ବାରଙ୍ଗ: ମଧୁବନ ମୁଣ୍ଡିଆ ପ୍ରତି ବିପଦ ଦେଖାଦେଇଛି। ଏହି ମୁଣ୍ଡିଆକୁ ଟେକିଦେବା ପାଇଁ ଷଡ୍‌ଯନ୍ତ୍ର ହୋଇଛି। ଜଙ୍ଗଲ ବିଭାଗର ଅନୁମତି ବିନା ମୁଣ୍ଡିଆ ଖନନ କରାଯାଉଛି।  ଏଠାରେ ଥିବା ଗଛଗୁଡ଼ିକୁ ବି କାଟି ଦିଆଯାଉଛି। ଜଙ୍ଗଲ ବିଭାଗର ନିୟମକୁ ଫୁ’ କରି ଉଡ଼ାଇ ଦିଆଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି।

Advertisment

Elephant: ବେତନଟୀ ରେଞ୍ଜରେ ଚିନ୍ତା ବଢ଼ାଉଛି ୨୪ଟିକିଆ ହାତୀପଲ

ପୁରୀ ମୁଖ୍ୟ କେନାଲବନ୍ଧ ରାସ୍ତା ସଂଲଗ୍ନ ମଧୁବନ ମୁଣ୍ଡିଆ(ଜଙ୍ଗଲ କିସମ-୩) ବଚ୍ଛିପୁର ମୌଜାର ୩୦ ଏକର ପରିମିତ ଜମିରେ ଅବସ୍ଥିତ। ନାଲି ଗୋଡ଼ି, ପଥର ଓ ମାଟିର ଏହି ଉଚ୍ଚମୁଣ୍ଡିଆ କେଉଁ କାଳରୁ ରହିଆସିଛି। ଗତମାସରୁ ମୁଣ୍ଡିଆର ମଧୁବନ ଗ୍ରାମ ପାଖରେ ଥିବା ୯ ଏକର ଜମିକୁ ସରକାର ଶିଳ୍ପାୟନ ଉଦ୍ଦେଶ୍ୟରେ ଇଡ୍‌କୋ ହାତକୁ ଟେକି ଦେଇଛନ୍ତି। ଠିକାଦାରଙ୍କ ମାଧ୍ୟମରେ ମୁଣ୍ଡିଆକୁ ଖନନ କରି ସେଥିରୁ ମୋରମ୍‌ ଉଠାଯାଉଛି। ଏହି କାମ‌ରେ ଜଙ୍ଗଲ ବିଭାଗର ନିୟମ ପାଳନ କରାଯାଉନି। ଠିକାସଂସ୍ଥା ଦିନରାତି ମୁଣ୍ଡିଆରେ ଜେସିବି ଲଗାଇ ମୋରମ ଖନନ କରି ଏଣେତେଣେ ଚାଲାଣ କରି ଚାଲିଛି।  ମୁଣ୍ଡିଆରେ ଥିବା ଖଜୁରୀ, ତାଳ, ଆମ୍ବ, ପଣସ, ବର, ନିମ୍ବ, ସାହାଡ଼ା, ବରକୋଳି, କଣ୍ଟେଇକୋଳି, କ୍ଷୀରକୋଳି ଆଦି ଗଛରୁ ଅଧିକାଂଶ କାଟି ଦିଆଗଲାଣି। ୨୦ ବର୍ଷ ତଳେ ମଧୁବନ ଗ୍ରାମବାସୀ ଦୁଇଶହରୁ ଅଧିକ କାଜୁଗଛ ଲଗାଇ ଜଙ୍ଗଲ ସୃଷ୍ଟି କରି ମୁଣ୍ଡିଆକୁ ସୁରକ୍ଷା ଦେଇ ଆସୁଥିଲେ। କାଜୁଗଛକୁ ନିଲାମ ସୂତ୍ରରେ ଦେଇ ସେଥିରୁ ଅର୍ଥ ଉପାର୍ଜନ କରାଯାଉଥିଲା। କେବଳ ସେତିକି ନୁହେଁ, ଏଠାରେ ବଜ୍ରକାପ୍ତା, ଝିଙ୍କ, ଗାଡ଼ଭାଲୁ, ଠେକୁଆ, ଅଜଗର, ଅହିରାଜ, ରଣା, ଶଙ୍ଖାମୁଠିଆ, ନାଗ, ତମ୍ପ, ବୋଡ଼ା, ନେଉଳ, ଗୋଧି ଆଦି ରହିଛନ୍ତି। ସେହିପରି ବିରଳ ପକ୍ଷୀ ମଧ୍ୟ ରହିଛନ୍ତି।

Road: ନିର୍ମାଣର ୬ମାସ ପୁରିନି, ରାସ୍ତାରୁ ଉଠିଗଲାଣି ପିଚୁ

ମୁଣ୍ଡିଆଟି ଧ୍ୱଂସ ହେବା ଫଳରେ ଏଠାରେ ବସବାସ କରୁଥିବା ଜୀବଜନ୍ତୁ ବାସହରା ହେବେ। ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରିତ କରୁଥିବା ମୁଣ୍ଡିଆ ଅସ୍ତିତ୍ୱ ହରାଇଲେ ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ିବ ବୋଲି କୁହାଯାଉଛି। ସରକାର ବୃକ୍ଷରୋପଣ, ପାହାଡ଼ ପର୍ବତ ଓ ମୃର୍ତ୍ତିକା ସଂରକ୍ଷଣ ଲାଗି ବ୍ୟାପକ ଯୋଜନା କରୁଥିବା ବେଳେ ମଧୁବନ ମୁଣ୍ଡିଆର ଅସ୍ତିତ୍ୱ ଲୋପ କରିବାକୁ ବସିଥିବାରୁ ସ୍ଥାନୀୟ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହି ମୁଣ୍ଡିଆର ସୁରକ୍ଷା ପାଇଁ ମଧୁପୁର ସରପଞ୍ଚ ସସ୍ମିତା ଭୋଇ, ସମିତି ସଭ୍ୟ କିଶାନ କୁମାର ଜେନା ଓ ଆଇନଜୀବୀ ପ୍ରଭାତ କୁମାର ଲେଙ୍କାଙ୍କ ନେତୃତ୍ବରେ ପଞ୍ଚାୟତବାସୀ ଅଣ୍ଟା ଭିଡ଼ିଛନ୍ତି। କଟକ ଜିଲ୍ଲାପାଳ, ଓଡ଼ିଶା ଖଣି ନିଗମ ଓ ଜଙ୍ଗଲ ବିଭାଗ ସଚିବଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିବା ସହ ମୁଣ୍ଡିଆର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।