କମୁନି ଆଳୁ ବଜାର ତାତି: ଶୋଷୁଛନ୍ତି ଖୁଚୁରା ବେପାରୀ

ଭୁବନେଶ୍ୱର: ଦୁଇ ଦିନ ହେଲା ପାଇକାରୀ ବଜାରରେ ଆଳୁ ଦର କମୁଛି। କିନ୍ତୁ ପରିତାପର କଥା ଖୁଚୁରା ବଜାରରେ ଆଳୁ ଦର ତାତି କମିବା ନାଁ ନେଉନାହିଁ। ଦୁଇ ସପ୍ତାହ ପୂର୍ବେ ପାଇକାରୀ ଦର କିଲୋ ପ୍ରତି ୨୫ ଟଙ୍କା ଥିଲା ଏବଂ ଖୁଚୁରା ବେପାରୀମାନେ କିଲୋ ପିଛା ୩୫ ଟଙ୍କାରେ ବିକ୍ରି କରୁଥିଲେ। ଏବେ ପାଇକାରୀ ଦର କ୍ବିଣ୍ଟାଲ୍‌ ପିଛା ୧୮ ଶହ ଟଙ୍କାକୁ ଖସିଆସିଲାଣି, ଅର୍ଥାତ୍‌ କିଲୋ ପ୍ରତି ୧୮ ଟଙ୍କା ହେଲାଣି। କିନ୍ତୁ ଖୁଚୁରା ବଜାରରେ ଦର ସେମିତି ୩୫ ଟଙ୍କା ରହିଛି। କିଣା ମୂଲ୍ୟ ସହ ମୁନାଫା ସମାନ। ଖୁଚୁରା ବେପାରୀମାନେ ମନ ଇଛା ଖାଉଟିଙ୍କୁ ଶୋଷଣ କରୁଛନ୍ତି। ଜିଲ୍ଲା ଯୋଗାଣ ବିଭାଗର ନିଷ୍କ୍ରିୟତ‌ା ବା ଉଦାସୀନତା କାରଣରୁ ସାଧାରଣ ଖାଉଟି ଶୋଷଣର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହେଉଛି।

ଆଜି ଆଇଗିଣିଆ କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ୨ ଦିନ ହେଲା ଆଳୁ ଦର କମୁଛି। ମାନ ଅନୁସାରେ ଆଳୁ କ୍ବିଣ୍ଟାଲ ୧୮ଶହ ଟଙ୍କାରୁ ୨ ହଜାର ଟଙ୍କା ରହିଛି। ପଶ୍ଚିମବଙ୍ଗରୁ ଯୋଗାଣ ମଧ୍ୟ ଠିକ୍‌ଠାକ ରହିଛି। ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ୨ ସପ୍ତାହ ପୂ‌ର୍ବେ ପଶ୍ଚିମବଙ୍ଗରେ ପର୍ବପର୍ବାଣୀ ଚାଲିଥିବାରୁ ଓଡ଼ିଶାକୁ ଆଳୁ ଚାଲାଣ ହ୍ରାସ ପାଇଥିଲା। ସେହିଭଳି ଶୀତଳଭଣ୍ଡାରରେ ମହଜୁଦ ରଖାଯିବା ବି ଅନ୍ୟତମ କାରଣ ଥିଲା। ତେଣୁ ସ୍ବାଭାବିକ ଭାବେ ଦର ବୃଦ୍ଧି ପାଇଥିଲା। ସେତେବେଳେ କ୍ବିଣ୍ଟାଲ ପିଛା ୨୫ ଶହ ଟଙ୍କା ହୋଇଯାଇଥିଲା। ନିୟମାନୁସାରେ ପାଇକାରୀ ଦର ୨୫ ଟଙ୍କା ବେଳେ ଖୁଚୁରା ବଜାର ଦର ୩୦/୩୨ ଟଙ୍କା ରହିବା କଥା। ମାତ୍ର ସେତେବେଳେ ଖୁଚୁରା ବେପାରୀମାନେ କିଲୋ ପିଛା ୩୫ ଟଙ୍କା ନେଇଗଲେ। କାହାର ନିୟନ୍ତ୍ରଣ ନଥିଲା। ଏବେ ଦୁଇ ଦିନ ହେଲା ସେ ସ୍ଥିତି ନାହିଁ। ଏବେ ପାଇକାରୀ ଦର ୨୦ ଟଙ୍କା ଥିବାରୁ ଖୁଚୁରା ଦର ଅତିବେଶିରେ ୨୬/୨୭ ଟଙ୍କା ହେବା କଥା। କିନ୍ତୁ ଖୁଚୁରା ବେପାରୀମାନେ ୩୫ ଟଙ୍କାରୁ ତଳକୁ ଖସିନାହାନ୍ତି। ଖୁଚୁରା ବଜାର ଉପରେ କାହାର ନିୟନ୍ତ୍ରଣ ନଥିବାରୁ ଏବଂ ଲୋକଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚି ପାରୁନଥିବାରୁ ସେମା‌ନେ ଖାଉଟିଙ୍କୁ ଶୋଷଣ କରିବା ମଉକା ହାତଛଡ଼ା କରୁନାହାନ୍ତି। ଖୁଚୁରା ବଜାରକୁ ଜିଲ୍ଲା ଯୋଗାଣ ବିଭାଗ ନିୟନ୍ତ୍ରଣ କରିବା କଥା। ବିପଣନ ଗୁଇନ୍ଦା ସୂଚନା ଆଧାରରେ ଯୋଗାଣ ବିଭାଗ ପଦ‌କ୍ଷେପ ଗ୍ରହଣ କରିବା ନିୟମ ରହିଛି। ମାତ୍ର ଯୋଗାଣ ବିଭାଗର ଅଧିକାରୀ ଓ ବିପଣନ ନିରୀକ୍ଷକ(ଏମ୍‌ଆଇ)ମାନେ ନିରବଦ୍ରଷ୍ଟା ସାଜୁଛନ୍ତି।

ଏଣେ ଜିଲ୍ଲା ଯୋଗାଣ ବିଭାଗରୁ ମିଳିଛି ବିଚିତ୍ର ସୂଚନା। ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ଙ୍କ ସୂଚନାନୁସାରେ ପାଇକାରୀ ଦର ୨୦/୨୨ ଟଙ୍କା ଏବଂ ଖୁଚୁରା ବଜାର ଦର ୨୮ ଟଙ୍କା ରହିଛି। ବିଭିନ୍ନ ଏମ୍‌ଆଇମାନେ ତାଙ୍କୁ ଏହି ସୂଚନା ଦେଇଛନ୍ତି ବୋଲି ସିଏସ୍‌ଓ କହିଛନ୍ତି। କିନ୍ତୁ ଏହା ପ୍ରକୃତ ତଥ୍ୟ ନୁହେଁ। ରାଜଧାନୀ ଓ ଉପକଣ୍ଠ ଅଞ୍ଚଳର ବିଭିନ୍ନ ହାଟରେ ଆଳୁ କିଲୋ ୩୫ ଟଙ୍କା ରହିଛି। ନିମ୍ନମାନର ଅର୍ଥାତ୍ ଗୁଣ୍ଡ ଆଳୁ କିଲୋ ପିଛା ୨୮/୩୦ ଟଙ୍କା ରହିଛି। ଯେଉଁ ଆଳୁ କ୍ବିଣ୍ଟାଲ୍‌କୁ ୧୮ ଶହ ଟଙ୍କା ପଡ଼ୁଛି, ତାହାକୁ ଖୁଚୁରା ବଜାରରେ କିଲୋ ପିଛା ୨୮ ଟଙ୍କାରେ ବିକ୍ରି କରାଯାଉଛି। ସେହିଭଳି ଭଲ ମାନର ଆଳୁ କ୍ବିଣ୍ଟାଲ ପିଛା ୨୨ ଶହ ଟଙ୍କାରେ କିଣି ଖୁଚୁରା ବେପାରୀମାନେ କିଲୋ ପିଛା ୩୫ ଟଙ୍କାରେ ବିକ୍ରି କରୁଛନ୍ତି। ଏଭଳି ତଥ୍ୟର ସତ୍ୟତା ପରଖିବାକୁ ଆସନ୍ତାକାଲିଠାରୁ ସ୍ବତନ୍ତ୍ର ଟିମ୍‌ ଜରିଆରେ ତଦାରଖ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ସିଏସ୍‌ଓ କହିଛନ୍ତି।

ସମ୍ବନ୍ଧିତ ଖବର