ଏମିତି ବର୍ଷା କୋଉ କାମକୁ! ୨ ଦିନ ହେଲା ଅଧା ସହର ଭିଜୁଛି, ଅଧା ଶୁଖିଲା

ଭୁବନେଶ୍ବର: ରାଜଧାନୀରେ ଆଜି ପାଣିପାଗ‌ରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେଇଛି। ଏଥର କାଳବୈଶାଖୀର ଦେଖାଦର୍ଶନ ‌ନଥିବାବେ‌ଳେ ଗତକାଲି ଓ ଆଜି ସହରର ଅଧାଅଂଶରେ ବର୍ଷା ହୋଇଥିବା ବେଳେ ଆଉଅଧା ଶୁଖିଲା ପଡ଼ୁଛି। ଆଜି ୪ଟା ‌ବେଳକୁ ‌ଖୋର୍ଦ୍ଧାରୁ ଖଣ୍ଡଗିରି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ପାଖାପାଖି ୪୦ ମିନିଟ୍‌ ବର୍ଷା ହୋଇଥିଲା। କିନ୍ତୁ ଅନ୍ୟ ସମସ୍ତ ଅଞ୍ଚଳ ଶୁଖିଲା‌ ରହିଥିଲା। ଗୁରୁତ୍ବପୁର୍ଣ୍ଣ କଥା ହେଉଛି ଯେ ସକାଳଠାରୁ ତାପମାତ୍ରା ହୁହୁହୋଇ ବଢ଼ୁଥିଲେ ମଧ୍ୟ ଅପରାହ୍ନ ବେଳକୁ ପାଗରେ ଯେଉଁଭଳି ‌ଭାବେ ଆଖିଦୃଶିଆ ପରିବର୍ତ୍ତନ ହେବାକଥା, ତାହା ହେଉନାହିଁ। ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୪ ଡିଗ୍ରିରେ ପହଞ୍ଚିଥିଲା। ୧୧ଟା ୩୦ ବେଳକୁ, ଅର୍ଥାତ୍‌ ୩ଘଣ୍ଟା ମଧ୍ୟରେ ଏହା ୪୦ ଡିଗ୍ରି ପାର କରି ୪୧.୧ରେ ପହଞ୍ଚିଥିଲା। ୩ ଘଣ୍ଟା ମଧ୍ୟରେ ୭ ଡିଗ୍ରି ତାପମାତ୍ରା‌ ବଢ଼ିଯାଇଥିଲା।

ଅପରାହ୍ଣ ୧.୩୦ରୁ ୨.୩୦ ମଧ୍ୟରେ ସହରର ତାପମାତ୍ରା‌ ଆହୁରି ଗୋଟିଏ ଡିଗ୍ରି ବୃଦ୍ଧିପାଇ ୪୨.୨ରେ ପହଞ୍ଚିଥିଲା। ଏହି ୨ ଦିନ‌ରେ ଅପରାହ୍ଣ ୨ଟା ପରେ ଆକାଶରେ ବାଦଲ ଘୋଟିଆସୁଥିବା ଦେଖିବାକୁ ମିଳୁଛି। ଦକ୍ଷିଣପଟକୁ ଥିବା ରାଜଧାନୀର ବିଭିନ୍ନ ଅଞ୍ଚଳରେ କଳାବାଦଲ ଆସି ଘଡ଼ଘଡ଼ି ମାରିବା ସହିତ ବର୍ଷା ହେଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ‌ଓ ‌ମେ’ ମାସରେ ଦକ୍ଷିଣ ଦିଗରୁ ପବନ ଆସେ। କିନ୍ତୁ ବଙ୍ଗୋପସାଗରରୁ ଆସୁଥୁବା ଏ ବା‌ୟୁ ସମ୍ପୂର୍ଣ୍ଣ ସହରରେ ପହଞ୍ଚିପାରୁ ନାହିଁ। ତେଣୁ ସହରର କିଛି ସ୍ଥାନରେ ‌ବର୍ଷା ହେଉଥିବାବେଳେ ବାକି ସ୍ଥାନରେ ‌ହେଉନାହିଁ। ଖୋର୍ଦ୍ଧା ଓ ଖଣ୍ଡଗିରି ପର୍ଯ୍ୟନ୍ତ ସମୁଦ୍ର ଆଡ଼ୁ ଆସୁଥିବା ପବନ ପହଞ୍ଚୁଥିବାରୁ ଏହି ଅଞ୍ଚଳଗୁଡ଼ିକରେ ‌ବର୍ଷା ‌ହେଉଥିବା ‌ବେଳେ ବରୁମଣ୍ଡା, ଆଚ‌ାର୍ଯ୍ୟବିହାର, ରସୁଲଗଡ଼ ଆଦି ଅଞ୍ଚଳରେ ବର୍ଷା ‌ହେଉନାହିଁ।

ଆଉ ଏକ ବଡ଼ ଚିନ୍ତାର ବିଷୟ ହେଉଛି‌, ତାପମାତ୍ରା ଉପରେ ଏହି ବର୍ଷା କୌଣସି ପ୍ରଭାବ ପକାଇ ପାରୁନାହିଁ। ସହରର ତାପମାତ୍ରା ପୂର୍ବଭଳି ବଢ଼ି ଚାଲିଛି। ଆସନ୍ତା ୨୮ ତାରିଖ ଭିତରେ ରାଜଧାନୀରେ ତାପମାତ୍ରା ୪୫ ଡିଗ୍ରି ପାର୍ କରିଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଗାମୀ ୩ ଦିନ ମଧ୍ୟରେ ଆହୁରି ୩ଡିଗ୍ରି ବୃଦ୍ଧି ପାଇବ। ୨୬ ଓ ୨୭ ତା‌ରିଖରେ ୪୩ ଡିଗ୍ରି ଏବଂ ୨୮ ତାରିଖରେ ୪୫ଡିଗ୍ରି କିମ୍ବା ଅଧିକ ‌ହୋଇପାରେ ବୋଲି ଆକଳନ କରାଯାଇଛି। ଏଭଳି ଅସ୍ବାଭାବିକ ତାପମାତ୍ରା‌ ବୃଦ୍ଧି ଲଗାତାର ୧୨ଦିନ ଧରି ରାଜଧାନୀର ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ତାପାମାତ୍ରା ଅପେକ୍ଷା ଗୁଳୁଗୁଳି ଓ ଗରମ ଝାଞ୍ଜିପବନ ଲୋକଙ୍କୁ ଅସହାୟ କରିପକାଇଛି। ଏହା ଉପରକୁ ଘନ ଘନ ଅଘୋଷିତ ବିଜୁଳି କାଟ ସମସ୍ୟାକୁ ସଙ୍ଗୀନ କରି ପକାଉଛି।

ସମ୍ବନ୍ଧିତ ଖବର