ଭୁବନେଶ୍ବର: ଆଉ କାମ ଦେଉନି ରାଜଧାନୀର ସ୍ବୟଂଚାଳିତ ଟ୍ରାଫିକ୍‌ ପୋଷ୍ଟ। ଠିକ୍‌ରେ ଜଳୁନି କି ସିଗ୍‌ନାଲ୍‌ ଦେଉନି ଟ୍ରାଫିକ୍‌ ଲାଇଟ୍‌। କେତେବେଳେ ଦପ୍‌ଦପ୍‌ ହେଉଛି ତ କେ‌ତେବେଳେ ଏମିତି ଜଳୁଛି ଯେ ଆଉ ଲିଭୁନି। ଏଣୁ ସ୍ଥିତି ଏପରି ଯେ ପୁଣିଥରେ ମାନବଚାଳିତ ବ୍ୟବସ୍ଥାକୁ ଫେରିବାକୁ ପଡ଼ିଛି। ଯନ୍ତ୍ରଚାଳିତ ବ୍ୟବସ୍ଥା ଠପ୍‌। ଅସହାୟ ଟ୍ରାଫିକ୍‌ ପୁଲିସ ପୁଣିଥରେ ପୁରୁଣା ବ୍ୟବସ୍ଥାକୁ ଆପଣାଇଛି। ଦିନରେ ହାତ ଦେଖାଇ, ରାତିରେ ନାଲି, ସବୁଜ ରଙ୍ଗର ଲାଇଟ୍‌ ଧରି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ସଚିବାଳୟ, ବିଧାନସଭା ପାଖରେ ଥିବା ଏଜି ଭଳି ପ୍ରମୁଖ ଛକ ବି ଏଭଳି ଅବ୍ୟବସ୍ଥାରୁ ବାଦ୍‌ ପଡ଼ିନି।

Advertisment

Anandavan: ଆନନ୍ଦବନ ହାତ ଛାଡ଼ିଲା ଓଏମସି

 
୨୦୧୭ ମସିହାରେ ଭୁବନେଶ୍ବର ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ସବୁ ପ୍ରମୁଖ ଟ୍ରାଫିକ୍‌ ଛକକୁ ଅତ୍ୟାଧୁନିକ ରୂପ ଦିଆଯାଇଥିଲା। ସ୍ବୟଂଚାଳିତ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା(ଏଟିଏସ୍‌ସି) କରାଯାଇଥିଲା। ଏହି ଭିତ୍ତିଭୂମି ସୌରଶକ୍ତିଚାଳିତ ଥିଲା। ତଥ୍ୟ ମୁତାବକ, ରାଜଧାନୀର ୫୦ଟି ଟ୍ରାଫିକ୍‌ ଛକରେ ସ୍ମାର୍ଟ ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା ହୋଇଥିଲା। ନାଲି, ହଳଦିଆ ଓ ସବୁଜ ରଙ୍ଗରେ ଏହା ଲୋକଙ୍କୁ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ ଓ କେଉଁ ଆଡ଼କୁ ଯିବାକୁ ପଡ଼ିବ ସୂଚାଉଥିଲା। ସୁରକ୍ଷିତ ରାସ୍ତା ଅତିକ୍ରମ କରିବାକୁ ପଥଚାରୀଙ୍କ ପାଇଁ ୧୪ଟି ପେଲିକାନ୍‌ ସିଗ୍‌ନାଲ୍‌ ବ୍ୟବସ୍ଥା କରାଯାଇଥିଲା।

Governor : ପିଲାଙ୍କ ସହ ରାଜ୍ୟପାଳ

 ନିରାପଦ ଗାଡ଼ି ଚାଳନା ପାଇଁ କଟକଣା ଅଞ୍ଚଳରେ ୫ଟି ବ୍ଲିଙ୍କର୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା। ସବୁ ଟ୍ରାଫିକ୍‌ ପୋଷ୍ଟକୁ ନୂଆ ରୂପ ଦିଆଯାଇଥିଲା। ଏହି ଭିତ୍ତିଭୂମି ପ୍ରସ୍ତୁତିରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପ୍ରାୟ ୧୩.୨୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏଥିରୁ ସ୍ବୟଂଚାଳିତ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ୧୨.୪୯ କୋଟି ଟଙ୍କା ଓ ଟ୍ରାଫିକ୍‌ ପୋଷ୍ଟ୍‌କୁ ନୂଆ ରୂପ ଦେବାରେ ୭୪ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ପରେ ବି ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ବାବଦରେ ନିୟମିତ ଖର୍ଚ୍ଚ ଚାଲିଛି। କିନ୍ତୁ କିଛି ବର୍ଷର ବ୍ୟବଧାନ ପରେ ଏହି ଭିତ୍ତିଭୂମି ଆଉ କାମ ଦେଉନି। ସ୍ବୟଂଚାଳିତ ବ୍ୟବସ୍ଥା ଅଚଳ ହୋଇଗଲାଣି। ଆଉ ଟ୍ରାଫିକ୍‌ ସିଗ୍‌ନାଲ୍‌ ଲାଇଟ୍‌ ଠିକ୍‌ରେ ଜଳୁନି। ମରାମତି ହେଲେ ବି ସ୍ଥିତିରେ ସୁଧାର ଆସୁନି। ଏଜି ଛକ ହେଉ କି କଳ୍ପନା ଛକ ଅବା ଶିଶୁଭବନ ଛକ ସବୁଠି ଏହି ଅବ୍ୟବସ୍ଥା ଲାଗି ରହିଛି। ଟ୍ରାଫିକ୍‌ ସିଗ୍‌ନାଲ୍‌ ଲାଇଟ୍‌ କାମ ଦେଉନଥିବାରୁ ପୂର୍ବଭଳି ଟ୍ରାଫିକ୍‌ ପୁଲିସ ମୁତୟନ ହେଲେଣି ଓ ଏମାନେ ହାତ ଦେଖାଇ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି। ରାତି ହେଲେ ନାଲି, ସବୁଜ ଲାଇଟ୍‌ ନ ଧରିଲେ, ଏମାନେ କାମ କରିପାରୁନାହାନ୍ତି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଛି। ଯେଉଁ ସଂସ୍ଥାମାନେ ଏସବୁ ଲଗାଇଥିଲେ, ଏବେ ଖରାପ ହେଲା ବେଳକୁ ସେମାନେ ଧରାଛୁଆଁ ଦେଉନାହାନ୍ତି। ଏଣୁ ମରାମତିରେ ସମସ୍ୟା ଦେଖାଦେଉଛି।