ଅଶୋକା ମାର୍କେଟ ଦଖଲକୁ ନେଲା ବିଡିଏ

ଦୁଇ ସପ୍ତାହ ପରେ ଭଙ୍ଗା ହେବ

ଭାଙ୍ଗିବା ପାଇଁ ଟେଣ୍ଡର୍‌ ଆହ୍ଵାନ ହେବ

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ ଏବଂ ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ ହବ୍‌ ପାଇଁ ଜମି ଅଧିଗ୍ରହଣ ସମସ୍ୟା ତୁଟିଛି। ଏହି ପ୍ରକଳ୍ପର ମୁଖ୍ୟ ସମସ୍ୟା ସାଜିଥିବା ଅଶୋକା ମାର୍କେଟକୁ ଭାଙ୍ଗିବା ପାଇଁ ବିଡିଏ ଆଜି ଏହାକୁ ଦଖଲକୁ ନେଇଛି। ସମସ୍ତ ୧୩୧ଟି ଦୋକାନକୁ ବିଡିଏ ଆଜି ସିଲ୍‌ କରିବା ସହ ଖୁବ୍‌ ଶୀଘ୍ର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି।

ଅଶୋକା ମାର୍କେଟ୍‌ ଭାଙ୍ଗିବା ନେଇ ବିଡିଏ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ହାଇକୋର୍ଟରେ ମାମଲା ବିଚରାଧୀନ ଥିବାରୁ ମାର୍କେଟ ଉଚ୍ଛେଦ ହୋଇପାରି ନଥିଲା। ଜାନୁଆରି ୩ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଜାନୁଆରି ୩୧ତାରିଖ ସୁଦ୍ଧା ମାର୍କେଟ ଖାଲି କରିବାକୁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମାର୍କେଟ ଉଚ୍ଛେଦ କରିବାକୁ ହାଇକୋର୍ଟ ବିଡିଏକୁ କହିଥିଲେ। କିନ୍ତୁ ଆଜି ସୁଦ୍ଧା ୯୯ଜଣ ଦୋକାନ ସରେଣ୍ଡର୍‌ କରିଥିବାବେଳେ ବାକି ୩୨ଜଣ ବିଡିଏକୁ ଦୋକାନ ଚାବି ଫେରାଇ ନଥିଲେ। ଆଜି ବିଡିଏର ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ପୁଲିସ ସହାୟତାରେ ଅଶୋକା ମାର୍କେଟର ସମସ୍ତ ଦୋକାନ ସିଲ୍‌ କରିଛି। ଆଜି ଘଟଣାସ୍ଥଳରେ ୫ଜଣ ବ୍ୟବସାୟୀ ବିଡିଏ ଅଧିକାରୀଙ୍କୁ ଚାବି ଫେରସ୍ତ କରିଥିବାବେଳେ ବାକି ୨୭ଟି ଦୋକାନର ସଟର୍‌ ଭାଙ୍ଗି ବିଡିଏ କବ୍‌ଜାକୁ ନେଇଛି। କ୍ୟାପିଟାଲ ଥାନା ପୁଲିସ ସମ୍ମୁଖରେ ଏହି ଦୋକାନଗୁଡ଼ିକର ସଟର୍‌ ଭାଙ୍ଗି ବିଡିଏ ସିଲ୍‌ କରିଛି। ଖୁବ୍‌ ଶୀଘ୍ର ପୂରା ଅଶୋକା ମାର୍କେଟକୁ ଭଙ୍ଗା ଯିବ ବୋଲି ନିଷ୍ପତ୍ତି ହୋଇଛି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଶୋକା ମାର୍କେଟ ଭାଙ୍ଗିବା ପାଇଁ ବିଡିଏ ନିକଟରେ ଯନ୍ତ୍ରାଂଶ ନଥିବାରୁ ଏହାକୁ ଭାଙ୍ଗିବାକୁ ଏକ ଘରୋଇ ସଂସ୍ଥାକୁ ନିୟୋଜିତ କରାଯିବ। ଏଥିପାଇଁ ଆସନ୍ତା ସପ୍ତାହକ ମଧ୍ୟରେ ଟେଣ୍ଡର ଆହ୍ଵାନ ହେବ। ଯେଉଁ ସଂସ୍ଥା ଅଶୋକା ମାର୍କେଟ ଭାଙ୍ଗିବ ସେ ବିଡିଏକୁ କିଛି ଅର୍ଥ ଦେବ। ଏହା ପ୍ରତିବଦଳରେ ସଂସ୍ଥା ଦୋକାନରେ ଲାଗିଥିବା ସଟର୍‌, ଗ୍ରିଲ୍‌, ଲୁହା ରଡ୍‌ ଏବଂ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ନେଇପାରିବ। ବିଡିଏ ଏଥିରୁ ପ୍ରାୟ ୧୦ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏହି ଟେଣ୍ଡର ପ୍ରକ୍ରିୟା ସପ୍ତାହକ ମଧ୍ୟରେ ଶେଷ କରିବା ପରେ ଦୁଇ ସପ୍ତାହରେ ଏହାକୁ ଭାଙ୍ଗିବାକୁ ଯୋଜନା ହୋଇଛି। ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ଅଶୋକା ମାର୍କେଟ ମାଟିରେ ମିଶିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। ଭୁବନେଶ୍ୱର ଟାଉନ ସେଣ୍ଟର୍‌ରେ ରାଜଧାନୀର ସବୁଠୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ଗମନାଗମନ ବ୍ୟବସ୍ଥା ହେବ। ଏଠାରେ ଦେଶର ପ୍ରଥମ ଟ୍ରାନ୍‌ଜିଟ୍‌ ଓରିଏଣ୍ଟେଡ୍‌ ଡେଭଲପମେଣ୍ଟ (ଟିଓଡି) ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ୧୨ଏକର ଜମିରେ ଏହି ଯୋଜନା ହେବାକୁ ଥିବାବେଳେ ଏଠାରେ ଥିଏଟର୍‌ ପ୍ଲାଜା, ସପିଂ ମଲ୍‌, ନେଚର୍‌ ପ୍ଲାଚା, ମାର୍କେଟ୍‌ କମ୍ପ୍ଲେକ୍ସ, ଲ୍ୟାଣ୍ଡସ୍କେପ୍‌, ଟାଉନ୍‌ ପ୍ଲାଜା, ଆର୍ଟ ପ୍ଲାଜା, ଏକ୍ସପେରିଏନ୍ସ ପ୍ଲାଜା, ଚିଲଡ୍ରେନ୍ସ ପ୍ଲାଜା, ଫୁଡ୍‌ କୋର୍ଟ, ଆପାର୍ଟମେଣ୍ଟ, ସାଇକେଲିଂ ଟ୍ରାକ୍‌, ସ୍ୱତନ୍ତ୍ର ପାଦଚଲା ରାସ୍ତା ଆଦି ରହିବ।

ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ୍‌ ହବ୍‌ରେ ରେଳ ଷ୍ଟେସନ୍‌ର ଆଧୁନିକୀକରଣ ହେବା ସହ ବସ୍‌ ଟର୍ମିନାଲ, ବହୁତଳ କାର୍‌ ପାର୍କିଂ, କନଭେନସନ୍‌ ସେଣ୍ଟର, ସ୍ୱତନ୍ତ୍ର ବାଇସାଇକେଲ୍‌ ଓ ପାଦଚଲା ବ୍ରିଜ୍‌, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିବ।

ସମ୍ବନ୍ଧିତ ଖବର