କଟକ: ବାରବାଟୀ ଆନ୍ତର୍ଜାତିକ ମ୍ୟାଚ୍ରେ ସବୁଠୁ ଅଧିକ ଚାହିଦାରେ ରହୁଥିବା ୩ ନମ୍ବର ଗ୍ୟାଲେରିର ଦର୍ଶକଙ୍କ ସହ ଧୋକା ହେଉଛି। ସିଟ୍ ନମ୍ବରିଂ ହେଉଛି, ଟିକଟ ବିକ୍ରି ହେଉଛି, ହେଲେ ଦର୍ଶକ ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେଉଛନ୍ତି। ୧ନମ୍ବର ଗ୍ୟାଲେରି ପରେ ୩ ନମ୍ବର ଗ୍ୟାଲେରି ପଡ଼ିଆର ଅତି ନିକଟତମ ଗ୍ୟାଲେରି ହୋଇଥିବା ବେଳେ ଏହି ପଟରେ ଖେଳାଳିମାନେ ନେଟ୍ସ ମଧ୍ୟ କରିଥାନ୍ତି। ତେଣୁ ଏହାର ଚାହିଦା ସବୁବେଳେ ଅଧିକ ରହିଥାଏ। କିନ୍ତୁ ଗ୍ୟାଲେରି ଆଗରେ ବିସିସିଆଇ ବକ୍ସ ନିର୍ମାଣ କରାଯାଇଥିବାରୁ ଦର୍ଶକମାନେ ମ୍ୟାଚ୍କୁ ଦେଖିବା ସମ୍ଭବ ହେବନି। ଗ୍ୟାଲେରିର ଏ, ବି, ସି, ଡି, ଇ, ଏଫ୍, ଜି, ଏଚ୍, ଆଇ, ଜେ ଲେନ୍ର ପାଖାପାଖି ୩୦ଟି ଲେଖାଏଁ ସିଟ୍ର ଦର୍ଶକ କେବଳ କଳା ପରଦା ଛଡ଼ା ଆଉ କିଛି ଦେଖିପାରିବେନି। ୩ ନମ୍ବର ଗ୍ୟାଲେରି ଟିକଟର ମୂଲ୍ୟ ୧୧୦୦ ଟଙ୍କା ହୋଇଥିଲା ବେଳେ ୩୦୦ ସିଟ୍ ପିଛା ୩ଲକ୍ଷ ୩୦ ହଜାର ଟଙ୍କାର ଲାଭ ପାଇଛି ଓସିଏ। ହେଲେ ଦର୍ଶକମାନଙ୍କ କ୍ଷତିକୁ କେମିତି ଭରଣା କରାଯିବ ତାହାର ଉତ୍ତର କାହା ପାଖେ ନାହିଁ। ଦର୍ଶକମାନେ ଟିକଟ କିଣିଥିବାରୁ କୌଣସି ମତେ ମ୍ୟାଚ୍ ଦେଖିବାକୁ ଗ୍ୟାଲେରି ଭିତରେ ସଂଘର୍ଷ କରିବେ। ବିସିସିଆଇ ବକ୍ସରେ ବସିବାକୁ ଥିବା ଅତିଥି ଦର୍ଶକଙ୍କ ସୁରକ୍ଷା ପାଇଁ ଗ୍ୟାଲେରି ସାମନାରେ କଳା ରଙ୍ଗର ନେଟ୍ ବାନ୍ଧି ଦିଆଯାଇଛି। ଷ୍ଟାଡିୟମ୍ରେ କୌଣସିଠାରେ ଆଉ ନେଟ୍ ବନ୍ଧାଯିବନି ବୋଲି ଘୋଷଣା କରାଯାଇଥିଲେ ହେଁ ଓସିଏ ନିଜ ତ୍ରୁଟିର ଶିକାର ନହେବା ପାଇଁ ଏଭଳି ନେଟ୍ ବାନ୍ଧିଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଗତବର୍ଷ ୩ ନମ୍ବର ଗ୍ୟାଲେରିରେ ୪୯୯୯ ସିଟ୍ ରହିଥିଲା। ହେଲେ ଚଳିତ ବର୍ଷ ଗ୍ୟାଲେରି ଦୁର୍ବଳ ଥିବାରୁ ଦର୍ଶକଙ୍କ ସଂଖ୍ୟା ୪୫୮୨କୁ ହ୍ରାସ କରାଯାଇଥିଲା। ଯେଉଁଥିରେ ଲେନ୍ ଏ’ରୁ ଜେ’ ପର୍ଯ୍ୟନ୍ତ ଯଥାକ୍ରମେ ୧୩୫, ୧୩୬, ୧୩୭, ୧୨୧, ୧୨୧, ୧୪୦, ୧୪୧, ୧୨୫, ୧୪୨, ୧୧୬ ଜଣଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଛି। ସେହି ଅନୁସାରେ ଟିକଟ ମଧ୍ୟ ଛପାଯାଇଛି। ହେଲେ ଏମାନଙ୍କ ମଧ୍ୟରୁ ପ୍ରଥମ ବ୍ଲକ୍ରେ ବସିବାକୁଥିବା ୩୦୦ ଜଣ ମ୍ୟାଚ୍ ଦେଖିବାକୁ ବଞ୍ଚିତ ହେବେ। ଏ ସଂକ୍ରାନ୍ତରେ ଓସିଏର ପ୍ରିନ୍ସିପାଲ୍ କନ୍ସଲ୍ଟାଣ୍ଟ ବିଷ୍ଣୁପ୍ରସାଦ ମହାପାତ୍ର କହିଛନ୍ତି, ସିଟ୍ ନମ୍ବରଗୁଡ଼ିକୁ ପୂର୍ବରୁ ପ୍ରିଣ୍ଟ କରାଯାଇଥିଲା। ହେଲେ ୩୦୦ ସିଟ୍ ବ୍ଲକ୍ ରଖାଯାଇଛି। ସେହି ଟିକଟଗୁଡ଼ିକ ବିକ୍ରି କରାଯାଇନାହିଁ। ତେବେ ବାସ୍ତବରେ ସେହି ଟିକଟଗୁଡ଼ିକ ବିକ୍ରି କରାଯାଇଛି କି ନାହିଁ ତାହା ତଦନ୍ତ ସାପେକ୍ଷ ବୋଲି ଦାବି ଉଠୁଛି।
ମ୍ୟାଚ୍ ପାଇଁ ପ୍ରଥମ ଥର ଦୁଇ କମାଣ୍ଡ୍ କଣ୍ଟ୍ରୋଲ୍ ଭେହିକିଲ୍
କଟକ: ଏଥର ବାରବାଟୀ ମ୍ୟାଚ୍ରେ ପ୍ରଥମ ଥର ପାଇଁ ଅଗ୍ନିଶମ ବିଭାଗ ଦୁଇଟି କମାଣ୍ଡ କଣ୍ଟ୍ରୋଲ୍ ଭେହିକିଲ୍ ନିୟୋଜିତ କରିବାକୁ ଯାଉଛି। ଷ୍ଟାଡିୟମ୍ ବାହାର ପଟକୁ ଓୟାରଲେସ୍ କ୍ୟାମେରା ମାଧ୍ୟମରେ ନଜର ରଖାଯିବ। ଏହା ମାଧ୍ୟମରେ ୨୦ଟି କ୍ୟାମେରା ସଂଯୋଗ କରାଯାଇଛି। ଗାଡ଼ିରେ ୮ଟି ଓ ଅବଶିଷ୍ଟ ୧୨ଟି କ୍ୟାମେରା ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ଵାୟାରଲେସ୍ ମାଧ୍ୟମରେ ସଂଯୋଗ କରାଯାଇଛି। ପ୍ରାୟ ୮୦୦ ମିଟର ଯାଏଁ ଜୁମ୍ କରିବାର କ୍ଷମତା ରହିଛି। ଏଥିରୁ ସିଧାସଳଖ ଭିଡିଓ ଅଗ୍ନିଶମ ଡିଜି କିମ୍ବା ଉପରିସ୍ଥ ଅଧିକାରୀ କାର୍ଯ୍ୟାଳୟରେ ବସି ଦେଖିପାରିବେ। କେଉଁଠି ଅଗ୍ନିକାଣ୍ଡ ଘଟିଲେ କିମ୍ବା ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲେ ଏହାକୁ ମୁକାବିଲା କରିବା ପାଇଁ ତୁରନ୍ତ ସେଠାରେ ଅଗ୍ନିଶମ ଅଧିକାରୀଙ୍କୁ ପହଞ୍ଚାଇବା ଦିଗରେ ପଦକ୍ଷେପ ନିଆଯାଇପାରିବ। ପାଣି ଟାଙ୍କି ଓ ସେଣ୍ଟ ଜାଭିୟର ସ୍କୁଲ ନିକଟରେ ଏହି ଗାଡ଼ି ନିୟୋଜିତ ହେବ।
ଅଗ୍ନିଶମ ଡିଜିଙ୍କ ସୁରକ୍ଷା ସମୀକ୍ଷା
୨୫୩ ଅଫିସର ନିୟୋଜିତ
ଖୋଲିବ ୭ ଅଗ୍ନିଶମ କେନ୍ଦ୍ର
ସୁରକ୍ଷାରେ ୨୧ ଅଗ୍ନିଶମ ଗାଡ଼ି
ସୂଚନା ଅନୁଯାୟୀ, ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପୂର୍ବରୁ ଅଗ୍ନିଶମ ଡିଜି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଶନିବାର ଷ୍ଟାଡିୟମରେ ପହଞ୍ଚି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ସମୟରେ କମାଣ୍ଡ କଣ୍ଟ୍ରୋଲ୍ ଭେହିକିଲ୍ ରହିବା ପାଇଁ ପ୍ରଥମ ଥର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାବାଦ୍ ସୁରକ୍ଷା ବ୍ୟବସ୍ଥା ପାଇଁ ୨୫୩ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ। ଏମାନଙ୍କ ମଧ୍ୟରେ ୨୦୦ ଅଗ୍ନିଯୋଦ୍ଧା ନିୟୋଜିତ ହେବେ। ଅବଶିଷ୍ଟ ୫୩ ଜଣ ଅଧିକାରୀ ରହିବେ। ମୋଟ ୭ଟି ଅଗ୍ନିଶମ କେନ୍ଦ୍ର ଖୋଲିବ। ସେଣ୍ଟ୍ ଜାଭିୟର ସ୍କୁଲ, ଓଡ଼ିଶା କ୍ରିକେଟ୍ ଆସୋସିଏସନ କ୍ଲବ୍, ଫୁଟ୍ବଲ୍ ଆସୋସିଏସନ୍ ଅଫିସ, ଅଲିମ୍ପିକ ହର୍ସ ଗେଟ୍ ସାମନା, କ୍ଲବ୍ ହାଉସ୍, ଉପର ବାଲିଯାତ୍ରା ପଡ଼ିଆ ପାର୍କିଂ, ତଳ ବାଲିଯାତ୍ରା ପଡ଼ିଆ ପାର୍କିଂରେ ଏହି ଅଗ୍ନିଶମ କେନ୍ଦ୍ର ଖୋଲାଯିବ। ଏଥିରେ ୨୧ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହେବେ। ବଡ଼ ଗାଡ଼ି ୭ଟି ଓ ଅବଶିଷ୍ଟ କ୍ବିକ୍ ରେସପନ୍ସ ୟୁନିଟ୍, ମିଷ୍ଟ ବାଇକ୍, କମାଣ୍ଡ କଣ୍ଟ୍ରୋଲ ଭେହିକିଲ୍ ରହିବ। ପଡ଼ିଆ ଭିତରେ ହାଇଡ୍ରୋଲିକ୍ କଟର ୪ଟି ରହିବ। ଏହି କଟର ମାଧ୍ୟମରେ କୌଣସି ଅପ୍ରୀତିକର ପରିସ୍ଥିତି ହେଲେ ବ୍ୟାରିକେଡ୍ କାଟିବାରେ ବ୍ୟବହାର ହୋଇପାରିବ। ଏହା ସହିତ ୨୦ ବୋଲ୍ଟ କଟର ରହିବ।
Cold in Jharsuguda and Angul: ୧୦ ଡିଗ୍ରି ତଳେ ୬ ସହର: ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ଜାଡ଼
ଲୁହା ଗେଟ୍ଗୁଡ଼ିକ କୌଣସି କାରଣରୁ କାଟିବାର ଆବଶ୍ୟକ ହେଲେ ତୁରନ୍ତ କଟାଯାଇପାରିବ। ଅଗ୍ନିଶମ ପକ୍ଷରୁ ୪ଟି ଫାଷ୍ଟ ଏଡ୍ ଟିମ୍ ରହିବ। ଏମାନେ ସ୍ପାଇନ ଷ୍ଟ୍ରେଚର, ଆମ୍ବୁ ଭ୍ୟାନ୍ ରଖିବେ। ଏହି ଷ୍ଟ୍ରେଚର୍ ମାଧ୍ୟମରେ ଅଚେତଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ଫାଷ୍ଟ ଏଡ୍ ସେଣ୍ଟରକୁ ସ୍ଥାନାନ୍ତର କରାଯାଇପାରିବ। ଏହା ସହିତ ଆମ୍ବୁ ଭ୍ୟାନ୍ରେ ପୋର୍ଟେବଲ୍ ଅକ୍ସିଜେନ ସିଲିଣ୍ଡର ସହିତ ମାସ୍କ ରହିଛି। ଭିଡ଼ରେ କୌଣସି ବ୍ୟକ୍ତିଙ୍କ ଅକ୍ସିଜେନ୍ ଆବଶ୍ୟକ ହେଲେ ଏହାକୁ ବ୍ୟବହାର କରାଯିବ। ପାଣି ଟାଙ୍କି ନିକଟରେ ଗୋଟିଏ ଅଗ୍ନିଶମ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ। ଏଠି ବରିଷ୍ଠ ଅଗ୍ନିଶମ ଅଧିକାରୀମାନେ ରହିବେ। ଶନିବାର ସ୍ଥିତି ଅନୁଧ୍ୟାନ ସମୟରେ ଡିଜି ଡକ୍ଟର ଷଡ଼ଙ୍ଗୀଙ୍କ ସମେତ ମୁଖ୍ୟ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝୀ, କଟକ ସେଣ୍ଟ୍ରାଲ୍ ରେଞ୍ଜ ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, ଡେପୁଟି ଫାୟାର ଅଫିସର ସୁଶାନ୍ତ ବିଶ୍ବାଳ, ସନାତନ ମହାପାତ୍ର, ଶରତ ଚନ୍ଦ୍ର ମଲ୍ଲିକ, ସଞ୍ଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/30/barabati-2025-11-30-17-15-53.jpg)