ନୂଆ ନୁହେଁ ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଖେଳରେ ରାଜନୀତିର ଅନୁପ୍ରବେଶ ଯୋଗୁଁ ବିବାଦ ସୃଷ୍ଟି ହୋଇଛି। ପୂର୍ବରୁ ଅନେକ ଥର ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ରାଜନୈତିକ, ସାମାଜିକ ତଥା ଯୁଦ୍ଧ ସଂପର୍କିତ ପ୍ରତୀକର ବ୍ୟବହାରକୁ ନେଇ ବିବାଦ ଦେଖାଦେଇଛି। ଏପରି କେତେକ ଚର୍ଚ୍ଚିତ ଘଟଣା ହେଲା ୧୯୩୬ରେ ଅନୁଷ୍ଠିତ ବର୍ଲିନ ଅଲିମ୍ପିକ୍ସରେ ଜର୍ମାନ କ୍ରୀଡ଼ାବିତମାନେ ନାଜି ପ୍ରତୀକର ବ୍ୟବହାର। ସେହିପରି ୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ଦୁଇଜଣ ଆମେରିକୀୟ ଆଥଲେଟ୍ ବ୍ଲାକ୍ ପାୱାର ସାଲ୍ୟୁଟ କରି ବିବାଦ ସୃଷ୍ଟି କରିଥିଲେ। କ୍ରିକେଟ୍‌ ପଡ଼ିଆ ବି ଏପରି ବିବାଦରୁ ମୁକ୍ତ ନୁହେଁ। ୨୦୧୪ରେ ଭାରତ ବିପକ୍ଷ ଏକ ମ୍ୟାଚ୍‌ରେ ଇଂଲଣ୍ଡର କ୍ରିକେଟ୍‌ ଖେଳାଳି ମୋଇନ ଅଲୀ ‘ସେଭ୍ ଗାଜା’ ରିଷ୍ଟବ୍ୟାଣ୍ଡ୍ ପିନ୍ଧି ବିବାଦ ସୃଷ୍ଟି କରିଥିଲେ। ଏହାକୁ ପିନ୍ଧିବାକୁ ଆଇସିସି ଅନୁମତି ଦେଇ ନ ଥିଲା। ସେହିଭଳି ୨୦୧୯ ବିଶ୍ବକପରେ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଟେରିଟୋରିଆଲ ଆର୍ମିର ‘ବଳିଦାନ ବ୍ୟାଚ୍‌’ ପିନ୍ଧିବାରୁ ବିବାଦ ସୃଷ୍ଟି ହୋଇଥିଲା। ବିସିସିଆଇର ଅନୁରୋଧ ସତ୍ତ୍ବେ ଏପରି ବ୍ୟାଚ୍ ପିନ୍ଧିବାକୁ ଆଇସିସି ଅନୁମତି ଦେଇ ନ ଥିଲା। ସବୁଠାରୁ ଅଧିକ ବିବାଦ ଦେଖାଦେଇଥିଲା ଗତ ବର୍ଷ ହୋଇଥିବା ଏସିଆ କପ୍‌ରେ। ପାକିସ୍ତାନୀ ଖେଳାଳି ହ୍ୟାରିସ୍ ରୌଫ ଭାରତ-ପାକିସ୍ତାନ ସଂଘର୍ଷକୁ ଦର୍ଶାଉଥିବା ଏକ ଯୁଦ୍ଧବିମାନ ଖସିପଡ଼ୁଥିବାର ଇଙ୍ଗିତ କରିବାରୁ ବିବାଦ ଦେଖା ଦେଇଥିଲା। ସେହିପରି ପାକିସ୍ତାନ ଖେଳାଳିମାନଙ୍କ ଭାରତୀୟ ଖେଳାଳି ସହ ହାତମିଳାଇବାକୁ ମନା କରିବାରୁ ବିବାଦ ଦେଖାଦେଇଥିଲା। ଫାଇନାଲରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏସିବି ମୁଖ୍ୟ ତଥା ପାକିସ୍ତାନର ମନ୍ତ୍ରୀ ମୋହସିନ ନକଭୀଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମଧ୍ୟ ମନା କରିଦେଇଥିଲେ।

Horoscope 2026 January 02: ଜାଣନ୍ତୁ ଆଜିର ରାଶିଫଳ