ଭୁବନେଶ୍ବର/ମେଣ୍ଢାଶାଳ: ଗ୍ରୀଷ୍ମ ଆସିବା କ୍ଷଣି ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ବନାଗ୍ନି ଭୟ ଘାରିଲାଣି। ପ୍ରତିବର୍ଷ ଅଭୟାରଣ୍ୟର କେଉଁଠି ନା କେଉଁଠି ନିଆଁ ଲାଗିବା ସହ ହେକ୍ଟର ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହେଉଛି। ଅବଶ୍ୟ ୨୦୨୧ ପରେ ଏହି ଅଭୟାରଣ୍ୟରେ ସେତେ ବଡ଼ଧରଣର ବନାଗ୍ନି ସାମ୍ନାକୁ ଆସି ନାହିଁ। ତଥାପି ଅଭୟାରଣ୍ୟରେ ଅଧିକ ସଂଖ୍ୟାରେ ବାଉଁଶ ଗଛ ରହିଥିବାରୁ ଆଗୁଆ ପଦକ୍ଷେପ ସହ ବନଖଣ୍ଡ ପକ୍ଷରୁ ଜନସାଧାରଣଙ୍କ ସଚେତନତା ଉପରେ ପଦକ୍ଷେପ ନିଆଯାଇଛି। ବାରମ୍ବାର ନିଆଁ ଲାଗୁଥିବା ଡମପଡ଼ା ସେକ୍ସନକୁ ଅଧିକ ଗୁରୁତ୍ବ ଦିଆଯାଇଛି। ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୨୧ ମସିହାରେ ବନାଗ୍ନି ଏଠାରେ ଶୀର୍ଷରେ ପହଞ୍ଚିଥିଲା। ବନାଗ୍ନି ଦ୍ବାରା ଅଭୟାରଣ୍ୟର ହେକ୍ଟର ହେକ୍ଟର ଜଙ୍ଗଲ ପୋଡ଼ିଯାଇଥିଲା।

Advertisment

High Court: ୩ ପୁଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ଯେଉଁଥିପାଇଁ ମାର୍ଚ୍ଚରେ ଏଠାକାର ବନାଗ୍ନି ସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ୍‌ ଆସିଥିଲେ। ପ୍ରତିନିଧି ଦଳ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କ ସହିତ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରି ନିଆଁ ରୋକିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ବନ ବିଭାଗର ଆଗୁଆ ପଦକ୍ଷେପ ସ୍ବରୂପ ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହି ଅଭୟାରଣ୍ୟରେ ନିଆଁ ନିୟନ୍ତ୍ରଣାଧୀନ ରହିଥିଲା। ୨୦୨୩ରେ ପ୍ରାୟ ୨୦ କିମି ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ୨୦୨୪ ମସିହାରେ ୧୫ କିମି ଜଙ୍ଗଲ ନଷ୍ଟ ହୋଇଥିଲା। ତେବେ ୨୦୨୫ରେ ବ୍ୟାପକ ସଚେତନତା ଯୋଗୁଁ ନିଆଁ କମିଥିଲା। ଏଥର ଯେପରି ବ୍ୟାପକ ନିଆଁ ନ ଲାଗେ ଏବଂ କୌଣସି ଜୀବଜନ୍ତୁଙ୍କର ମୃତ୍ୟୁ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି।

ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲାଗିଲେ ଲିଭାଇବା ପାଇଁ ପାଣି ଆବଶ୍ୟକ। ତେଣୁ ଶୁଖିଯାଉଥିବା ହଳଦିଆ ରେଞ୍ଜର ଝଲଳା, ସୋଓରା ବିଲ, ନୂଆ କୂଅ, ଡେରାସ, ଚନ୍ଦକା ରେଞ୍ଜର ଝୁମୁକା, ଜାରିଆ ଅଞ୍ଚଳରେ ଥିବା ଖାଲ ଓ ପୋଖରୀଗୁଡ଼ିକରେ ଗ୍ରୀଷ୍ମ ସମୟରେ ଯେପରି ପାଣି ରହିବ ସେଥିପାଇଁ ବ୍ୟବସ୍ଥା ହେଉଛି। ଏଥିସହ ନିଆଁ ଆୟତ୍ତ ପାଇଁ ପାଣି ଟ୍ୟାଙ୍କର ବ୍ୟବହାର କରାଯିବ। ଅଧିକ ଫରେଷ୍ଟ ଗାର୍ଡ ନିୟୋଜିତ ସହ ଆଖାପାଖ ଗାଁ ଲୋକଙ୍କୁ ସଚେତନ କରାଯିବ। ବାଉଁଶ ବଣ ସହ ଖରା ପୂର୍ବରୁ ଗଛଗୁଡ଼ିକ ପତ୍ରଝଡ଼ା ଦେଉଥିବାରୁ ନିଆଁ ଲାଗିବାର ଆଶଙ୍କା ଅଧିକ ରହୁଛି। ତେଣୁ ଏଥର ସତର୍କତା ଅବଲମମ୍ବନ ସହ ନିଆଁ କିଭଳି ନ ଲାଗିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଶିକାରୀମାନେ ନିଆଁ ଲଗାଇ ଦେଉଥିବା ବିଭିନ୍ନ ସମୟରେ ଅଭିଯୋଗ ଆସୁଥିବାରୁ ସେଥିପ୍ରତି ନଜର ରଖାଯାଇଥିବା ସେ କହିଛନ୍ତି।

Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ

ପିସିସିଏଫ୍‌ କେ ମୁରୁଗେସନ୍‌ କହିଛନ୍ତି ଯେ ପୂର୍ବବର୍ଷର ଅଭିଜ୍ଞତାକୁ ଆଧାର କରି ବନ ବିଭାଗ ଏବର୍ଷ ବାରମ୍ବାର ନିଆଁ ଲାଗୁଥିବା ଅଞ୍ଚଳରେ ଲମ୍ବା ଅଗ୍ନିରୋଧକ ରେଖା ସୃଷ୍ଟି ଓ ରକ୍ଷଣାବେକ୍ଷଣ କରିଛି। ଏଥିସହ ବିଭାଗ,‌ ରେଞ୍ଜ ଓ ବିଟ୍‌ ସ୍ତରରେ ବନାଗ୍ନି ସୁରକ୍ଷା ଦଳ ନିଯୁକ୍ତ ହୋଇଛନ୍ତି। ସେମାନଙ୍କୁ ଲିଫ୍‌ ବ୍ଲୋଅର ସମେତ ଅତ୍ୟାଧୁନିକ ଜ୍ଞାନକୌଶଳ ସୁସଜ୍ଜିତ ସାମଗ୍ରୀ ପ୍ରଦାନ କରାଯାଇଛି। ବନ ସୁରକ୍ଷା ସମିତି, ଇକୋ-ଡେଭଲପମେଣ୍ଟ କମିଟି ଓ ସ୍ଥାନୀୟ ସମୁଦାୟଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ ହୋଇଛି। ଅଭୟାରଣ୍ୟ ନିକଟ ଗାଁରେ ସଚେତନତା କାର୍ଯ୍ୟକ୍ରମ ସହ ଅଧିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭାଗ ପକ୍ଷରୁ ସାଧାରଣ ଜନତା, ବନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଅଗ୍ନି ପ୍ରଜ୍ବଳନ ନ କରିବାକୁ ଅନୁରୋଧ କରାଯାଉଛି। ଅସାବଧାନ କିମ୍ବା ଅବହେଳାଜନିତ ଅଗ୍ନି ବ୍ୟବହାର ବନ ଓ ବନପ୍ରାଣୀ ପାଇଁ ଗୁରୁତର ଓ ଅପରିବର୍ତ୍ତନୀୟ କ୍ଷତି ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି।