ଭୁବନେଶ୍ୱର: ବସ୍ତିବାସିନ୍ଦାଙ୍କ ପରିଚୟରେ ରାଜ୍ୟ ସରକାରଙ୍କଠାରୁ ଘର ପାଇଲେ। ରାଜଧାନୀରେ ଯେଉଁଠି ଜାଗା ଖଣ୍ଡେ କିଣିବା ସ୍ବପ୍ନ, ସେଠାରେ ସରକାର ପକ୍କା ଘର ତିଆରି କରି ବସ୍ତିବାସିନ୍ଦାଙ୍କୁ ମାତ୍ର ଦେଢ଼ ଲକ୍ଷ ଟଙ୍କାରେ ଯୋଗାଇଦେଲେ। କିନ୍ତୁ ଏହାର ଫାଇଦା ନେବାରେ ଲାଗିଛନ୍ତି ସ୍ବଚ୍ଛଳ ବର୍ଗ। ବସ୍ତିବାସିନ୍ଦାମାନେ ପାଇଥିବା ଘର ସବୁ ୮ରୁ ୧୦ହଜାର ଟଙ୍କାରେ ଭଡ଼ାରେ ଲାଗୁଛି।  ଆଖପାଖ ଡାକ୍ତରଖାନାର କର୍ମଚାରୀ, ଡାକ୍ତରୀ ଛାତ୍ରଛାତ୍ରୀମାନେ ଭଡ଼ା ସୂତ୍ରରେ ରହୁଛନ୍ତି। ଅଭିଯୋଗ ମୁତାବକ, ବୁଦ୍ଧବିହାର ପ୍ରକଳ୍ପରେ ଜଣେ ଜଣେ ଏକାଧିକ ଘର ପାଇଛନ୍ତି। ନିଜ ନାମ ସହ ଭାଇ, ଶଳା ଓ ଅନ୍ୟ ସଂପର୍କୀୟଙ୍କ ନାମରେ ଏହି ଘର ନେଇଛନ୍ତି। ନିଜେ ଗୋଟିଏ ଘରେ ରହୁଛନ୍ତି, ଅନ୍ୟ ଘର ଭଡ଼ାସୂତ୍ରରେ ଦେଇଛନ୍ତି। ଘର ପିଛା ୮ରୁ ୧୦ହଜାର ଟଙ୍କାରେ ଭଡ଼ା ଲଗାଯାଇଛି।

Advertisment

ସମାନ ସ୍ଥିତି ଶାନ୍ତିପଲ୍ଲୀ କେଶରୀ ରେସିଡେନ୍ସିର। କେବଳ ସେତିକି ନୁହେଁ, ନିଜକୁ ବସ୍ତିବାସିନ୍ଦା ଭାବେ ଦର୍ଶାଇ କେତେକ ସ୍ବଚ୍ଛଳବର୍ଗର ଲୋକେ ଘର ହାତେଇଛନ୍ତି। କେତେକଙ୍କ ଘର ଆଗରେ ପାର୍କିଂ ହେଉଥିବା ଜାଗୁଆର, ଥର୍‌, ଫର୍ଚୁନର ଭଳି ବଡ଼ ବଡ଼ ଗାଡ଼ି ପ୍ରମାଣିତ କରୁଛି ଯେ ଏମାନେ ଆର୍ଥିକ ଦୁର୍ବଳ ବର୍ଗର ନୁହନ୍ତି। କୁହାଯାଉଛି, ଏହି ଗାଡ଼ିରୁ କେତେକ ଭଡ଼ାଟିଆଙ୍କର, ଆଉ ବାକି ବସ୍ତିବାସିନ୍ଦାଙ୍କର। ସେପଟେ ଗାଡ଼ି ଏଭଳି ରାସ୍ତା ଉପରେ ପାର୍କିଂ କରାଯାଉଛି ଯେ ନିତି ଏଥିପାଇଁ ଗଣ୍ଡଗୋଳ ଲାଗୁଛି। ୩ଦିନ ତଳେ ବୁଦ୍ଧବିହାର ପ୍ରକଳ୍ପର ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ଥର୍‌ ଭଳି ଗାଡ଼ି ଥାଇ ଏମାନେ କିଭଳି ଘର ପାଇଲେ ବୋଲି ଅଭିଯୋଗ ହୋଇଛି।

ଘର ଆଗରେ ଲାଗୁଛି ଜାଗୁଆର, ଥର, ଫର୍ଚୁନର
ଏପ୍ରିଲରୁ ଧରପଗଡ଼ ଜୋରଦାର

ସରକାର ରାଜଧାନୀକୁ ବସ୍ତିମୁକ୍ତ କରିବା ପାଇଁ ନଗର ଉନ୍ନୟନ ବିଭାଗ ଜରିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ)ରେ ଆଫୋର୍ଡେବଲ୍‌ ହାଉସିଂ ପ୍ରକଳ୍ପ କରୁଛନ୍ତି। ଯେଉଁଠି ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦିଆଯାଉଛି। ବିଡିଏ ଘର ନିର୍ମାଣ କରୁଛି ଓ ବିଏମ୍‌ସି ଘର ଆବଣ୍ଟନ କରୁଛି। ଇତିମଧ୍ୟରେ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ସତ୍ୟନଗର କେଶରୀ ରେସିଡେନ୍ସି, ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି(ବରୁଣେଇ ଏନ୍‌କ୍ଲେଭ୍‌), ଚନ୍ଦ୍ରଶେଖରପୁର ନୀଳମାଧବ ଓ ବୁଦ୍ଧବିହାର ପ୍ରକଳ୍ପ, ଘାଟିକିଆ ହାଉସିଂ ପ୍ରକଳ୍ପ, ଗାଡ଼କଣ ହାଉସିଂ ପ୍ରକଳ୍ପରେ ଘର ବ୍ୟବସ୍ଥା କରିଛନ୍ତି। ଏସବୁ ପ୍ରକଳ୍ପ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ। କିନ୍ତୁ ସବୁଠି ସ୍ଥିତି ସମାନ। ସବୁଠି ବଡ଼ ବଡ଼ ଗାଡ଼ି ଲାଗୁଛି। ଅଧିକ ଗାଡ଼ି ବୁଦ୍ଧବିହାର ପ୍ରକଳ୍ପରେ ଲାଗୁଛି। ବିଏମ୍‌ସି ପାଖରେ ବି ଏ ସଂପର୍କରେ ଏକାଧିକ ଅଭିଯୋଗ ପଡ଼ିଛି।
ଏହି ଅନିୟମିତତା ଉପରେ ବିଏମ୍‌ସି ଏପ୍ରିଲରୁ ଧରପଗଡ଼ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ଯେଉଁମାନେ ଏଭଳି ଚଞ୍ଚକତା କରିଥିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜେଲ୍‌ ପଠାଇବାକୁ ଯୋଜନା କରାଯାଉଛି। ଏଣୁ ନକଲି ବସ୍ତିବାସିନ୍ଦାଙ୍କ ମହଲରେ ଛନକା ପଶିଛି।

In Odisha BJP Govt Encouraging Anarchy: ବିଜେପି ସରକାର ଅରାଜକତା-ଗୁଣ୍ଡାରାଜକୁ ପ୍ରୋତ୍ସାହିତ କରୁଛନ୍ତି: ନବୀନ ପଟ୍ଟନାୟକ

ଯେଉଁମାନଙ୍କ ନିଜସ୍ବ ଜାଗା ଥିଲା, ସେମାନେ ସେହି ଜାଗାକୁ ଗିଫ୍ଟ ଡିଡ୍‌ କରିବାରେ ଲାଗି ପଡ଼ିଛନ୍ତି। ବିଏମ୍‌ସି ଡେପୁଟି କମିସନର୍‌ ଅଜୟ କୁମାର ମହାନ୍ତି କହିଛନ୍ତି, ଆଫୋର୍ଡେବଲ୍‌ ହାଉସିଂ ଯୋଜନାରେ ଘର ପାଇଥିବା ଲୋକେ ଅନିୟମିତତା କରି ଘର ପାଇଥିବା ଅଭିଯୋଗ ଆମ ପାଖରେ ପହଞ୍ଚିଛି। ବଡ଼ ବଡ଼ ଗାଡ଼ି ବି ଘର ଆଗରେ ଲାଗୁଥିବାରୁ, ପାର୍କିଂ ସଂପର୍କିତ ଅଭିଯୋଗ ପାଇଛୁ। ପୂର୍ବରୁ ଶାନ୍ତିପଲ୍ଲୀ ବସ୍ତିର ୪ଜଣଙ୍କୁ ଧରିଥିଲୁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବୁଦ୍ଧବିହାର ପ୍ରକଳ୍ପର ବି ଜଣଙ୍କୁ ଧରିଥିଲୁ। ନିଜ ନାମରେ ଜାଗା ଥାଇ ସେ ଘର ପାଇଥିଲେ। ଏବେ ସେ ସେହି ଜାଗାକୁ ଗିଫ୍ଟ ଡିଡ୍‌ କରି ଦେଇଛନ୍ତି। କିନ୍ତୁ ସତ୍ୟପାଠ ଦାଖଲ ସମୟରେ ସେ ଜାଗା ନଥିବା ଦର୍ଶାଇଥିଲେ। ଏଣୁ ସଂପୃକ୍ତ ବ୍ୟକ୍ତିଙ୍କୁ ନୋଟିସ୍‌ କରିଛୁ, କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ। ଅପରପକ୍ଷେ ଏପ୍ରିଲରୁ ଏହି ଯାଞ୍ଚ ଜୋରଦାର ହେବ। ଯେଉଁମାନେ ଧରାପଡ଼ିବେ, କାର୍ଯ୍ୟାନୁଷ୍ଠାନ ନିଆଯିବ। ନଗର ଉନ୍ନୟନ ମନ୍ତ୍ରୀ, ମେୟର, କମିସନର୍‌ ବି ଏହାକୁ ଗୁରୁତ୍ବର ସହ ନେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।