Encroachment on government land in Anant Bihar Photograph: (sambad.in)
ଭୁବନେଶ୍ୱର: ଆଜି ପୋଖରୀପୁଟ ଅନନ୍ତ ବିହାର ଫେଜ୍ ୩ ଲେନ୍ ନମ୍ୱର ୧୦ ରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପୋଖରୀପୁଟ ଓ ଜାଗମରା ସୀମାରେ ଥିବା ୧୪୧ ନମ୍ବର ପ୍ଲଟରେ ସରକାରୀ ଜମିରେ ବେଆଇନ ଭାବେ ଗଢ଼ିଉଠିଥିବା ୨ଟି ଘରକୁ ଚିହ୍ନଟ କରି ଉଚ୍ଛେଦ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ବିଡ଼ିଏ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଜମିରେ ଉଚ୍ଛେଦ ସମୟରେ ସ୍ଥାନୀୟ ଲୋକ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନାପ୍ରକାଶ ପାଇଥିଲା। କୋର୍ଟଙ୍କ ଆଦେଶ ନ ମାନି ଘର ଉଚ୍ଛେଦ ହେଉଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। କୋର୍ଟରେ ମାମଲା ଚାଲିଥିବା ବେଳେ ଏହାକୁ କିଭଳି ଉଚ୍ଛେଦ କରାଯିବ ସେନେଇ ବହୁ ସମୟ ଧରି ଯୁକ୍ତିତର୍କ ହୋଇଥିଲା।
ସ୍ଥାନୀୟ ବାସିନ୍ଦା ବିପିନ ମହାପାତ୍ରଙ୍କ କହିବା ଅନୁଯାୟୀ, ୨୦୧୨ ମସିହାରୁ ସେ ପ୍ଲଟ ନମ୍ବର ୧୪୫ ଜମି କିଣି ଘର କରି ରହୁଛନ୍ତି। ଏହା ସରକାରୀ ଜମିରେ ଯାଉନଥିବା ବେଳେ ଉଚ୍ଛେଦ କରିବା ନେଇ ବିଡ଼ିଏ ବାରମ୍ବାର ନୋଟିସ ଦେଇ ଆସୁଛି। ଏନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ତେବେ ମାପ ଠିକ୍ ଭାବେ ହେଉନଥିବା କାରଣରୁ ସରକାରୀ ଅଧିକାରୀ ଜମି ଠିକ୍ ଭାବେ ସୀମା ନିର୍ଦ୍ଧାରଣ କରିପାରୁନାହାନ୍ତି।
କୋର୍ଟର ନିର୍ଦ୍ଦେଶ କ୍ରମେ ଭଙ୍ଗାଯାଉଛି
ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗର ଡେପୁଟି ଡାଇରେକ୍ଟର ଅମିତ୍ କୁମାର ଦାସ କହିଛନ୍ତି ଆମେ କୋର୍ଟର ନିର୍ଦ୍ଦେଶ କ୍ରମେ ଯାହା ଅର୍ଡର ଆସିଛି ତାକୁ ଭାଙ୍ଗୁଚୁ। ଯେଉଁମାନେ କହୁଛନ୍ତି କେସ ଚାଲିଛି ସେମାନଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଯେହେତୁ ଦୀର୍ଘ ଦିନ ଧରି ଜବରଦଖଲ କରି ରହିଆସିଲେନି ତେଣୁ ବିରୋଧ କରୁଛନ୍ତି। ଯେଉଁମାନଙ୍କର ଜମି ସମ୍ବନ୍ଧୀୟ ବୈଧ ପ୍ରମାଣପତ୍ର ରହିଛି, ସେଥିପ୍ରତି ଦୃଷ୍ଟି ଦିଆଯାଉଛି।
Follow Us